ନିମାପଡା (ପୁରୀ):ଜଣେ ନବବଧୂଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ! ବୋହୂ ଜୀବନ ହାରିଥିବା ନେଇ ଶାଶୁଘର ଲୋକେ କହୁଥିବା ବେଳେ ବିବାହର ବର୍ଷେ ନପୁରୁଣୁ ଯୌତୁକ ପାଇଁ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ନବବଧୂଙ୍କ ବାପଘର ଲୋକେ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା ।
- ଯୌତୁକଜନିତ ହତ୍ୟାକାଣ୍ଡ ଅଭିଯୋଗ
ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ମାସରେ ଆଙ୍କୁଅ ଗ୍ରାମର ପ୍ରତାପ ମହାରଣାଙ୍କ ଝିଅ ଦୀପଶିଖା ମହାରଣା କଣ୍ଟାପଡା ସ୍ଥିତ ନବଘନ ଓଝାଙ୍କ ପୁଅ ରାଜେଶଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ହେଲେ ଗତ ଗୁରୁବାର ଦିନ ବୋହୂ ଜୀବନ ହାରିଥିବା ନେଇ ଦୀପଶିଖାଙ୍କ ପରିବାରକୁ ଜଣାଇଥିଲେ ଶାଶୁଘର ଲୋକେ ।
- ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ
ଅନ୍ୟପଟେ ଝିଅକୁ ହତ୍ୟା କରି ତାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଦୀପଶିଖାଙ୍କ ପରିବାର ଲୋକେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଝିଅର ବିବାହ ପରେ କିଛି ମାସ ଖୁସିରେ କଟିଥିବା ବେଳେ ଯୌତୁକ ପାଇଁ ପରିବାର ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି । ଦୀପଶିଖାଙ୍କ ମାମୁଁ ଲକ୍ଷ୍ମୀଧର ଓଝା କହିଛନ୍ତି," ମୋ ଭାଣିଜୀକୁ ଗତ ଫେବ୍ରୁଆରୀ ମାସରେ ବିବାହ ଦେଇଥିଲି । ମାସେ ୨ ମାସ ଭଲରେ ଗଲା । ତାପରେ ସେମାନେ ୨ ଲକ୍ଷ ଟଙ୍କା ମାଗିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆମେ ଟଙ୍କା ଦେଇପାରିନଥିଲୁ । ଦେଖିଲା ବେଳକୁ ଆମ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି ।"