କଟକ: ବଡ଼ ଅଘଟଣରୁ ବର୍ତ୍ତିଗଲା ବଡ଼ ମେଡିକାଲ । କଟକ ଏସ୍ସିବିରେ ଏକ ବଡ଼ ଅଘଟଣ ଘଟୁ ଘଟୁ ରହିଗଲା । ଆଜି ମଧ୍ୟାହ୍ନରେ ସେଣ୍ଟ୍ରାଲ ଆଇସିୟୁରେ ଏକ ଅଗ୍ନିକାଣ୍ଡକୁ ସମୟ ଥାଉ ଥାଉ ନିୟନ୍ତ୍ରଣ କରାଯାଇଛି । ଆଇସିୟୁରେ ଥିବା ଏକ ଭେଣ୍ଟିଲେଟରରୁ ଧୂଆଁ ବାହାରୁଥିବା ଦେଖିବା ପରେ ଡ୍ୟୁଟିରେ ଥିବା କର୍ମଚାରୀମାନେ ତୁରନ୍ତ ସେହି ଭେଣ୍ଟିଲେଟରଟିକୁ ବନ୍ଦ କରିଦେବା ସହ ସେଥିରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଏହି ଧୂଆଁକୁ ଦେଖି ସେଠାରେ ଥିବା ରୋଗୀ ଓ ଆଇସିୟୁରେ ଥିବା ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ କିଛି ସମୟ ପାଇଁ କୋକୁଆ ଭୟ ସୃଷ୍ଟି ହୋଇଥିଲା ।
ଖବର ପାଇ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସର୍ଟସର୍କିଟ୍ ଯୋଗୁଁ ଭେଣ୍ଟିଲେଟରରୁ ଧୂଆଁ ବାହାରିଥିବା କହିଛନ୍ତି ଡେପୁଟି ଫାୟାର ଅଫିସର ସନାତନ ମହାପାତ୍ର । ଏହାଦ୍ବାରା ରୋଗୀ ସେବାରେ ସମସ୍ୟା ସୃଷ୍ଟି ହୋଇ ନଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ତେବେ ଏସ୍ସିବି ମେଡିକାଲରେ ସେଣ୍ଟ୍ରାଲ ଆଇସିୟୁରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି । ତେବେ ସ୍ଥିତି ନିୟନ୍ତ୍ରଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡେପୁଟି ଫାୟାର ଅଫିସର ସନାତନ ମହାପାତ୍ର କହିଛନ୍ତି, "ସେଣ୍ଟ୍ରାଲ ଆଇସିୟୁରେ ଥିବା ଏକ ଭେଣ୍ଟିଲେଟରରୁ ସର୍ଟ ସର୍କିଟ୍ ଯୋଗୁଁ ଧୂଆଁ ବାହାରିଥିଲା । ଏହା ଦେଖି ତହାକୁ ତୁରନ୍ତ ବାହାର କରିଦିଆଯାଇଥିଲା । ଏଥିରେ ବିଲ୍ଡିଂ କିମ୍ବା କୌଣସି ରୋଗୀଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ ।" ତେବେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ସେ ସ୍ପଷ୍ଟ କରିଛନ୍ତି ।