ଢେଙ୍କାନାଳ: ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା । ମଙ୍ଗଳବାର ଠାରୁ ୨ ଦିନ ଧରି ଧୁମଧାମରେ ପାଳନ କରିବେ ମହିମା ସାଧୁ । ଏଥିପାଇଁ ସଜେଇ ହୋଇଛି ମହିମା ଧର୍ମର ମୁଖ୍ୟପୀଠ ତଥା ଢ଼େଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦି । ଦେଶର ବିଭିନ୍ନ ପ୍ରାନ୍ତରୁ ମହିମା ସନ୍ୟାସୀ ଓ ଶ୍ରଦ୍ଧାଳୁମାନଙ୍କ ଆଗମନ ସାଙ୍ଗକୁ ପ୍ରସ୍ତୁତି ହୋଇଛି ଏହି ଗାଦିପୀଠ । ତେବେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପୂର୍ବବର୍ଷ ଅପେକ୍ଷା ଜନସମାଗମ ଯଥେଷ୍ଟ ଅଧିକ ହେବେ ବୋଲି ଆଶା ରହିଛି ।
ମଙ୍ଗଳବାରଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା:
ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟରେ ଧୁମଧାମରେ ଏଠାରେ ପାଳନ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଢ଼େଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ଏହି ମହିମା ଗାଦିରେ ମହିମା ସାଧୁଙ୍କର ୧୫୩ତମ ବାର୍ଷିକ ଉତ୍ସବ 'ଯୋରନ୍ଦା ମାଘ ମେଳା' ପାଳନ ହେବାକୁ ଯାଉଛି । ମଙ୍ଗଳବାର ଠାରୁ ୨ ଦିନ ଧରି ଚାଲିବ ଏହି ମେଳା ।
ମହିମା ସାଧୁମାନଙ୍କ ଆଗମନ:
ଯୋରନ୍ଦା ଗାଦିକୁ ଦେଶର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁମାନଙ୍କର ଆଗମନ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଛତିଶଗଡ଼, ମଧ୍ୟପ୍ରଦେଶ, ଆସାମ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ଅଞ୍ଚଳରୁ ମହିମା ସାଧୁମାନେ ପ୍ରତିବର୍ଷ ଏଠାକୁ ଆସିଥାନ୍ତି । ଏଥିପାଇଁ ମୁଖ୍ୟ ଗାଦି ମନ୍ଦିର, ଛତିଶ ହାତିଆ ମନ୍ଦିର, ଅଖଣ୍ଡ ବତୀ ମନ୍ଦିର, ଧୂନି ମନ୍ଦିର ଆଦି ନୂଆ ରଙ୍ଗରେ ରଙ୍ଗେଇ ହୋଇଛି ।
କଣ ରହିଛି ମହିମା ପରମ୍ପରା:
ମହିମା ପରମ୍ପରା ମୁତାବକ ମାଘ ଶୁକ୍ଲପକ୍ଷ ଚତୁଦର୍ଶୀ ତିଥିରୁ ଅର୍ଥାତ ମଙ୍ଗଳବାର ଠାରୁ ୨ ଦିନ ବ୍ୟାପି ଏହି ମେଳାକୁ ମହିମା ସାଧୁ ପାଳନ କରିବେ । ମାତ୍ର ସ୍ଥାନୀୟ ଲୋକେ ଏହାକୁ ୩ଦିନ ଧରି ବେଶ ଧୁମଧାମରେ ପାଳିବେ । ୧୧ ତାରିଖ ଅଧିବାସ ତଥା ଦେଶ ପୂର୍ଣ୍ଣିମା ଓ ୧୨ତାରିଖକୁ ଗୁରୁପୂର୍ଣ୍ଣିମା ଉତ୍ସବ ଭାବେ ମହିମା ସାଧୁମାନେ ପାଳନ କରି ମେଳା ଉଦଯାପିତ କରିବେ । ମହିମା ସମାଜର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସକହିଛନ୍ତି,"ରୀତିନୀତି ମୁତାବକ ୧୧ ତାରିଖ ପ୍ରାତଃ ସମୟରୁ ମହିମା ପ୍ରଭୁଙ୍କର ନୀତିକାନ୍ତି କରାଯାଇ ସଂନ୍ଧ୍ୟା ୫ଟାରେ ମୁଖ୍ୟ ଗାଦୀ ମନ୍ଦିର ଚତୁଃପାର୍ଶ୍ଵରେ ଝାଡଦୀପ ପ୍ରଜ୍ୱଳନ କରାଯିବ ।"
ଲକ୍ଷ ଲକ୍ଷ ସାଧୁସନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ଆଶା:
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳାରେ ଲକ୍ଷ ଲକ୍ଷ ସଂଖ୍ୟାରେ ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରି ଉଠିବ ମହିମା ଗାଦୀ । ପ୍ରବୁଧ ଗୁରୁ ଶୂନ୍ୟଦେହୀ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଅଖଣ୍ଡ ବତୀ ଓ ଝାଡ଼ ଦୀପ ପ୍ରଜ୍ବଳନ କରି ମହଣ ମହଣ ଘୃତାହୂତି କରି ଜଗତର କଲ୍ୟାଣ ମନାସିବେ ମହିମା ସାଧୁ ।