କଟକ:ସାନ ସିନା ଦାନ ତା ମହାନ। ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ କେନ୍ଦ୍ରାପଡ଼ା ଜିଲ୍ଲା ନୟାକୋଟ ଗ୍ରାମର ଓମ ଶିବୁ। ଏସସିବିରେ ବ୍ରେନ ଟିୟୁମରରେ ମୃତ୍ୟୁ ହେବା ପରେ ତାଙ୍କର ଦୁଇ କିଡ୍ନୀକୁ ସ୍ବେଚ୍ଛାକୃତ ଭାବରେ ଦାନ କରିଛନ୍ତି ପରିବାର । ଅନ୍ୟପଟେ ପରିବାରର ବଦାନ୍ୟତାକୁ ସାଧୁବାଦ ଜଣାଇବା ସହ ଓମ ଶିବୁଙ୍କ ମର ଶରୀରକୁ ରାଷ୍ଟ୍ରୀୟ ମାର୍ଯ୍ୟାଦା ସହ ତାଙ୍କ ବାସଭବନକୁ ପଠାଇଛନ୍ତି ଏସସିବି କର୍ତ୍ତୃପକ୍ଷ ।
"ଆଗକୁ ମୋର ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ସରିଲା ପରେ ମେଡିକାଲରେ ମତେ ଆଡ଼ମିଟ କରିବ । ମୁଣ୍ଡ ବିନ୍ଧାକୁ ସହ୍ୟ କରିନେବି। ପରୀକ୍ଷା ସରିଲା ପରେ ଭବିଷ୍ୟତରେ ଏନଆଇଟି ପଢି ଦେଶ ପାଇଁ କିଛି କରିବା ପାଇଁ ମୋର ଇଚ୍ଛା ଅଛି ବାପା" ଏତିକି ଥିଲା ଓମ ଶିବୁଙ୍କ ଶେଷ କଥା । ଏହାପରେ ଅତ୍ୟଧିକ ମୁଣ୍ଡ ବିନ୍ଧା ଯୋଗୁ ଜାନୁଆରୀ ମାସରେ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି ହେଇଥିଲେ ସେ। ଗୋଟିଏ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚିକିତ୍ସା କରାଯିବା ପରେ ତାଙ୍କର ସମସ୍ତ ପରୀକ୍ଷା କରାଯାଇଥିଲା । ଓମ ଶିବୁଙ୍କୁ ବ୍ରେନ ଟିୟୁମର ବୋଲି ଜଣାପଡିବା ପରେ ତାଙ୍କର ନ୍ୟୁରୋ ସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବ୍ରେନଡେଡ୍ ହୋଇଥିଲା ।