ବରଗଡ଼: ବରଗଡ଼ରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରବି ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ମଙ୍ଗଳବାର ସ୍ଥାନୀୟ ଡ଼ିଆରଡ଼ିଏ ସଭାଗୃହରେ ବସିଥିଲା । ସାଧାରଣ ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଉକ୍ତ ବୈଠକରେ ଚାଷୀ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା । ମେ ମାସ 1 ତାରିଖରୁ ମଣ୍ଡି ଖୋଲିବାକୁ ଚାଷୀମାନେ ପ୍ରସ୍ତାବ ଦେଇଥିଲେ ମଧ୍ୟ ପ୍ରଶାସନ 10 ତାରିଖରେ ମଣ୍ଡି ଖୋଲିବା ନିଷ୍ପତ୍ତି ନେଇଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ l
ଏହି ବୈଠକରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆଗାମୀ ମେ ୧୦ ତାରିଖରୁ ରବି ଋତୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି । ଜିଲ୍ଲାର ସମୁଦାୟ ୧୨ଟି ବ୍ଲକ ତଥା ବରଗଡ଼, ଅତାବିରା ଏବଂ ପଦ୍ମପୁର ଆରଏମସିରୁ ସମୁଦାୟ ୧୯୭ଟି ମଣ୍ଡିରେ ୫୨ ଗୋଟି ପି.ଏ.ସି.ଏସ, ୫୦ଟି ମହିଳା ସ୍ୱୟଂ ସହାୟକ ଦଳ ଏବଂ ୧୧୨ ମିଲରେ ଧାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହ କେନ୍ଦ୍ରଗୁଡିକ ସପ୍ତାହରେ ୬ଦିନ ଖୋଲା ରହି ସକାଳ ୬ ଘଟିକାରୁ ଧାନ ସଂଗ୍ରହ କରାଯିବ । ଚାଷୀଙ୍କ ସୁବିଧା ତଥା ଧାନ ସଂଗ୍ରହ ପ୍ରକ୍ରିୟାକୁ ସଫଳତାର ସହିତ ଶେଷ କରିବା ପାଇଁ ୩୪ଟି ଜାଗାରେ ସବ୍ ମାର୍କେଟ୍ ଖୋଲିବା ସହିତ ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ଆର୍ଦ୍ରତା ମିଟର, ତାରପୋଲିନ, ୱେଟବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟ ଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦିର ବ୍ୟବସ୍ତା ମଣ୍ଡିରେ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଆଳୁ ଦର ଆକାଶ ଛୁଆଁ, ହଟହଟା ହେଲେଣି ବ୍ୟବସାୟୀ ଓ ଗ୍ରାହକ - Potato Prices Surge