ଯାଜପୁର: ଆଜି ହେଉଛି ପବିତ୍ର ଭୌମ ଏକାଦଶୀ । ଏହି ପବିତ୍ର ତିଥିରୁ ହିଁ ଆରମ୍ଭ ହୋଇଥାଏ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ । ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ଏକାଦଶୀକୁ ସବୁଠାରୁ ବଡ଼ ଏକାଦଶୀ ଭାବେ ସମସ୍ତେ ମାନିଥାନ୍ତି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ବ୍ୟାସ ସରୋବରକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜ୍ଜନ କରୁଛନ୍ତି । ଏଠାକାର ମନ୍ଦିରର ଏକ ସ୍ବତନ୍ତ୍ର କିମ୍ବଦନ୍ତୀ ରହିଛି । ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କୁ ଗୋଟିଏ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ । ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ନିଆରା ପରମ୍ପରା କାହିଁ କେତେ କାଳରୁ ରହିଆସିଛି । ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ପୁରାଣ ପ୍ରସିଦ୍ଧ ପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି ।
ଲୋକଙ୍କ ବିଶ୍ବାସ ରହିଛି ଯେ ଏଠାରେ ଯାହା ମନସ୍କାମନା କରାଯାଏ ତାହା ନିଶ୍ଚିତ ପୂରଣ ହୁଏ । ସେଥିଲାଗି ପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଦୀର୍ଘ 17 ବର୍ଷ ଧରି ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ଏଠାରେ ବ୍ୟାସ ମହୋତ୍ସବ ପାଳିତ ହୋଇଆସୁଛି । ମେଳାରେ ଦୋଳି ଓ ମୀନାବଜାର ଖୋଲିବା ସହ ଭଳିକି ଭଳି ଷ୍ଟଲ ସ୍ଥାନ ପାଇବେ । ନାମୀଦାମୀ କଳାକାର ଓ ସିନେତାରକାଙ୍କ ଦ୍ବାରା ପ୍ରତିଟି ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଅନ୍ୟପଟେ ପୀଠ ନିକଟରେ ଥିବା ମହିମା ଆଶ୍ରମରେ ଦୂରଦୂରାନ୍ତର ଆସିଥିବା ସାଧୁସନ୍ଥଙ୍କ ଦ୍ବାରା ଚାଲିଛି ଅହର୍ନିଶି ଧୂନୀ ଓ ବିଶ୍ବଶାନ୍ତି ମହିମା ମହାଯଜ୍ଞ । ତା ସହିତ ମଠରେ ମଧ୍ୟ ଭକ୍ତମାନଙ୍କ ଦ୍ବାରା ଆୟୋଜିତ ହୋଇଛି ଭଜନ କୀର୍ତ୍ତନ ।