ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ନେଇ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନାହିଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା । ଫଳରେ ଶ୍ରୀମନ୍ଦିର ଆସିଥିବା ଦିବ୍ୟାଙ୍ଗ ଭକ୍ତଟିଏ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇ ମନ ଦୁଃଖରେ ଫେରୁଛନ୍ତି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ସାଧାରଣ ଭକ୍ତଙ୍କ ଭଳି ଦିବ୍ୟାଙ୍ଗ ମାନେ ମଧ୍ୟ ମହାପ୍ରଭୁଙ୍କ ଭକ୍ତ । ଏଣୁ ସାଧାରଣ ଲୋକଙ୍କ ଦର୍ଶନ ବ୍ୟବସ୍ଥା ଭଳି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ନେଇ ବିଶେଷ ବ୍ୟବସ୍ଥା ପାଇଁ ଦାବି ହୋଇଛି ।
ତେବେ ଭାରତର ପ୍ରସିଦ୍ଧ ମନ୍ଦିର ଗୁଡିକରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରଵେଶ, ଦର୍ଶନ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ହେଲେ ପୁରୀ ଶ୍ରୀମନ୍ଦିର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହୋଇଥିବା ବେଳେ ଏଠାରେ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରଵେଶ, ଦର୍ଶନ ନେଇ କୌଣସି ବିଶେଷ ବ୍ୟବସ୍ଥା ହୋଇପାରିନି । ଯାହାକି ଅତି ଦୁଃଖ ଦାୟକ ବୋଲି ଆନ୍ଧ୍ରରୁ ଆସିଥିବା ଜଣେ ଦିବ୍ୟାଙ୍ଗ ଭକ୍ତ କହିଛନ୍ତି । ସେହିପରି ଶ୍ରୀମନ୍ଦିର ଭିତରେ ଦିବ୍ୟାଙ୍ଗ ଭକ୍ତ ପାଇଁ କୌଣସି ଲାଇନ ବ୍ୟବସ୍ଥା ନାହିଁ। ଫଳରେ ପ୍ରବଳ ଗହଳି ଯୋଗୁଁ ଦିବ୍ୟାଙ୍ଗ ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହିଁ । ମନ୍ଦିରରେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଅନେକ କିଛି ପଦକ୍ଷେପ ନେଉଥିବା ପ୍ରଚାର କରୁଥିବା ବେଳେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସୁବିଧା ନ ହେବା ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।