କଟକ/ଭବାନୀପାଟଣା: ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳକୁ ଗିରଫ କଲା ଭିଜିଲାନ୍ସ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ । ରାଜ୍ୟ ଭିଜିଲାନ୍ସ ହେଡ କ୍ବାଟରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଇନଚାର୍ଜ ଏସପି ରବୀନ୍ଦ୍ର କୁମାର ପଣ୍ଡା । ସେହିପରି ଗର୍ଭବତୀଙ୍କୁ ଲାଞ୍ଚ ମାଗି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଅଶୋକ ଦାସଙ୍କୁ ଜେଲ ପଠାଇଛି ଭିଜିଲାନ୍ସ ।
କୋଟିପତି ଉପଜିଲ୍ଲାପାଳ:
ଇନଚାର୍ଜ ଏସପି ରବୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ପରେ କାମାକ୍ଷା ନଗର ଉପ ଜିଲ୍ଲାପାଳଙ୍କ ଭୁବନେଶ୍ବରରେ ଥିବା ତିନି ମହଲା ବିଶିଷ୍ଟ ଅଟ୍ଟାଳିକା, ଭଦ୍ରକରେ 3 ମହଲା କୋଠା, ଭଦ୍ରକରେ ନିର୍ମାଣଧିନ 2 ମହଲା କୋଠା, 37.5 ଲକ୍ଷ ଟଙ୍କାର ଡିପୋଜିଟ ୩୬୬ ଗ୍ରାମର ସୁନା ଜବତ କରିଛି ଭିଜିଲାନ୍ସ । ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ନିଜ ଆୟ ଠାରୁ 130 ପ୍ରତିଶତ ସମ୍ପତ୍ତି ଆୟବର୍ହିଭୂତ କରିଥିବା ଭିଜିଲାନ୍ସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଘଟଣାରେ ଉଭୟ ଜିଲ୍ଲାପାଳଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ସେଲ କେସ ନଂ- 13 Dt 19, 11-2024ରେ ନାରାୟଣ ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜୁ ହୋଇଛି ।
ପ୍ରସୂତିଙ୍କ ଠାରୁ ଲାଞ୍ଚ ନେଇ ଡାକ୍ତର ଗିରଫ:
ଗତକାଲି ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଅଶୋକଦାସ । ଏହାକୁ ନେଇ ଭିଜିଲାନ୍ସ ବିଭାଗ ଏସପି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ।
କୋରାପୁଟ ଡିଭିଜନ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀକହିଛନ୍ତି, ‘ଅଭିଯୋଗକାରୀ ହେଉଛନ୍ତି ସଦର ଥାନା ଅଞ୍ଚଳର । ସେ ଆମ ପାଖରେ ଅଭିଯୋଗ କଲେ, ଗତ 16 ତାରିଖରେ ତାଙ୍କ ପୁତୁରା ବୋହୂର ପ୍ରସବ ପାଇଁ ଡାକ୍ତରଖାନାରେ ଆଡମିସନ କଲେ । ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଅଶୋକ ଦାସ, ତାଙ୍କୁ କହିଥିଲେ ବୋହୂର ନର୍ମାଲ ଡେଲିଭରି ହୋଇପାରିବନି । ତେଣୁ ସିଜରିଆନ କରିବାକୁ ପଡିବ । ତେଣୁ 7 ହଜାର ଟଙ୍କା ଦେଲେ କରାଇବେ ନହେଲେ ବାହାର କରିବାକୁ ପଡିବ । ପରେ ସେ ପୁଣି ଥରେ ଯାଇ ଅନୁରୋଧ କରିଥିଲେ ଟଙ୍କା କମ୍ କରିବାକୁ । ସେ 6 ହଜାର ଟଙ୍କା କହିଲେ । ଏନେଇ ସେ ଆସି ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଟଙ୍କା ମାଗିବା ନେଇ ରେକଡିଂ କରି ରଖିଥିଲେ ସେ ଆମକୁ ଶୁଣାଇଥିଲେ । ଏହା ଆମେ ଶୁଣିବା ପରେ କେସ ରୁଜୁ କଲୁ । 23 ନମ୍ବର କେସ ରୁଜୁ ହେଲା । ଟିମ ଗଠନ ହେଲା । ଆମେ ଅଭିଯୋଗକାରୀଙ୍କୁ ରଙ୍ଗବୋଳା ଟଙ୍କା ଦେଇ ପଠାଇଥିଲୁ । ସାକ୍ଷୀ ମଧ୍ୟ ପାଖରେ ଥିଲେ । ଆମେ ଚଢାଉ କଲୁ ରଙ୍ଗବୋଳା ଟଙ୍କା ଜବତ କଲୁ । ଏହା ସହିତ ତାଙ୍କ ସରକାରୀ କ୍ବାଟରର ୯୬ ହଜାର ଟଙ୍କା ଜବତ କରାଯାଇଛି । ତଦନ୍ତ ଚାଲିଛି । ସବିଶେଷ ତଥ୍ୟ ଆସିବା ପରେ ଦେବୁ । ’