ଭୁବନେଶ୍ବର:ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣ ଆକାରରେ ପ୍ରାୟ 231 କୋଟି ଟଙ୍କା ଠକେଇ ଅଭିଯୋଗ । ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତଃ କ୍ଷୀରୋଧ ମଲ୍ଲିକଙ୍କ ଏକାଧିକ ଠିକଣାରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । କ୍ଷୀରୋଧଙ୍କ ଦ୍ବାରା ପ୍ରତିଷ୍ଠିତ ବେସରକାରୀ ସଂଗଠନ (NGO) ‘ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ଓ୍ବେଲଫେୟାର (ବିଶ୍ବ) ମାଧ୍ୟମରେ କିଛି ବିଦେଶୀ ଓ ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ମୋଟ 28ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଏହି ଲୋନ ଉଠାଣ ହୋଇଛି ।
- ସମ୍ବଲପୁର ଓ ଦିଲ୍ଲୀରେ ଇଡି ଚଢାଉ:
ଦିଲ୍ଲୀ ସମେତ ସମ୍ବଲପୁରର ୩ଟି ସ୍ଥାନରେ ଥିବା ସଂସ୍ଥାର କାର୍ଯ୍ୟାଳୟ ଓ କ୍ଷୀରୋଧଙ୍କ ଘରେ ଏହି ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ସୂଚନା ଅନୁସାରେ, ବିଶ୍ବ ‘ଏନଜିଓ’ ସଂସ୍ଥା ‘ସ୍ବଂୟ ସହାୟିକା ଗୋଷ୍ଠୀ’ (ଏସଏଚଜି) ଆଳରେ ଏହି ଋଣ ଉଠାଇଛି । ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ର ତିନୋଟି ଟିମ୍ ସମ୍ବଲପୁର ସହରର ଗୋପାଳମାଲ ସ୍ଥିତ ‘ବିଶ୍ୱ-NGO’ର ପୁରୁଣା କାର୍ଯ୍ୟାଳୟ, ଉକ୍ତ ଅଞ୍ଚଳରେ ଥିବା ସଂସ୍ଥାର ଜଣେ ବରିଷ୍ଠ କର୍ମଚାରୀଙ୍କ ବାସଭବନ ଓ ଧନୁପାଲୀ ଅଞ୍ଚଳରେ ଥିବା ସଂସ୍ଥାର ଅଫିସରେ ଏକକାଳୀନ ଚଢାଉ କରିଛି । ସେହିପରି ଏହି ଆର୍ଥିକ କାରବାର ଓ ସଂସ୍ଥାର ପରିଚାଳନା ସହ ସମ୍ପୃକ୍ତ ଥିବା ଦିଲ୍ଲୀର ଏକ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି କେନ୍ଦ୍ରୀୟ ସଂସ୍ଥା ।