ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଛି ୧୦ ପଇସା । ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି । ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ ବା ଓଇଆରସି ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି ।
ବିଦ୍ୟୁତ ଦର ନେଇ ୧୫ ଦିନ ଧରି ଓଇଆରସିଙ୍କ ଶୁଣାଣି ଚାଲିଥିଲା । ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଓଇଆରସି । ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ ବିଲ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ ହୋଇଛି । କିନ୍ତୁ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ । ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟାଗରିରେ ଦର ଅପରିବର୍ତ୍ତିତ ରହିବ । ଓଇଆରସି ସମ୍ପାଦକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି, "ବିପିଏଲ ଉପଭୋକ୍ତଙ୍କୁ ୩୦ ୟୁନିଟ ପିଛା ୮୦ ଟଙ୍କା ଲେଖାଏଁ ଦେବାକୁ ପଡ଼ୁଥିଲା । ସେଥିରେ ୧୦ ଟଙ୍କା ହ୍ରାସ କରାଯାଇଛି । ଅର୍ଥାତ ଏବେ ଉପଭୋକ୍ତାଙ୍କୁ ୮୦ ଟଙ୍କା ବଦଳରେ ୭୦ ଟଙ୍କା ଦେବାକୁ ପଡ଼ିବ । ଏହାଦ୍ବାରା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଉପଭୋକ୍ତା ଉପକୃତ ହେବେ ।"
ଏହା ମଧ୍ୟ ପଢ଼ନ୍ତୁ...ଉପଭୋକ୍ତାଙ୍କୁ ଆଶ୍ବସ୍ତି: ଏଥର ବଢିବନି ବିଜୁଳି ଦର, ନିରବିଚ୍ଛିନ୍ନ ମିଳିବ ସେବା