ଓଡିଶା

odisha

ETV Bharat / state

ଦୀପ ତଳ ଅନ୍ଧାର ! ବ୍ଲକ କାର୍ଯ୍ୟାଳୟ ନିକଟରେ ଜନନୀ ଯନ୍ତ୍ରଣାର ଦୁଖଃଦ ଚିତ୍ର, ପୋଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି - ROAD PROBLEM IN DIGSIRA VILLAGE

ଗାଁକୁ ନାହିଁ ରାସ୍ତା । ଗ୍ରାମବାସୀଙ୍କ ପାଇଁ ନାଳ ସାଜିଛି କାଳ । ନାଳ ଉପରେ ଲୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଗ୍ରାମବାସୀ ।

ROAD PROBLEM in digsira village
ROAD PROBLEM in digsira village (ETV Bharat Odisha)

By ETV Bharat Odisha Team

Published : Feb 11, 2025, 4:18 PM IST

ବୌଦ୍ଧ: ଏଣେ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗର୍ଭବତୀ ମହିଳା । ହେଲେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ଗାଁ ଭିତରକୁ ଆମ୍ବୁଲାନ୍ସ ପସିବ ବା କେମିତି ? କାରଣ ଗାଁ ଭିତରକୁ ଆସିବା ପାଇଁ ରାସ୍ତା ନାହିଁ । ପାହାଡ଼, ଜଙ୍ଗଲ ଘାଟି ସହ ନାଳ ପାର ହେଲେ ପଡ଼ିବ ରାସ୍ତା । ତେଣୁ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ମାତ୍ର ସାହାରା ପାଲଟିଲା ଖଟିଆ । ପରିବାର ଲୋକେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କୁ ଏକ ଖଟିଆରେ ବୋହି ନାଳ ପାରି କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବୌଦ୍ଧର ହରଭଙ୍ଗା ବ୍ଲକ ଅଞ୍ଚଳରୁ । ଯେଉଁଠି 'ଦୀପ ତଳ ଅନ୍ଧାର' ଉକ୍ତି ଭଳି ବ୍ଲକଠାରୁ ମାତ୍ର ୪ କିମି ଦୂରରେ ଥିବା ଗାଁରେ ବାଟ ହୁଡ଼ିଛି ବିକାଶ । ଗାଁକୁ ଯିବାକୁ ନାହିଁ ପକ୍କା ରାସ୍ତା । ପ୍ରତିବନ୍ଧକ ସାଜିଛି ଲକ୍ଷ୍ମୀ ନାଳ ।

ROAD PROBLEM in digsira village (ETV Bharat Odisha)

ଖଟିଆରେ ବୁହା ହେଲେ ଗର୍ଭବତୀ:

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ଚାରିଛକ ଠାରୁ ମାତ୍ର ୪ କିମି ଦୂରରେ ରହିଛି ଦିଗଶିରା ଗାଁ । ଗତ ଗୁରୁବାର ଦିନ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । କିନ୍ତୁ ଗାଁକୁ ଆସିବା ପାଇଁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଦିଗଶିରାରେ ପହଁଚି ପାରିନଥିଲା । ତେଣୁ ବାଧ୍ୟ ପରିବାର ଲୋକ ଗର୍ଭବତୀ ମହିଳାଙ୍କୁ ଏକ ଖଟିଆ ବୋହି ଲକ୍ଷ୍ମୀ ନାଳ ପାରି କରି ଆମ୍ବୁଲାନ୍ସ ନିକଟର ପହଞ୍ଚାଇଥିଲେ । ପ୍ରଥମେ ଗର୍ଭବତୀ ମହିଳାଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଗାଁକୁ ରାସ୍ତା ନଥିବା ଏଭଳି ସହ ବାରମ୍ବାର ରୋଗୀମାନଙ୍କୁ ଖଟିଆରେ ବୁହା ଓ ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବିକାଶଠୁ ଦୂରରେ ୫ ଗାଁ:

ବୌଦ୍ଧ ଜିଲ୍ଲାର ଏଭଳି ଅନେକ ଦୁର୍ଗମ ଗ୍ରାମ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ବିକାଶର ଆଲୋକ ଠିକରେ ପହଁଚି ପାରିନାହିଁ । ହରଭଙ୍ଗା ବ୍ଲକ ସଦର ପଞ୍ଚାୟତର ପ୍ରାୟ ୫ଟି ଆଦିବାସୀ ଅଧୁଷିତ ଗ୍ରାମ ବର୍ଷ ତମାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାନ୍ତି । ଏସବୁ ଅଞ୍ଚଳରେ ଅଙ୍ଗନବାଡି ଠାରୁ ନେଇ ସ୍ୱାସ୍ଥ୍ୟସେବା ସବୁ କିଛି ଅପହଞ୍ଚ ହୋଇରହିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ବାଣୀଭୂଷଣପୁର ପଞ୍ଚାୟତର ଚାରିଛକ ସଦର ଠାରେ ପ୍ରତିଷ୍ଠା ହୋଇଛି । ତେବେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ଆଦିବାସୀ ଅଧୁଷିତ ଗ୍ରାମ ଗୁଡିକୁ ବିଛିନ୍ନ କରି ରଖିଛି ପାହାଡି ଝରଣା ଲକ୍ଷ୍ମୀ ନାଳ । ବର୍ଷ ତମାମ ଏହି ଲକ୍ଷ୍ମୀ ନାଳରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଝରଣାର ଅପରପାର୍ଶ୍ୱରେ ଥିବା ଘୋଡ଼ାଡ଼ିଆଁ, ଗାଡିମୁଣ୍ଡା, ନୂଆସାହି, ଦିଗଶିରା ଭଳି ଗ୍ରାମ ବିଛିନ୍ନ ହୋଇ ରହିଛି ।

ଏସବୁ ଆଦିବାସୀ ଅଧୁଷିତ ଗ୍ରାମରେ ସ୍କୁଲ, ଅଙ୍ଗନବାଡି, ସ୍ୱାସ୍ଥ୍ୟ କେନ୍ଦ୍ର ଭଳି କୌଣସି ମୌଳିକ ସୁବିଧା ନଥିବା ବେଳେ ସ୍ଥାନୀୟ ଅଧିବାସୀ ରାସନ ଓ ସାମାଜିକ ସୁରକ୍ଷା ଭତ୍ତା ଏପରିକି ଦୈନନ୍ଦିନ ସଉଦା ପାଇଁ ଏହି ପାହାଡି ଝରଣାକୁ ବିପଦପୂର୍ଣ୍ଣ ଭାବେ ପାରି ହୋଇ ଚାରିଛକକୁ ଆସିଥାନ୍ତି । ଗୋଟିଏ ପଟରେ ଲକ୍ଷ୍ମୀ ଝରଣା ଓ ଅନ୍ୟ ପଟରେ ଘଞ୍ଚ ଜଙ୍ଗଲ ଏହି ଆଦିବାସୀ ମୁଲକର ପ୍ରତିବନ୍ଧକ ହୋଇ ରହିଛି । ଗୋଟିଏ ବର୍ଷ ପୂର୍ବରୁ ଦିଗଶିରା ଗ୍ରାମର ୨ ଜଣ ଛାତ୍ରୀ ସ୍କୁଲରୁ ଫେରିବା ସମୟରେ ଅଳ୍ପକେ ବନ୍ୟାରୁ ରକ୍ଷା ପାଇଥିଲେ । ୨ ଦିନ ଅପର ପାର୍ଶ୍ୱ ରେ ଥିବା ଏକ ଗ୍ୟାରେଜରେ ଆଶ୍ରୟ ନେଇ ଉଦ୍ଧାର ହୋଇଥିଲେ । ଉକ୍ତ ୨ ଛାତ୍ରୀଙ୍କ ସାଇକେଲ ମଧ୍ୟ ବନ୍ୟା ପାଣିରେ ଭାସି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ..

ସମସ୍ୟାରେ ଜର୍ଜରିତ ମହାଲିକପଡା: ପହଞ୍ଚିପାରୁନି ବିକାଶ ଗାଡି, ଅଭିଶପ୍ତ ଜୀବନ ଜୀଉଁଛନ୍ତି ଲୋକେ

ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା

ପୋଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି:

ଏନେଇ ଦିଗଶିରା ଗ୍ରାମର ଜଣେ ବରିଷ୍ଠ ନାଗରିକ କହିଛନ୍ତି, "ନାଳ ଆମ ପାଇଁ କାଳ ହୋଇ ରହିଛି । ରାସ୍ତା ନଥିବାରୁ ପିଲାମାନେ ପାଠ ପଢ଼ିବାକୁ ଯାଇ ପାରୁନାହାନ୍ତି । ଆମେ ବହୁତ କଷ୍ଟରେ ଚଳୁଛୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆମ ଆଦିବାସୀ ଲୋକ । ହେଲେ ଆମକୁ ଦୃଷ୍ଟି ଦେଉ ନାହାନ୍ତି । ଆମ ଅଞ୍ଚଳରେ ବ୍ରିଜ୍‌ଟିଏ ନିର୍ମାଣ କରିଦେଲେ ଆମେ ଉପକୃତ ହେବୁ ।"

ସେହିପରି ସ୍ଥାନୀୟ ୱାର୍ଡ ମେମ୍ବର କହିଛନ୍ତି, "ଗାଁରେ ବହୁତ ଅସୁବିଧାର ସମ୍ମୁଖିନ ହେଉଛୁ । ରୋଗୀମାନଙ୍କୁ ଆମେ ଖଟିଆରେ ବୋହିକି ନେଉଛୁ । ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ସେମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ପିଲାମାନେ ପାଠ ପଢ଼ିବାକୁ ଯିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ, ଆମ ଗ୍ରାମରେ ଏକ ପୋଲ ନିର୍ମାଣ କରାଗଲେ ଆମେ ଉପକୃତ ହେବୁ ।"

ତେବେ ଏହି ଅଞ୍ଚଳର ଦୁଃଖ ଜଣାଇବାକୁ ଦିଗଶିରା ଗ୍ରାମର ଅଧିବାସୀ ଗତକାଲି (ସୋମବାର) ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟିବା ସହ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details