ଓଡିଶା

odisha

ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ସକାଳୁ କେହି ଦୁର୍ବୃତ୍ତ ଲଗାଇଦେଇଥିବା ସନ୍ଦେହ - FIRE BROKE OUT NEAR GUNDICHA TEMPLE

By ETV Bharat Odisha Team

Published : Jun 1, 2024, 7:58 AM IST

Updated : Jun 1, 2024, 10:29 AM IST

Fire breaks out near Gundicha temple: ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ସକାଳୁ କେହି ଦୁର୍ବୃତ୍ତ ଲଗାଇଦେଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ସକାଳୁ କେହି ଦୁର୍ବୃତ୍ତ ଲଗାଇଦେଇଥିବା ସନ୍ଦେହ
ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ସକାଳୁ କେହି ଦୁର୍ବୃତ୍ତ ଲଗାଇଦେଇଥିବା ସନ୍ଦେହ (ETV Bharat Odisha)

ପୁରୀ: ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଭୟାବହ ଅଗ୍ନିକାଣ୍ଡର ମାତ୍ର 2ଦିନ ପରେ ଆଜି ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ବଡଧରଣ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଆଜି ଭୋରରୁ କେହି ଦୁର୍ବୃତ୍ତ ମନ୍ଦିର ପାଚେରୀ ପାର୍ଶ୍ବରେ ଥିବା କିଛି ସାମଗ୍ରୀରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଖୁବ ଜୋରରେ ନିଆଁ ଜଳୁଥିବା ବେଳେ କଳାଧୂଆଁ ମଧ୍ୟ ବହୁଦୂର ଯାଏଁ ଜୋରରେ ଦେଖାଯାଉଛି । କୌଣସି ଅଘଟଣ ଘଟିଥିବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଅଗ୍ନିଶମ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ସକାଳୁ କେହି ଦୁର୍ବୃତ୍ତ ଲଗାଇଦେଇଥିବା ସନ୍ଦେହ (ETV Bharat Odisha)

ସୂଚନା ଅନୁସାରେ, ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାରା ନିକଟରେ ଥିବା ପ୍ଲାଷ୍ଟିକ ନିର୍ମିତ ବ୍ୟାରିକେଡଟି ଜଳିଯାଇଛି । ତେବେ ସୌଭାଗ୍ୟର ବିଷୟ ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ସେଠାରେ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ନିର୍ମିତ ବ୍ୟାରିକେଡ ରଖାଯାଇଥିଲା । କୌଣସି କାରଣରୁ ଏଥିରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ସବୁ ବ୍ୟାରିକେଡକୁ ନିଆଁ ବ୍ୟାପିଯାଇଥିଲା । ମନ୍ଦିରର ପାଚେରୀର କିଛି ଅଂଶ ଓ ନିକଟରେ ଥିବା କିଛି ଗଛ ମଧ୍ୟ କଳା ପଡିଯାଇଛି । ଏହାକୁ ନେଇ କିଛି ସମୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ ରହିଛି । ଅଗ୍ନିଶମ ଅଧିକାରୀଙ୍କ ସନ୍ଦେହ ଅନୁସାରେ, ବ୍ୟାରିକେଡ ପାଖରେ ଶୁଖିଲା ପତ୍ର ପଡି ରହିଥିଲା । କେହି ବ୍ୟକ୍ତି ସିଗାରେଟ ଟାଣି ପକାଇବା ପରେ ଅଗ୍ନିକାଣ୍ଡ ଘଟି ଥାଇପାରେ । କାରଣ ସେଠାରେ ନିଆଁ ଲାଗିବାର ଅନ୍ୟ କୌଣସି ଆଶଙ୍କା ପ୍ରାୟତଃ ନଥିବା ପରି ଦୃଶ୍ୟମାନ ହେଉଛି । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ଵାର ଏବେ ଅସାମାଜିକ ଲୋକଙ୍କ କବଜାରେ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରି ଆସୁଛନ୍ତି । ସକାଳୁ ରାତି ଯାଏ କିଛି ଅସାମାଜିକ ଲୋକ ସେଠାରେ ଆଡା ଜମାଇ ଅବାଧରେ ଗଞ୍ଜେଇ, ସିଗାରେଟ ସେବନ କରୁଛନ୍ତି । ଏଭଳି ପରିବେଶ ପାଇଁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ରହିଛି । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ପୋଲିସ୍ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ପୁରୀ ପୋଲିସ କେବଳ ଭିଭିଆଇପି ସେବାରେ 24 ଘଣ୍ଟା ନିୟୋଜିତ ରହିଛି । ଯଦି ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇଥାନ୍ତା କି’ଏ ଦାୟୀ ରହିଥାନ୍ତା ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ।ଏହା ସହ ପୁରୀ ପୋଲିସ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ କଡ଼ା ପାଟ୍ରୋଲିଂ କରିବାକୁ ମଧ୍ୟ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ :- କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ - Maguni Kuanr passes away

ଗତ ବୁଧବାର ସଂଧ୍ୟାରେ ପ୍ରସିଦ୍ଧା ଚନ୍ଦନ ଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଯୋଗୁଁ 6 ଜଣଙ୍କ ମୃତ୍ୟୁ ହେବା ସହ 36ଜଣ ଆହାତ ହୋଇଥିଲେ । ତେବେ ପୋଲିସର କାର୍ଯ୍ୟରେ ଅବହେଳା ଯୋଗୁଁ ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଯାଇଥିବା ଲୋକେ ଅଭିଯୋଗ କରିଥିଲେ । ବାଣଫୁଟା ସ୍ଥାନରେ ପୋଲିସ ଓ ଅଗ୍ନିଶମ ଟିମ୍‌ କିମ୍ବା ଆମ୍ବୁଲାନ୍ସ ରଖାଯାଇନଥିବାରୁ ସ୍ଥିତି ଅଣାୟତ୍ତ ହୋଇ ପଡିଲା ବୋଲି ଉପସ୍ଥିତ ନଥିବା ଲୋକେ ଅଭିଯୋଗ କରିଥଲେ । ପୁରୀ ପୋଲିସର ଏଭଳି ଦାୟିତ୍ବହୀନ ମନୋଭାବକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ କଡା ସମାଲୋଚନା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2024, 10:29 AM IST

ABOUT THE AUTHOR

...view details