ବ୍ରହ୍ମପୁର: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜାରି ରଖିଛି ଆନ୍ଦୋଳନ । ଗୁରୁବାର ଦିଲ୍ଲୀରେ କିଷାନ ମହାପଞ୍ଚାୟତ ବସିଥିଲା । ଏହି ଅବସରରେ ବ୍ରହ୍ମପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ମୋଦି ସରକାରର କୃଷକ ବିରୋଧି ନୀତି ବିରୁଦ୍ଧରେ ଦକ୍ଷିଣାଞ୍ଚଳ ଜିଲ୍ଲା ମାନଙ୍କର କୃଷକ ମାନଙ୍କ ଏହି ସମାବେଶରେ ସାମିଲ ହୋଇଥିଲେ ।
ସମାବେଶରେ ଅତିଥି ଭାବରେ ଅଖିଳ ଭାରତ କୃଷକ ସଭାର ଉପ ସଭାପତି ଆଶିଷ କାନୁନଗୋ, ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ କୃଷକ ସଭାର ବରିଷ୍ଠ ନେତା ଜଗନ୍ନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ମୋଦି ସରକାରର କୃଷକ ବିରୋଧି ନୀତି, କୃଷକମାନଙ୍କ ପ୍ରତି କରିଥିବା ପ୍ରତାରଣା ଏବଂ ସର୍ବୋପରି କୃଷକମାନଙ୍କ ଆନ୍ଦୋଳନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ଉପସ୍ଥିତ ଅତିଥି । ଦେଶରେ କମ୍ପାନୀ ମାନେ ନିଜର ଉତ୍ପାଦିତ ସାମଗ୍ରୀର ଦର ଧାର୍ଯ୍ୟ କରୁଥିବା ବେଳେ କୃଷକମାନେ କାହିଁକି ନିଜର ଉତ୍ପାଦିତ ଫସଲର ଦର ପାଇବେନି ସେ ନେଇ ପ୍ରଶ୍ନ କରିଥିଲେ । କୃଷକ ମାନଙ୍କ ଆୟକୁ ପାଞ୍ଚ ବର୍ଷ ମଧ୍ୟରେ ଦୁଇଗୁଣ କରିବାକୁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାରର ଅମଳରେ ଆୟ ତ ଦୁଇ ଗୁଣ ହେଲାନି କିନ୍ତୁ ଋଣଗ୍ରସ୍ଥ ହୋଇ ଲକ୍ଷେରୁ ଅଧିକ କୃଷକ ଆତ୍ମହତ୍ୟା କଲେ ବୋଲି ଅଭିଯୋଗ ହୋଇଛି ।