ଭୁବନେଶ୍ବର: ରାଜଧାନୀର ଓମଫେଡ ଛକରେ କିଲର କାରର କାରନାମା । ଟ୍ରାଫିକ ଚେକିଂ ବେଳେ ପୋଲିସ ଉପରକୁ ଚଢାଇ ଦେଲା କାର । ମଦ୍ୟପ ଡ୍ରାଇଭରର କାରନାମା ନେଇ ଛକରେ ହଙ୍ଗାମା । ଗତକାଲି ବିଳମ୍ବିତ ରାତ୍ରିରେ ଏହିଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ସେହି ସ୍କର୍ପିଓକୁ ଜବତ କରିବା ସହିତ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଥିବା ନେଇ ସୂଚନା ମିଳିଛି ।
ପୋଲିସର ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତର ରାତ୍ରିରେ ଓମଫେଡ ଛକରେ ଚାଲିଥିଲା ନାଇଟ ବ୍ଲକିଂ ଓ ଚେକିଂ । ଆଉ ସେହି ସମୟରେ ଏକ ସ୍କର୍ପିଓ କାର ଯାହାର ନମ୍ବର OD02CH8351ପଟିଆ ପଟୁ ନାଲକୋ ଛକ ଆଡ଼କୁ ଆସୁଥିଲା। ସେତେବେଳେ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ। ହେଲେ ପୋଲିସକୁ ଦେଖି ଅଟକିବା ତ ଦୁରର କଥା ଓଲଟି ପୋଲିସ ବ୍ୟାରିକେଡକୁ ଦୃତ ଗତିରେ ଧକ୍କା ଦେଇ ଚେକିଂ କରୁଥିବା ପୋଲିସ ଉପରକୁ ଗାଡ଼ି ଚଢାଇ ଦେଇଥିଲା ଚାଳକ । ଏନେଇ ଛକ ଉପରେ ଲାଗିଥିବା ବ୍ୟାରିକେଡ଼ ଛିନଛତ୍ର ହୋଇ ପଡ଼ିବା ସହ ଚେକିଂ କରୁଥିବା ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ଗାଡ଼ିକୁ ପୋଲିସ ଅଟକାଇ ଥିଲା । ଗାଡ଼ିର ଡ୍ରାଇଭର ସୋମନାଥ ବେହେରା ସହ ଗାଡିକୁ ଅଟକ ରଖିଛି ପୋଲିସ । ଏନେଇ ଟ୍ରାଫିକ ଥାନା-2 ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଛି ।