ଭୁବନେଶ୍ବର: ବିଜେପି ଏସଟି ମୋର୍ଚ୍ଚା ତରଫରୁ ଆଜି ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଦିବାସୀଙ୍କ ହିତ ପାଇଁ ଦଳ ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
ଆଦିବାସୀ ମୋର୍ଚ୍ଚାକୁ ମୁଖ୍ୟମନ୍ତ୍ରୀଙ୍କ ଟ୍ୟାସ୍କ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ସମାଜରେ ହରିଜନ ଓ ଆଦିବାସୀମାନେ ପଛୁଆ ବର୍ଗରେ ଅଛନ୍ତି । ଏଣୁ ବିଜେପି ଆଦିବାସୀ ମୋର୍ଚ୍ଚାକୁ ମିଶନ ମୋଡରେ କାମ କରିବାକୁ ପଡ଼ିବ । ରାଜ୍ୟରେ ଥିବା ୩୩ ଟି ST ବିଧାନସଭା ଆସନ ଏବଂ ୫ ଟି ସାଂସଦ ଆସନରେ ଜିତିବାକୁ ହେବ । ଆଦିବାସୀ ମୋର୍ଚ୍ଚାର ଦାବିରେ ମୋହନ ମାଝୀ ମଧ୍ୟ ଜଣେ ସଦସ୍ୟ ଥିବେ । ସେ ଦାବିକୁ ସରକାର ବିଚାର କରିବେ।"
ପେଶା ଆଇନ ଲାଗୁ ହେବ:
ବିଜେପି ଏସଟି ମୋର୍ଚ୍ଚା ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ରବି ନାଏକ ପେଶା ଆଇନ ଲାଗୁ ନେଇ ସୂଚନା ଦେଇଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, "ଖୁବଶୀଘ୍ର ପେଶା ଆଇନ ଲାଗୁ କରିବେ ବିଜେପି ସରକାର । ଆଦିବାସୀଙ୍କ ବିକାଶ ପାଇଁ ସମର୍ପିତ ବିଜେପି ସରକାର । ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟର କରାଯିବ । ଯେଉଁଠି ବ୍ୟକ୍ତି ଏବଂ ପରିବାର ବିକାଶ ପାଇଁ ଯୋଜନା ହେବ ଯୋଜନାକୁ କ୍ଲଷ୍ଟର ଅନୁସାରେ କାର୍ଯ୍ୟକାରୀ କରାଯିବ ।"