ନୂଆପଡା:ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ଗରମ । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉତ୍କଟ ରୂର ନେଇଛି ପାନୀୟ ଜଳ ସମସ୍ୟା । ଟାଇଁ ଟାଇଁ ଖରାରେ ନଦୀ, ନାଳ, ପୋଖରୀ ସୁଖିଲା ପଡିଛି । ଗଭୀର କୂପର ଜଳସ୍ତର ହ୍ରାସ ପାଉଛି । ଫଳରେ ଖଡ଼ିଆଳ ବ୍ଲକ ବଡମୁଲା ଗାଁରେ ବିଶୁଦ୍ଦ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଫଳରେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲେକେ । ପାନୀୟ ଜଳ ପାଇଁ ଗାଁର ମହିଳା ମାନେ 2କିଲୋମିଟର ଦୂରତା ନିକଟସ୍ଥ ନାଳ କୁଯାଇ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଆଉକିଛି ମହିଳା ଗାଁ ନଳକୂପରେ ଲମ୍ବାଧାଡ଼ି ବାନ୍ଧି ପାଣି ସଂଗ୍ରହ କରୁଛନ୍ତି । ଗାଁରେ ପାଣି ସମସ୍ୟା ନେଇ ସରପଞ୍ଚ ଏବଂ ଅନ୍ୟ ଅଧିକାରୀଙ୍କୁ ଜଣାଇତିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
ଡମୁଲା ଗାଁର ଜନସଂଖ୍ୟା 2500 । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ଗାଁକୁ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ହେଲେ ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳ ଯୋଗାଇବାରେ ବିଫଳ ହୋଇଛି ପାନୀୟ ଜଳ ପ୍ରକଳ୍ପ । ଫଳରେ ଦୀର୍ଘ ଏକ ମାସ ହେବ ବଡମୁଲା ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି । ଯାହାଫଳରେ ଗାଁଲୋକେ ପାନୀୟ ଜଳ ସମସ୍ୟାରେ ଜୁଝୁଛନ୍ତି । ଶୋଷ ମେଣ୍ଟାଇବା ପାଇଁ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁଲୋକେ । ଅପରପକ୍ଷେ ଦୀର୍ଘ ଦିନଧରି ଲାଗିରହିଥିବା ଗାଁର ପାଣି ସମସ୍ୟା ପ୍ରତି ଖଡ଼ିଆଳ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ସ୍ଥାନୀୟ ସରପଞ୍ଚ ଙ୍କ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।