ଭୁବନେଶ୍ବର: ‘ଅତିଥି ଦେବୋ ଭବଃ’ । ଭାରତୀୟ ସଂସ୍କୃତିର ଏହି ମହାନ ବାକ୍ୟକୁ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି କରିସାରିଲାଣି ଓଡିଶା । ଆସୁଛନ୍ତି ବିଶ୍ବବ୍ୟାପୀ ଅତିଥି, ଦେଖିବେ ଓଡ଼ିଶାର ଆତିଥେୟତା । ଓଡ଼ିଆ ଘରେ ରହିବେ, ଓଡିଆଙ୍କ ପାରମ୍ପରିକ ଚଳଣୀକୁ ବେଶ ପାଖରୁ ଦେଖିବେ ପ୍ରବାସୀ ଭାରତୀୟ ଅତିଥି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ହୋଟେଲ, ଲଜ୍ ଓ ସରକାରୀ ଅତିଥିଶାଳା ବ୍ୟତୀତ ଅନ୍ତର୍ଜାତୀୟ ଅତିଥିଙ୍କ ପାଇଁ ସାଧାରଣ ବ୍ୟକ୍ତିବିଶେଷଙ୍କ ଘରେ ହୋମ ଷ୍ଟେ’ର ବ୍ୟବସ୍ଥା କରାଯାଇଛି ।
- ଆଉ ଦିନକ ପରେ କାର୍ଯ୍ୟକ୍ରମ, ପହଞ୍ଚିବା ଆରମ୍ଭ କଲେଣି ଅତିଥି
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’କୁ ଆଉ ମଝିରେ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଏଥିପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରି ସାରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ବର, ପୁରୀ, କଟକ ଭଳି ପର୍ଯ୍ୟଟନବହୁଳ ସହର ଗୁଡିକୁ ବୁଲି ଦେଖିବାର ସୁଯୋଗ ପାଇବେ ପ୍ରବାସୀ ଭାରତୀୟମାନେ । ୩୧ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ଅନ୍ତର୍ଜାତୀୟ ଅତିଥି । ସେମାନଙ୍କୁ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ବୁଝାଇବାକୁ ୩ ଭାଷାରେ ପ୍ରବୀଣ ଗାଇଡମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।
- ହୋମ ଷ୍ଟେ’ ଦେବ ଓଡିଆ ଚଳଣୀର ଅନୁଭବ
କଳାର ଉତ୍କର୍ଷ ସ୍ଥଳ ଉତ୍କଳର ରାଜଧାନୀରେ ଅତିଥିମାନଙ୍କ ପାଇଁ ହୋମ ଷ୍ଟେ‘ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସହ ହୋମ ଷ୍ଟେ’ର ମଜା ନେବେ ପ୍ରବାସୀ ଭାରତୀୟ । ଯେଉଁଠି ଘରୋଇ ଭାବେ ରହିବାର ସୁବିଧା, ପାର୍କିଂ, ରୋଷେଇ ସୁବିଧା ମିଳିପାରିବ । ସେଥିପାଇଁ ପର୍ଯ୍ୟଟନ ବିଭାଗ ସହ ରାଜଧାନୀ ଭୁବନେଶ୍ବରରେ ୨୮୦ଟି ଘର ମାଲିକଙ୍କ ସହ ପଞ୍ଜୀକରଣ ହୋଇଛି । ହୋମ ଷ୍ଟେ’ ମାଲିକ ଓ ଅତିଥିଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ମଧ୍ୟସ୍ଥି ଭୂମିକାରେ କାର୍ଯ୍ୟ କରିବ ।
- ଭୁବନେଶ୍ବର ପୁରୀରେ ଏକାଧିକ କାର୍ଯ୍ୟକ୍ରମ
ପ୍ରବାସୀମାନେ ସେଠାରେ ଡିପୋଜିଟ୍ କରିବେ ଓ ହୋମ ଷ୍ଟେ’ରେ ରହିବେ । ପରିବାର ଭିତରେ ଯେହେତୁ ରହିବେ, ସେମାନେ ଶତ ପ୍ରତିଶତ ସୁରକ୍ଷିତ ରହିବେ । ଏହା ସହ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆଜି ଭୁବନେଶ୍ୱରର ଲଳିତକଳା ଏକାଡେମୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଭୁବନେଶ୍ୱରରେ ‘ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ’ ଏବଂ ଲଳିତକଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଓଡ଼ିଶାର କଳା ସଂସ୍କୃତିର ସମ୍ଭାର ‘ଉତ୍କଳିକା’ ପଦର୍ଶନୀ ଆରମ୍ଭ ହୋଇଛି । ଏଠାରେ ଭରତୀୟ କଳା ସଂସ୍କୃତିର ବିଭିନ୍ନ କୃତିତ୍ୱ ସହ ରାଜ୍ୟର କଳାକୃତି ପଦର୍ଶିତ ହେବ ।
- ରାଜ୍ୟର ବିଭିନ୍ନ ସ୍ଥାନରେ ସିରିଜ କାର୍ଯ୍ୟକ୍ରମ
ସେହିପରି, ପ୍ରବାସୀ ଭାରତୀୟ ଦିବସକୁ ଶୃଙ୍ଖଳିତ ଓ ସରସ ସୁନ୍ଦର କରିବାକୁ ଆମେ ପ୍ରସ୍ତୁତ ହେଉଛୁ ବୋଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ ଜାନୁଆରୀ ୮ ରୁ ୧୦ ଯାଏଁ ଏହା ଆୟୋଜିତ କରୁଛନ୍ତି। ସବୁ ପ୍ରକାର ପ୍ରସ୍ତୁତି ସରିଛି । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନଜରରେ ରଖି ଭୁବନେଶ୍ୱରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚିଲିକା ପକ୍ଷୀ ମହୋତ୍ସବ ଏଥିରୁ ଅନ୍ୟତମ ।
- ଗତକାଲିଠୁ ଆରମ୍ଭ ହୋଇସାରିଛି ଆଦିବାସୀ ମେଳା
ସେହିପରି ଗତକାଲିଠୁ ଆଦିବାସୀ ମେଳା ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ପୁଷ୍ପ ପ୍ରଦର୍ଶନୀ ହେବ । ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ ସବୁ କିଛି ଆୟୋଜନ କରାଯାଉଛି । ଓଡ଼ିଶାର କଳା, ସଂସ୍କୃତି ଐତିହ୍ୟ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର ମୂଳ ଲକ୍ଷ୍ୟ । ବିଭିନ୍ନ ଦେଶରୁ ଆସିଥିବା ବ୍ୟକ୍ତିମାନଙ୍କୁ ଏକ ସୁଖଦ ଅନୁଭୂତି ଦେବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର ।
- ସାମିଲ ହେବେ ୧୮୦ ଦେଶର ଅତିଥି
ଚଳିତବର୍ଷ ୧୮ତମ ପ୍ରବାସୀ ଭାରତୀୟ ଦିବସ ୮ ରୁ ୧୦ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଦେଶର ସର୍ବୋଚ୍ଚ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୪ ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ପଞ୍ଜୀକରଣ କରିସାରିଛନ୍ତି । ୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ୯ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଷ୍ଟ୍ରପତି ମୁର୍ମୁ ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୧୮୦ ଦେଶର ଅତିଥିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
- ଅତିଥିଙ୍କୁ ଭବ୍ୟ ସ୍ବାଗତ ପାଇଁ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ମନମୋହନଙ୍କ ଆହ୍ବାନ
ସେପଟେ ଓଡିଶାରେ ପହଞ୍ଚୁଥିବା ଅତିଥିଙ୍କୁ ଭବ୍ୟତାର ସହ ସ୍ବାଗତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ସମସ୍ତ ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ଵାନ କରିଛନ୍ତି । କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ 7 ଓ 8 ତାରିଖ ରାଜ୍ୟର ସମସ୍ତ ଜିଲ୍ଲାରେ ପଦଯାତ୍ରା କରିବ ଦଳ । 8 ତାରିଖ ସନ୍ଧ୍ୟାରେ ବିମାନବନ୍ଦର ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବ ବିଜେପି । ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ମଧ୍ୟ ଦଳ ପକ୍ଷରୁ ସ୍ବାଗତ କରାଯାଇଛି ବୋଲି ମନମୋହନ କହିଛନ୍ତି ।
- ମୋଦି ସରକାର ସର୍ବଦା ଓଡିଶାକୁ ପ୍ରାଧାନ୍ୟ ଦେଇଆସିଛି: ମନମୋହନ
ପାର୍ଟିର ରାଜ୍ୟ ମୁଖ୍ୟାଳୟରେ ପ୍ରେସମିଟ କରି ମନମୋହନ କହିଛନ୍ତି, ‘‘୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେଉଛି ବିଜେପିର ମୂଳ ଲକ୍ଷ୍ୟ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଓଡିଶାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟି ଏକାକୀ ସରକାର ଗଠନ କରିବା ପରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଗତ ମାସରେ ଓଡିଶାରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଯୋଗଦେଇ ୩ ଦିନ ଓଡିଶାରେ ରହିଥିଲେ । ସେହିପରି ନୈାସେନା ଦିବସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଯୋଗ ଦେଇଥିଲେ । ଏବେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ପାଖାପାଖି ୧୬୦ଟି ଦେଶରୁ ପ୍ରବାସୀ ଭାରତୀୟ ଅତିଥି ଆସିବେ । ଏହାଦ୍ୱାରା ଓଡ଼ିଶାରେ ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ ଓ ପରମ୍ପରାକୁ ବ୍ୟାପକ କରିବାର ସମ୍ଭାବନା ସୃଷ୍ଟି ହୋଇଛି ।’’
ଇଟିଭି ଭାରତ, ଭୁବନେଶ୍ବର