ରାୟଗଡ଼ା: ନୂତନ ରେଳ ଡିଭିଜନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାୟଗଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଭାବେ ନିର୍ମାଣ ହେବାକୁ ରେଳ ମଣ୍ଡଳ କାର୍ଯ୍ୟାଳୟର ଶିଳାନ୍ୟାସ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରବନିତ୍ ସିଂ ବିଟୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଏକାଧିକ ସାଂସଦ ଓ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
- ପ୍ରତିଷ୍ଠା ହେବ ରେଳ ମଣ୍ଡଳ ମୁଖ୍ୟାଳୟ
ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ରାୟଗଡା ରେଳ ମଣ୍ଡଳ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଡିଭିଜନର ମୁଖ୍ୟାଳୟ ରାୟଗଡାଠାରେ ହିଁ ରହିବ । ଏକ ଆଧୁନିକ ରେଳବାଇ ମଣ୍ଡଳ କାର୍ଯ୍ୟାଳୟ କୋଠା ପ୍ରାୟ ୧୨ ହଜାର ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ । ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ଦୁଇଟି ଫ୍ଲୋର ରହିବ । ରେଳସେବା କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳର ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଆବାସ ନିର୍ମାଣ କରାଯିବ, ସୁଗମ ଯାତାୟାତ ପାଇଁ ସଡ଼କ ସଂଯୋଗକୁ ବିକଶିତ କରାଯିବ । ରାୟଗଡ଼ା ରେଳ ଡିଭିଜନ ପ୍ରକଳ୍ପ ଅନେକ ଲାଭ ପ୍ରଦାନ କରିବ ବୋଲି ଭାରତୀୟ ରେଳବାଇ ଆଶା ରଖିଛି ।
- ଦକ୍ଷିଣ ଓଡିଶାର ଅର୍ଥନୀତିକୁ ନୂଆ ଦିଶା ଦେବ ନୂଆ ରେଳ ମଣ୍ଡଳ
ବିଶେଷ କରି ଦକ୍ଷିଣ ଓଡିଶାର ଆଦିବାସୀବହୁଳ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ରେଳ ପ୍ରକଳ୍ପ ସହାୟକ ହେବ ବୋଲି କୁହାଯାଉଛି । ଏହା ମଧ୍ୟ ଏହି ଅଞ୍ଚଳରେ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ରାୟଗଡାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏପରି ସାଧୁ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
- ନୂତନ ମଣ୍ଡଳରେ ରହିବ ୮୦ରୁ ଅଧିକ ଛୋଟ ବଡ ଷ୍ଟେସନ
କେବଳ ଏତିକି ନୁହେଁ ରାୟଗଡାରେ ରେଳ ଡିଭିଜନ୍ ପ୍ରତିଷ୍ଠା ହେଲେ 560 କିଲୋମଟର ରେଳପଥ ସହ ପ୍ରାୟ 80ରୁ ଊର୍ଦ୍ଧ୍ବ ଷ୍ଟେସନ୍ ଅନ୍ତର୍ଭୁକ୍ତ ହେବ । ଆଗାମୀ ଦିନରେ ମାଲକାନଗିରୀ-ନବରଙ୍ଗପୁର-ଜୁନାଗଡ ରେଳପଥର ଉନ୍ନତିକରଣ ହେବା ସହ ଗୁଣୁପୁର– ଥେରୁବାଲି ରେଳପଥ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ । ତେବେ କେନ୍ଦ୍ର ସରକାରଙ୍କ ଆନ୍ତରିକତା ପାଇଁ ରାୟଗଡାରେ ରେଳ ଡିଭିଜନ୍ ପ୍ରତିଷ୍ଠା ହୋଇପାରିଛି ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଓଡ଼ିଆ ଘରେ ରହିବେ, ଓଡ଼ିଆ ସଂସ୍କୃତିର ମଜା ନେବେ ପ୍ରବାସୀ ଭାରତୀୟ - PRAVASI BHARATIYA DIVAS ମୈଦାନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD - BJD PROTEST ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବ ବିଜେଡି: ଅରୁଣ ସାହୁ ଚାଷୀ ସମସ୍ୟା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଭେଟିଲା BJD |
- ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅନ୍ୟପଟେ ଆଜିର ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡାରେ ଖୁବଶୀଘ୍ର ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ, ଏଥିପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ସାଂସଦ ଶପ୍ତଗିରି ଶଙ୍କର ଉଲାକା, କଳାହାଣ୍ଡି ସାଂସଦ ମାଳବିକା ଦେଓ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ,କୋରାପୁଟ ଓ ରାୟଗଡା ବିଧାୟକଙ୍କ ସମେତ ବହୁ ବରିଷ୍ଠ ରେଳବାଇ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ରାୟଗଡା