ବଲାଙ୍ଗୀର:ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଗତ ଜାନୁଆୟାରୀ 3 ତାରିଖ ଉଦଘାଟିତ ହୋଇଯାଇଛି । ଏହି ପ୍ରକଳ୍ପ ଉଦଘାଟନ ପରେ ବଲାଙ୍ଗୀରବାସୀଙ୍କ ସ୍ୱପ୍ନ ସତ ହେଲା ବୋଲି କୁହାଯାଉଛି। ହେଲେ ଏହି ପ୍ରକଳ୍ପ ପାଇଁ ନିଜ ଭିଟାମାଟି ଛାଡି ସର୍ବସ୍ୱ ହରାଇଥିବା ବିସ୍ଥାପିତଙ୍କ କିନ୍ତୁ ଦୁଃଖ ଦୁର୍ଦଶା କିନ୍ତୁ ବଢିଯାଇଛି । ରାସ୍ତା, ବିଦ୍ୟୁତ, ଜଳ ଭଳି ମୌଳିକ ଆବଶ୍ୟକତା ବି ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ନେତା, ଅଧିକାରୀର ତଥା ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି । ସରକାର ପ୍ରତିଶ୍ରୁତି ଦେଇ ପାସୋରି ଗଲେ ବୋଲି କହୁଛନ୍ତି ବିସ୍ଥାପିତମାନେ ।
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ 23 ବର୍ଷ ଧରି ଲାଗି ରହିଥିଲା ବାଦ ବିବାଦ । ପ୍ରକଳ୍ପର ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ବିସ୍ଥାପିତଙ୍କ ସମସ୍ୟା । ତେବେ ଏଥିରେ ବିସ୍ଥାପିତ ହେବାକୁ ଥିବା 29 ଖଣ୍ଡ ଗାଁର ଲୋକେ ଏହାକୁ ପ୍ରଥମରୁ ବିରୋଧ କରି ଆସୁଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଉଚିତ ଥଇଥାନର ପ୍ରତିଶ୍ରୁତି ମିଳିବା ପରେ ଗୋଟିଏ ପରେ ଗୋଟିଏ ଗାଁ ଏଥିରେ ରାଜି ହୋଇଥିଲେ । ଏହାର କାମ ଚାରି ବର୍ଷ ତଳେ ଗତିଶୀଳ ହୋଇଥିଲା । ଏହିକ୍ରମରେ 12 ହଜାରରୁ ଉର୍ଦ୍ଧ୍ୱ ପରିବାର ନିଜ ବର୍ଷ ବର୍ଷର ଭିଟା ମାଟି ଛାଡି ଥିଲେ । ତେବେ ପ୍ରତିଶ୍ରୁତି ଅନୁସାରେ ସେମାନଙ୍କ ଆଶା ଥିଲା ସରକାର ଓ ପ୍ରଶାସନ ସେମାନଙ୍କର ଉଚିତ ଥଇଥାନ କରିବେ । ହେଲେ ଏହି ପ୍ରତିଶ୍ରୁତି ଏବେବି ପ୍ରତିଶ୍ରୁତିରେ ରହିଯାଇଛି । ଥଇଥାନ ତ ଦୂରର କଥା ଅନେକ ବିସ୍ଥାପିତ କ୍ଷତିପୂରଣ ଟଙ୍କା ପାଇନଥିବାର ଅଭିଯୋଗ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ..ଲୋୟର ଶୁକତେଲ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ