ଓଡିଶା

odisha

ଜେଲରେ କ୍ରିମିନାଲ ଓ୍ବାର ଘଟଣା, ଝାରପଡ଼ା ଜେଲରେ ଡିଜି ଓ ଆଇଜିଙ୍କ ତଦନ୍ତ - Jharpada Jail fight

By ETV Bharat Odisha Team

Published : Mar 23, 2024, 7:17 AM IST

DG and IG visits Jharpada Jail: ଝାରପଡା ଜେଲରେ କ୍ରିମିନାଲ ଓ୍ୱାର ପରେ ଜେଲ ପରିଦର୍ଶନ କଲେ ଡିଜି ଅମ୍ରିତ ମୋହନ ପ୍ରସାଦ ଓ ଆଇଜି ଅମିତାଭ ଠାକୁର । ଅନ୍ୟପଟେ ଝାରପଡା ଜେଲରେ ଥିବା 20 ହାର୍ଡକୋର ଅପରାଧି ଆଉ ଏକ ଜେଲକୁ ହୋଇପାରନ୍ତି ସ୍ଥାନାନ୍ତର । ଅଧିକ ପଢନ୍ତୁ

DG and IG visits Jharpada Jail
DG and IG visits Jharpada Jail

ଭୁବନେଶ୍ୱର:ବଢୁଛି ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ଟେନସନ । ସ୍ଥିତି ପରଖିବାକୁ ଝାରପଡା ଜେଲ ପରିଦର୍ଶନ କଲେ ଡିଜି ଓ ଆଇଜି । ଜେଲ ଭିତରକୁ ପ୍ରବେଶ ହେଉଥିବା ସାମଗ୍ରୀକୁ ନେଇ ଜେଲ ଓ୍ବାର୍ଡର, ଜେଲର, ସୁପରିଟେଣ୍ଡଙ୍କ ସମେତ ସଭିଙ୍କୁ କଡ଼ା ତାଗିଦ କରିଛନ୍ତି । ଆଉମଧ୍ୟ ଝାରପଡା ଜେଲରୁ 20 ଜଣ ଅପରାଧି ଅନ୍ୟତ୍ର ସ୍ଥାନାନ୍ତର ହେବେ । ଏନେଇ ଲିଷ୍ଟ ପ୍ରସ୍ତୁତ କରାଯାଇ କୋର୍ଟକୁ ଜଣାଯାଇଥିବା ସୂଚନା ରହିଛି ।

ଝାରପଡା ଜେଲରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହାମଧ୍ୟରେ ଶୁକ୍ରବାର ଦିନ‌ ପ୍ରାୟ ୧୨ଟା ସମୟରେ ଜେଲ ଡିଜି ଅମ୍ରିତ ମୋହନ ପ୍ରସାଦ ଓ ଆଇଜି ଅମିତାଭ ଠାକୁର ମିଳିତ ଭାବେ ଝାରପଡା ଜେଲ ପରିଦର୍ଶନ କରିଛନ୍ତି । ଜେଲରେ ପହଞ୍ଚିବା ପରେ ସମସ୍ତ ଓ୍ବାର୍ଡ ଓ ସେଲ ବୁଲି ଦେଖିଥିଲେ । ଏଥିସହ ଗୋଷ୍ଠୀ ସଂଘର୍ଷ କରିଥିବା ଅପରାଧିମାନଙ୍କ ସମ୍ପର୍କରେ ମଧ୍ୟ ବୁଝିଥିଲେ ।

ଆଉ ମଧ୍ୟ କିପରି ଜେଲ ଭିତରକୁ ଗଞ୍ଜେଇ, ବିଡ଼ି ଭଳି ସାମଗ୍ରୀ ଆସୁଛି ଓ ତାର ଗଳା ବାଟ କଣ ରହିଛି, କିଏ ଏହାକୁ ସମର୍ଥନ କରୁଛନ୍ତି, କ୍ୟାମେରା କେଉଁ କେଉଁ ଆଡ଼କୁ ରହିଛି । ସିସିଟିଭି ସର୍ଭିଲାନ୍ସ କେତେ ପର୍ଯ୍ୟନ୍ତ ରହିଛି ସେନେଇ ତର୍ଜମା କରିଥିଲେ । ପାଚେରି ଉପରେ ପାର୍ସଲ କରାଯାଉଥିବା ନେଇ ଯେଉଁ ଅଭିଯୋଗ ଆସୁଛି ତାହାର ମଧ୍ୟ ଯାଞ୍ଚ କରିଥିଲେ । ତେବେ ଓ୍ବାଚ ଟାଓ୍ବାରରେ କିଭଳି ନଜର ରଖାଯାଉଛି ଓ ଭିତରେ ପାଟ୍ରୋଲିଂ କିପରି ହେଉଛି ସେନେଇ ମଧ୍ୟ ବୁଝିଥିଲେ ।

ଏହାମଧ୍ୟ ପଢନ୍ତୁ..ଜେଲ ଭିତରେ ଭାଙ୍ଗିବ ଅପରାଧିଙ୍କ ଗୋଷ୍ଠୀ, ଝାରପଡ଼ା ଜେଲରେ ପୋଲିସର ରେଡ

ଅନ୍ୟପଟେ ପରିଦର୍ଶନ ପୂର୍ବରୁ ଜେଲର ଓ ସୁପରିଟେଣ୍ଡଙ୍କ ସହ ଭିସି ଯୋଗେ ବୈଠକ କରିଥିଲେ‌ ଡିଆଇଜି । ଆଗକୁ ନିର୍ବାଚନ ଥିବାରୁ ଅଧିକ ସଂଖ୍ୟକ ଅପରାଧି ଜେଲକୁ ଆସୁଥିବାରୁ ବର୍ତ୍ତମାନ ଜେଲରେ ଅପରାଧିମାନଙ୍କ ସଂଖ୍ୟା ଅଧିକ ରହିଛି । ହାର୍ଡକୋର ଅପରାଧିମାନେ ମଧ୍ୟ ଜେଲରେ ରହିଥିବାରୁ ଜେଲ ଭିତରେ ଗୋଷ୍ଠୀ ଗଠନ ହେବାର ସମ୍ଭାବନା ରହିଛି । ଯେଉଁ ବଡ ବଡ ଅପରାଧିମାନେ ଏକାଠି ହୋଇ ଗୋଷ୍ଠୀ ଗଠନ କରିବାର ଆଶଙ୍କା ରହିଛି ସେମାନଙ୍କ ଉପରେ କଡା ନଜର ରଖିବାକୁ ଜେଲରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଆଇଜି । ଜେଲ ଭିତରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ସିନିୟର ଅଫିସରମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

ଆଉମଧ୍ୟ କିଛି ପୁରୁଣା ଦାଗି ବା ହାର୍ଡକୋର କ୍ରିମିନାଲଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବ ଆବଶ୍ୟକତା ରହିଥିବାରୁ ସେନେଇ ଏକ ଲିଷ୍ଟ ପ୍ରସ୍ତୁତ କରି ତୁରନ୍ତ ଜଣାଇବାକୁ କୁହାଯାଇଛି । ଅନ୍ୟପଟେ ନିୟମିତ ବ୍ୟବଧାନରେ ଚେକିଂ ପାଇଁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ୨୦ରୁ ଉର୍ଦ୍ଧ ଅପରାଧିଙ୍କ ଲିଷ୍ଟ ପ୍ରସ୍ତୁତ କରି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୋର୍ଟଙ୍କୁ ଜଣାଯାଇଛି ।

ସୂଚନାଯୋଗ୍ୟ, ଗତ ୧୮ତାରିଖରେ ଝାରପଡ଼ା ଜେଲରେ ହୋଇଥିଲା କ୍ରିମିନାଲ ଓ୍ବାର । ଜେଲ ଭିତରେ ଶମ୍ଭୁ ବାରିକ ନାମକ ଜଣେ ଗଞ୍ଜେଇ ମାଫିଆକୁ ଆକ୍ରମଣ କରିଥିଲେ ଏନକାଉଣ୍ଟର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧି ଚକରା ବାରିକ ଓ ତାର କିଛି ସହଯୋଗୀ । ଏହି ଆକ୍ରମଣରେ ଶମ୍ଭୁ ବାରିକ ଗୁରୁତର ଆହତ ହୋଇଥିଲା । ଏନେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା । ପରେ ପୋଲିସ ଜେଲରେ‌ ରେଡ୍ ମଧ୍ୟ କରିଥିଲା କିଛି ମାଦକ ଦ୍ରବ୍ୟ ଜବତ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details