ଭୁବନେଶ୍ବର: ଧଳା ରଙ୍ଗର ଚାଦରକୁ ଧଡିରେ ଅତି ସୂକ୍ଷ୍ମ କାମ । କାରୁକାର୍ଯ୍ୟ ଏମିତି ହୋଇଛି ଯେ ମେସିନ୍ ବୁଣାକୁ ମାତ୍ ଦେଇଦେବ। ସତରେ ଏ କାରିଗରର ପରିଶ୍ରମକୁ ସଲାମ। ଏ ଚାଦର (ଶାଲ୍) ଖଣ୍ଡେ ଦେହରେ ପଡିଗଲେ ଆଉ କଣ ଦରକାର । ହ୍ୟାଣ୍ଡଲୁମ୍କୁ ନିଜ ଫ୍ୟାଶନରେ ସାମିଲ କରିଥିବା ବର୍ତ୍ତମାନର ଯୁବପିଢି ବି ଏ ଚାଦରର ପ୍ରଶଂସା ନକରି ରହି ପାରୁ ନାହାନ୍ତି । ବିଦେଶୀ ଅତିଥିଙ୍କ ପ୍ରଥମ ପସନ୍ଦ ପାଲଟିଛି ଦେଶୀ ଚାଦର । ପ୍ରବାସୀଙ୍କ ମୁହଁରେ କେବଳ ଡଙ୍ଗରିଆ କନ୍ଧଙ୍କ ଶାଲ୍ର ପ୍ରଶଂସା । ପ୍ରତିଦିନ ଡଙ୍ଗରିଆ କନ୍ଧଙ୍କ ଷ୍ଟଲରେ ଭିଡ ଜମାଉଛନ୍ତି ପ୍ରବାସୀ । ଏହି ଷ୍ଟଲରେ ବସି ଆଦିବାସୀ କଳାକୃତିର ପ୍ରଦର୍ଶନ କରୁଛନ୍ତି ଡଙ୍ଗରିଆ କାରିଗର । ପ୍ରବାସୀ ମହାକୁମ୍ଭ ମେଳାରେ ସଭିଏଁ ବ୍ୟସ୍ତ ଥିବାବେଳେ ସେମାନେ କିନ୍ତୁ ଏକାଗ୍ରତାର ସହ ଚାଦର ବୁଣିବାରେ ବ୍ୟସ୍ତ । ସାଙ୍ଗରେ ଆଣିଛନ୍ତି ବିଭିନ୍ନ ରଙ୍ଗବେରଙ୍ଗର ସୂତା । ଆଉ ଆଖି ପଲକ ପକାଇବା କ୍ଷଣି ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଚାଦର ।
ଡଙ୍ଗରିଆ କନ୍ଧଙ୍କ ଚାଦର (ETV Bharat) ଆମେ କହୁଛୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଥିବା ଡଙ୍ଗରିଆ କନ୍ଧଙ୍କ ଷ୍ଟଲ କଥା । ଶାଲ୍ ସହ ମାସ୍କ, ବେଲ୍ଟ, ଉତ୍ତରୀୟ, ମୁଣା ସେମାନେ ପ୍ରସ୍ତୁତ କରି ଆଣିଛନ୍ତି । ଡଙ୍ଗରିଆଙ୍କ ପ୍ରସ୍ତୁତ ବାନ୍ଧକଳା କପଡାଗୁନ୍ଦା ବା ଶାଲ୍ ପ୍ରବାସୀଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ଆମେରିକାରେ ଆୟୋଜନ ହେବାକୁ ଥିବା ପ୍ରଦର୍ଶନୀରେ ସାମିଲ ପାଇଁ ପ୍ରବାସୀ ଭାରତୀୟ ନିମନ୍ତ୍ରଣ କରିଛନ୍ତି । ସାରା ବିଶ୍ଵରେ ଓଡିଶାର ଆଦିବାସୀ ଲୋକକଳା ଏବଂ ହସ୍ତଶିଳ୍ପର ସ୍ବତନ୍ତ୍ର ପରିଚୟ ରହିଛି । ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧଙ୍କ କଳା ନୈପୁଣତାର ନିଚ୍ଛକ ନିଦର୍ଶନ ଦେଖୁଛନ୍ତି ପ୍ରବାସୀ ଭାରତୀୟ । ବିଲୁପ୍ତ ପ୍ରାୟ ଡଙ୍ଗରିଆଙ୍କ ହାତ ତିଆରି ଶାଲ୍ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଛି ।
ଡଙ୍ଗରିଆ କନ୍ଧଙ୍କ ଶାଲ୍ ପ୍ରସ୍ତୁତି (ETV Bharat) ବିଦେଶ ଯିବ ବାପଛେଉଣ୍ଡ ଚୁକୀ ୱାର୍ଡାକା
ପାରମ୍ପରିକ ବେଶଭୂଷା ସହ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଛି ଚୁକୀ ୱାର୍ଡାକା । ବୟସ ପ୍ରାୟ 20 ହେବ । ନିୟମଗିରି ପାହାଡରେ ବସବାସ କରୁଥିବା ଅଦିମ ଅଧିବାସୀ ଡଙ୍ଗରିଆ କନ୍ଧ ପରିବାରର ଝିଅ । ଗାଁ ନାଁ ହେଉଛି ଖଜୁରୀ । ଚାରଟିକୋଣା ସ୍କୁଲରୁ ଦଶମ ପାସ କରିବା ପରେ ଉଚ୍ଚଶିକ୍ଷା ଲାଗି ପ୍ରବଳ ଇଚ୍ଛା ଥିଲା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବାପା ଓ ଭାଇଙ୍କ ମୃତ୍ୟୁ ଯୋଗୁଁ ଚୁକୀଙ୍କ ପାଠ ପଢାରେ ଡୋରି ଲାଗିଲା । ଘରେ ପୁରୁଷ କେହି ନଥିବାରୁ ମା'ଙ୍କ ସହ ପାରମ୍ପରିକ ପୋଡୁ ଚାଷ ଓ ପରିବା ଚାଷ କରୁଥିଲେ ଚୁକୀ । ଏହା ସହ ସେ ପ୍ରସ୍ତୁତ କରୁଥିଲେ ଜେଜେମା' ଓ ମା'ଠୁ ଶିକ୍ଷିଥିବା ପାରମ୍ପରିକ କପଡାଗୁନ୍ଦା ବା ସାଲ । ଚୁକୀ କହିଛନ୍ତି, "ମୁଁ ଜେଜେ ମା', ମା' ଓ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କୁ ଦେଖି ଛୋଟ ବେଳୁ କପଡା ଗୁନ୍ଦା ବୁଣିବା ଶିଖିଛି । ସମ୍ପର୍କୀୟ ବଡ଼ ଭାଇଙ୍କୁ ଦେଖି ମୁଁ ଦଶମ ଯାଏଁ ପାଠ ପଢ଼ିଲି । ଉଚ୍ଚଶିକ୍ଷା ପାଇଁ ଇଚ୍ଛା ଥିଲା । କିନ୍ତୁ ବାପା ଓ ଭାଇଙ୍କ ଦେହାନ୍ତ ପରେ ପାଠ ପଢା ଛାଡ଼ିଲି । ମା'ଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ସହ କପଡା ଗୁନ୍ଦା ବୁଣୁଥିଲି । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାରୁ ତାଲିମ ନେଇଛି । ଭଳିକି ଭଳି ସାମଗ୍ରୀ ପ୍ରସ୍ତୁତ କରିବା ସହ ସିଲେଇ କରିବା ଶିଖିଛି ।"
ଡଙ୍ଗରିଆ କନ୍ଧଙ୍କ ଶାଲ୍ (ETV Bharat) ସେ ଆହୁରି ମଧ୍ୟ କହିଛନ୍ତି, "ହାତ କାମ ସହ ସିଲେଇ ମେସିନ କାମ କରିବା ତାଲିମ ପାଇଛି । ଏଥିପାଇଁ ତାମିଲନାଡୁ ମଧ୍ୟ ଯାଇଛି । କପଡା ଗୁନ୍ଦା ବୁଣିବା ଲାଗି କଟନ ଚାଦରର ସମସ୍ୟା ରହିଛି । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ସରକାରଙ୍କ ପକ୍ଷରୁ ଆମକୁ କଟନ ଯୋଗାଇ ଦିଆଯାଉଛି । ଆମେ ଏହାକୁ ମାସେରୁ ଦୁଇ ମାସ ନେଇ କପଡା ଗୁନ୍ଦା ବୁଣି ଦେଉଛୁ । ବହୁତ ଆଗକୁ ଯିବାକୁ ଇଚ୍ଛା ଅଛି । ମୋ ଅଞ୍ଚଳର ନାଁ ଓ ଆମ କପଡା ଗୁନ୍ଦାକୁ ବିଶ୍ୱ ଦରବାର ଅତି ପରିଚିତ କରିବା ଲାଗି ଆଶା ରଖିଛି । ଦେଶ ବିଦେଶ ଯାଇ ଆମ କାମକୁ ଲୋକଙ୍କୁ ଜଣାଇବୁ ।"
ଚୁକୀଙ୍କ ଭଳି କୁମ୍ରାଡି, ପୁଲମା, ମିଞ୍ଜିଳି ମହିଳା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଛନ୍ତି । ତାଲିମ ନେବା ପରେ ବୁଣା ସାମଗ୍ରୀର ଏମାନେ ବିକ୍ରିବଟା ଦାୟିତ୍ବ ନେଇଛନ୍ତି । ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଓରମାସ, ଟିଡିସିସି ସଂସ୍ଥା ପକ୍ଷରୁ ଏ ନେଇ ପ୍ରୟାସ ଜାରି ରହିଛି ।
ଥରେ ଚାଦର ଯାହା ହାତରେ ପଡେ ତା’ର ହୋଇଯାଏ
ଡଙ୍ଗରିଆଙ୍କ ହାତ ତିଆରି କପଡା ଗୁନ୍ଦା ସାଧାରଣ ବସ୍ତ୍ର ବା ସାଲ ନୁହେଁ। ଏହା ଡଙ୍ଗରିଆ ଯୁବକଯୁବତୀ ବା ଧଙ୍ଗଡା ଧାଙ୍ଗଡିଙ୍କ ପ୍ରେମର ପ୍ରତୀକ । ନିଜ ପ୍ରେମକୁ ପାଇବାକୁ ଏହି ଶାଲ୍ର ଯାଦୁକରୀ କିଛି କମ ନୁହେଁ । ଥରେ ଯାହା ହାତରେ ପଡେ ସେ ତା’ର ହୋଇଯାଏ । ଆଗରୁ ଫୁରସତ ସମୟରେ ଅଭିଆଡିମାନେ ଏକାଠି ହୋଇ ନିଜ ପ୍ରେମିକଙ୍କ ପାଇଁ ଗୀତ ଗାଇ କପଡା ଗୁନ୍ଦା ବୁଣୁଥିଲେ । ହେଲେ ବଦଳୁଥିବା ସମୟରେ ହଜିବାକୁ ବସିଛି କପଡାଗୁନ୍ଦା । ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ କପଡା ଗୁନ୍ଦାକୁ ତିଆରି କରିବାକୁ ମାସ ମାସ ସମୟ ଲାଗିଯାଏ । ବଜାରର ରଙ୍ଗବେରଙ୍ଗ ଜିନିଷ ଆଗରେ ଫିକା ପଡିବାରେ ଲାଗିଛି ପାରମ୍ପରିକ ଶାଲ ବା କପଡାଗୁନ୍ଦାର ଚାହିଦା । ପ୍ରୋତ୍ସାହନ ଓ ବଜାର ଅଭାବରୁ ଏହି କୌଳିକ ବୃତ୍ତି ବୁଡିବାକୁ ବସିଛି ।
ଅଧିକ ପଢନ୍ତୁ ପ୍ରବାସୀ ଭାରତୀୟ ମହାକୁମ୍ଭ ଉଦଯାପନ ସମାରୋହ, 27 ପ୍ରବାସୀଙ୍କୁ ସମ୍ମାନିତ କଲେ ମହାମହିମ
ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି
ଓଡ଼ିଶାକୁ ପ୍ରଶଂସାରେ ପୋତିଲେ ରିକି କେଜ, କହିଲେ 'ସାରା ବିଶ୍ୱ ଏଠାରୁ ଶିଖିବା ଦରକାର'
ଡଙ୍ଗରିଆ କନ୍ଧଙ୍କ ଶାଲ୍ (ETV Bharat) ରଙ୍ଗ ପାଇଁ କଦଳୀ ଓ ଦୀପକଳାର ବ୍ୟବହାର
ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହୁଏ କପଡା ଗୁନ୍ଦା । ରଙ୍ଗର ସ୍ଥାୟୀତ୍ବ ପାଇଁ କଦଳୀ, କେତକୀ ରସ ସହ ବିଭିନ୍ନ ପ୍ରକାରର କଷ ବ୍ୟବହାର କରାଯାଏ । ବାଡିହଳଦୀ, ଦୀପ କଳା, ଝାମ୍ପରା ମଞ୍ଜି, ଟାଙ୍ଗି ଫୁଲ ଓ ବିଭିନ୍ନ ପତ୍ରର ରସକୁ ରଙ୍ଗ ଚଢାଯାଏ । ଏମାନେ ରଙ୍ଗ ପାଇଁ କେବଳ ସବୁଜ, ଲାଲ, ହଳଦିଆ ଓ ମାଟିଆ ରଙ୍ଗରେ ସୂତାଗୁଡିକୁ ସଜେଇଥାନ୍ତି । ପୂର୍ବରୁ କୌଣସି ଶାଲ୍ ତିଆରି ପାଇଁ ପାଖ ହାଟ ବଜାରରୁ ସହଜରେ ଉପଲବ୍ଧ ହେଉଥିଲା ସୂତା । ହେଲେ କାଳକ୍ରମେ ଏହା ଲୋପ ପାଇବା ଯୋଗୁଁ ଅନ୍ୟାନ୍ୟ ଅଞ୍ଚଳ ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ଡଙ୍ଗରିଆଙ୍କ ହାତ ତିଆରି ଲୁଗା ଏବେ କେବଳ ଝିଗିଡି ଗାଁରେ ମିଳୁଛି । ତେଣୁ ଡଙ୍ଗରିଆଙ୍କୁ ଆଦିମ ଜନଜାତିର ପରିଚୟ ଦେଉଥିବା ଏହି ସାଲ ଦିନକୁ ଦିନକୁ ଲୁପ୍ତ ହେବାରେ ଲାଗିଛି । ଡଙ୍ଗରିଆ ସମ୍ପ୍ରଦାୟରେ ବିବାହ ଉତ୍ସବ ହେଉ କିମ୍ବା କୌଣସି ପର୍ବପର୍ବାଣି ସବୁଥିରେ ଲୋଡା ପଡେ ଡଙ୍ଗରିଆ ଯୁବତୀଙ୍କ ହାତ ତିଆରି କପଡା ଗୁନ୍ଦା ବା ଶାଲ୍ । କପଡାଗୁନ୍ଦା ବା ଶାଲ୍ କେବଳ ଡଙ୍ଗରିଆ ଯୁବତୀ ବୁଣାବୁଣି କରନ୍ତି । କପଡାଗୁନ୍ଦାକୁ ଏକ ଧଳା ରଙ୍ଗର କଟନ ଶାଲ୍ ଉପରେ ବିଭିନ୍ନ ପ୍ରାକୃତିକ ରଙ୍ଗରେ ରଙ୍ଗାୟତ ସୁତା ସାହାଯ୍ୟରେ ନିଜ ହାତରେ ବିଭିନ୍ନ ପାରମ୍ପରିର ଚିତ୍ରରେ ତିଆରି କରିଥାନ୍ତି ଏହି ଆଦିମ ଜନଜାତି ସମ୍ପ୍ରଦାୟ । ଏହି ଧଳା କପଡାକୁ ବିଷମକଟକ ବ୍ଲକ ଝିଗିଡି ଗ୍ରାମର କିଛି ବୃଦ୍ଧ ତିଆରି କରୁଥିଲେ । ସେମାନଙ୍କ ଦେହାନ୍ତ ପରେ ଧଳା କପଡା ଅଭାବ ଫଳରେ ଡଙ୍ଗରିଆଙ୍କ କପଡା ଗୁନ୍ଦା ବା ଶାଲ୍ର ଉତ୍ପାଦନ ଧିରେ ଧିରେ ଲୋପ ପାଇବାକୁ ବସିଛି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ଶାଲ୍ର ବେଶ ଚାହିଦା ରହିଛି । କିନ୍ତୁ ଡଙ୍ଗରିଆ କନ୍ଧଙ୍କ ହାତ କପଡା ଗୁନ୍ଦା ଏବେ ବିଲୁପ୍ତ ହେବାକୁ ବସିଛି ।
ଡଙ୍ଗରିଆ କନ୍ଧଙ୍କ ଶାଲ୍ (ETV Bharat) ପାରମ୍ପରିକ ଚାଦରର ନାଁ କପଡାଗୁନ୍ଦା
ଡଙ୍ଗରିଆ କନ୍ଧ କମିଟିର ରିସର୍ଚ୍ଚ ପର୍ସନ ସୂର୍ଯ୍ୟ ନାରାୟଣ ପାଢ଼ୀ କହିଛନ୍ତି, ‘‘ନିୟମଗିରି ପାହାଡରେ ବସବାସ କରୁଥିବା ଅଦିମ ଅଧିବାସୀ ହେଉଛନ୍ତି ଡଙ୍ଗରିଆ କନ୍ଧ । ଭୁବନେଶ୍ୱରରେ ଆୟୋଜିତ ପ୍ରବାସୀ ଭାରତ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଡଙ୍ଗରିଆ କନ୍ଧ ଜନଜାତିର 4 ଜଣ ଭଉଣୀ । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଆଇଟିଡିଏ ଗୁଣୁପୁର ତରଫରୁ ଏଠାକୁ ଆସିଛନ୍ତି । ଡଙ୍ଗରିଆ କନ୍ଧ ଭଉଣୀ ମାନେ ସେମାନଙ୍କର ପାରମ୍ପରିକ ଚାଦର ପ୍ରଦର୍ଶନ କରୁଛନ୍ତି । ଏହି ପାରମ୍ପରିକ ଚାଦରକୁ କପଡା ଗୁନ୍ଦା କୁହାଯାଏ । ସେହି କପଡା ଗୁନ୍ଦାକୁ ସେମାନେ ସିଲେଇ କରନ୍ତି । ସେହିପରି ଅନ୍ୟାନ୍ୟ ପ୍ରକାର ବସ୍ତ୍ର ବିକ୍ରି ବଟା ପାଇଁ ମଧ୍ୟ ସେମାନେ ପ୍ରଦର୍ଶନ କରିଛନ୍ତି ।" ପ୍ରବାସୀ ଭାରତୀୟ କିଛି ଜିନିଷ କିଣିଛନ୍ତି । ଚାଦର ଉପରେ ଚାହିଦା ରହୁଛି । ପିଲାମାନଙ୍କୁ ଆହୁରି ଅଧିକ ତାଲିମ ଆବଶ୍ୟକ ରହିଛି । ସେ ନେଇ ପ୍ରୟାସ ଜାରୀ ରହିଛି । ଏହା ହେଲେ ଚାଦର ବୁଣା ଶୀଘ୍ର ହେବ । ଡିକେଡିଏ, ଓରମାସ, ଟିଡିସିସି ସଂସ୍ଥା ପକ୍ଷରୁ ଏ ନେଇ ପ୍ରୟାସ ଜାରୀ ରହିଛି । ଅଧିକ ବୁଣିଲେ ଅଧିକ ପଇସା ସେମାନେ ପାଇପାରିବେ । ଅଦିମ ଅଧିବାସୀ ଡଙ୍ଗରିଆ କନ୍ଧଙ୍କ ନାଁ ଆଗକୁ ଯାଇପାରିବ’’ ବୋଲି ଆଶା ଥିବା କହିଛନ୍ତି ସୂର୍ଯ୍ୟ ନାରାୟଣ ପାଢୀ ।
ଗୋଟିଏ ଚାଦରର ଦାମ୍ 2 ହଜାର ଟଙ୍କା
ଡଙ୍ଗରିଆ କନ୍ଧଙ୍କ ଶାଲ୍ (ETV Bharat) ସେ ଆହୁରି ମଧ୍ୟ କହିଛନ୍ତି ‘‘ଏହି ପାରମ୍ପରିକ ଚାଦର ବା କପଡା ଗୁନ୍ଦା ଡଙ୍ଗରିଆ କନ୍ଧଙ୍କ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ହୋଇ ରହିଛି । କପଡା ଗୁନ୍ଦା ବୁଣିବା ଲାଗି ସାମଗ୍ରୀ ସଂଗ୍ରହ ଓ ଯୋଗାଣରେ ସମସ୍ୟା ରହୁଛି । କପଡା ଗୁନ୍ଦା ନିଜର ଓ ପରିବାର ପରିଜନ ବସ୍ତ୍ର ଓ ଉପହାର ପାଇଁ ବ୍ୟବହାର ହେଉଥିଲା । ଏହା ଧିରେ ଧିରେ ଲୋକ ଲୋଚନକୁ ଆସିବାରେ ଲାଗିଛି । ବହୁତ ଲୋକ କିଣିବା ଲାଗି ଇଚ୍ଛା ପ୍ରକାଶ କରୁଛନ୍ତି । ଏହା ସିଲେଇ ଦ୍ୱାରା ନୁହେଁ, ହାତରେ ବୁଣିବାକୁ ପଡେ । ଗୋଟେ ଗୋଟେ ଚାଦର ବୁଣିବା ଲାଗି 3 ରୁ 4 ମାସ ସମୟ ଲାଗେ । ଚାଦର ବୁଣିବା ଦ୍ୱାରା ଆଖି ଓ ଅଣ୍ଟାରେ ଚାପ ପଡୁଛି । ଡଙ୍ଗରିଆ ମାନେ ଚାଷ ପରେ ଚାଦର ବୁଣିବାକୁ ପାରମ୍ପରିକ ପେସା ଭାବେ ଗଣତି କରିଛନ୍ତି । ପୋଡୁ, ଫଳ ଓ ପରିବା ଚାଷ ପରେ ସେମାନେ ଏହା କରୁଛନ୍ତି । ଫାଙ୍କା ସମୟରେ ସେମାନେ ଏହି କାମ କରୁଛନ୍ତି । ଗୋଟିଏ ଚାଦର ପିଛା 2 ହଜାର ଟଙ୍କା ମିଳେ । ସାମଗ୍ରୀ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଏ । ଆଇଏଏସ ଗୁହା ପୁନମ ତାପସ କୁମାର ପୂର୍ବରୁ ରାୟଗଡା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ସେତେବେଳେ ସେ ଡଙ୍ଗରିଆ କନ୍ଧ ଓ ସେମାନଙ୍କ ହାତ ତିଆରି କପଡା ଗୁନ୍ଦାକୁ ଲୋକପ୍ରିୟ କରିବା ଦିଗରେ କାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଓରମାସର ଏମଡି ଥିବା ବେଳେ ଡଙ୍ଗରିଆ କନ୍ଧଙ୍କ ତାଲିମ ଲାଗି ପଦକ୍ଷେପ ନେଇଛନ୍ତି’’ ।
ଜିଲ୍ଲାପାଳଙ୍କ ପାଇଁ ମିଳିଲା ଜିଆଇ ଟ୍ୟାଗ୍
ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି, "ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଣ୍ଡା ଶାଲ୍କୁ ମିଳିଛି ଜିଆଇ ଟ୍ୟାଗ । ଜିଲ୍ଲାର ଡଙ୍ଗରିଆ କନ୍ଧ ଜନଜାତି ଗାଁର ମହିଳା ଶାଲ୍ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି । ଶାଲ୍ର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଚାହିଦା ବଢୁଛି । ସେଥିପାଇଁ ସେମାନଙ୍କୁ ତାଲିମ ଦେବା ସହ ଏକ୍ସପୋଜର ଭିଜିଟ ଲାଗି ରାଜ୍ୟ ତଥା ଦେଶ ବହାରକୁ ନେବାକୁ ବ୍ୟବସ୍ଥା ହେଉଛି । ସେ କହିଛନ୍ତି, ‘‘ସେତେବେଳେ ରାୟଗଡାର ଜିଲ୍ଲାପାଳ ଥିବା ବେଳେ ଜିଆଇ ଟ୍ୟାଗ୍ ପାଇଁ 4ରୁ 5 ବର୍ଷ ଲଢେଇ କରିଛୁ । ବର୍ତ୍ତମାନ ଆମେ କପଡାର ଉନ୍ନତି କରଣ ପାଇଁ କାର୍ଯ୍ୟ କରୁଛୁ । କପଡାଗୁନ୍ଦା ପ୍ରସ୍ତୁତ ଲାଗି ଅଲଗା ପ୍ରକାର କପଡା ଦରକାର । ଏବେ ସେହି କପଡା ଆମେ ପ୍ରସ୍ତୁତ କରିବାରେ ଲାଗିଛୁ । କପଡାଗୁନ୍ଦା ତିଆରି କରିବାକୁ ହେଲେ ଧଳା ରଙ୍ଗର କପଡା ଆବଶ୍ୟକ ପଡେ । ବର୍ତ୍ତମାନ ତାହା ଉପଲବ୍ଧ ହେଉନଥିବାରୁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସେହିପରି କପଡାଗୁନ୍ଦା ମାର୍କେଟିଂ ପାଇଁ ଆମର ଗୁରୁ ଦାୟିତ୍ୱ । 6 ବର୍ଷ ପୂର୍ବେ କପଡାଗୁନ୍ଦା 600 ଟଙ୍କା ଥିବାବେଳେ ନୂଆଦିଲ୍ଲୀରେ 2ରୁ 3 ହଜାର ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହାର ଦାମ ଆହୁରି ବଢ଼ିଛି । ସେଥିପାଇଁ ତନ୍ତ ଚଳାଇବା, ଅରଟ ଚଳାଇବା, ଛୁଞ୍ଚିରେ ସିଲେଇ ଓ ସୁତାରେ ଲୁଗା ବୁଣିବା ଭଳି ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି । ସେମାନଙ୍କ କଳା ପରମ୍ପରାକୁ ବଞ୍ଚାଇ ରଖିବା, ନୂଆ ସାମଗ୍ରୀ ପ୍ରସ୍ତୁତ ପାଇଁ ତାଲିମ ଦେଉଛୁ । ’’