ଭୁବନେଶ୍ବର:ଏନଇଟିରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (NET)ରେ ବିପର୍ଯ୍ୟୟ ପରିଚାଳନା ବିଷୟ ଅନ୍ତର୍ଭୁକ୍ତ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୟୁଜିସି-ନେଟ୍ ବର୍ଷକୁ ଦୁଇ ଥର ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ମୁଖ୍ୟତଃ ଜୁନ ମାସ ଏବଂ ଡିସେମ୍ବର ମାସରେ ପରୀକ୍ଷା ହୋଇଥାଏ । ଗତ ମେ' ମାସ ୧୫ ତାରିଖରେ ଅନୁଷ୍ଠିତ ବୈଠକରେ ବିଶେଷଜ୍ଞମାନେ ୟୁଜିସି-ନେଟରେ ବିପର୍ଯ୍ୟୟ ପରିଚାଳନା ବିଷୟ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ଡିସେମ୍ବର ମାସରୁ ଏହା ଲାଗୁ କରାଯିବ । ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ୟୁଜିସି-ଏନଇଟି ୱେବସାଇଟରେ ଉପଲବ୍ଧ କରାଯାଇଛି । ଅପରପକ୍ଷେ ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ରିଲିଜ କରାଯାଇଛି । ଛାତ୍ରୀଛାତ୍ରମାନେ ୟୁଜିସି ଏନଇଟି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ସୂଚନାଯୋଗ୍ୟ, ୟୁଜିସି-ନେଟ୍ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ଅନ୍ୟପଟେ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ବିଷୟରେ ପାଠ ପଢ଼ାଇବା ନେଇ ଯୋଜନା କରାଯାଇଥିଲା । ବିଶେଷକରି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ୨୦୨୨ -୨୩ ଶିକ୍ଷା ବର୍ଷଠାରୁ ଏ ସଂକ୍ରାନ୍ତରେ ପଢ଼ାଯିବା ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।