ଭୁବନେଶ୍ୱର:ରାଜ୍ୟର 3 ଜଣ ବରିଷ୍ଠ ଆଇପିଏସଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସପି ଭାବେ କାର୍ଯ୍ୟ କରିବେ ଏହି ବରିଷ୍ଠ ଆଇପିଏସ୍ । ସେମାନେ ହେଉଛନ୍ତି ବ୍ରିଜେଶ ରାୟ, ଉମାଶଙ୍କର ଦାସ ଓ ପ୍ରକାଶ ଆର । କଟକର ନୂଆ ଡିସିପି ହୋଇଛନ୍ତି 2008 ବ୍ୟାଚର ପ୍ରକାଶ ଆର । 2009 ବ୍ୟାଚର ଅଫିସର ବ୍ରିଜେଶ ରାୟଙ୍କୁ ରାଉରକେଲା ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି 2008 ବ୍ୟାଚର ଡାକ୍ତର ଉମାଶଙ୍କର ଦାସ ଏସପି ଅନୁଗୋଳ ଭାବେ ଦାୟିତ୍ୱ ସମ୍ଭାଳିବେ ।
ଆଇପିଏସ ଉମାଶଙ୍କର ଦାସ ବର୍ତ୍ତମାନ SIWର ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ସେହି ବ୍ୟାଚର ପ୍ରକାଶ ଆର ଭିଜିଲାନ୍ସର ଡିଆଇଜି ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ବ୍ରିଜେଶ ରାୟ ଗୁଇନ୍ଦା ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ଜାତୀୟ ନିର୍ବାଚନ ଅୟୋଗଙ୍କ ସଚିବ ରାକେଶ କୁମାର ଚିଠି ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେଇଛନ୍ତି । କିଛି ଦିନ ତଳେ ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଥିବା ଅଭିଯୋଗରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପିଙ୍କୁ ନିର୍ବାଚନ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିସନ ।