ପୁରୀ:2024 ରଥଯାତ୍ରା ଶେଷ ହେଇଛି । ଚଳିତ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟକୁ ନେଇ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କ ମନୋଭାବକୁ କଡ଼ା ସମାଲୋଚନା କରାଯାଇଛି । ରଥଯାତ୍ରାରେ ନୀତି ବିଭ୍ରାଟ, ରଥ ଟଣାରେ ଅବ୍ୟବସ୍ଥା, ଦଳାଚକଟାରେ ଭକ୍ତଙ୍କ ମୃତ୍ୟୁ, ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ଚାରମାଳ ଉପରୁ ଖସିଯିବା, ଆଡ଼ପ ମଣ୍ଡପରେ ନୀତିରେ ବ୍ୟାପକ ବିଳମ୍ବ, ଟ୍ରାଫିକ ପରିଚାଳନାରେ ବ୍ୟାପକ ତ୍ରୁଟି ଭଳି ଅନେକ ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରାଯାଇଛି । ଏହି ସବୁ ବିଭ୍ରାଟ ଘଟଣାରେ ରାଜ୍ୟ ସରକାର ସ୍ଵତନ୍ତ୍ର ଭାବେ ତଦନ୍ତ କରି ଏହି ବିଭ୍ରାଟ ପଛରେ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସେବାୟତ, ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି । ସରକାର ଯଦି ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବେ ଆଗାମୀ ଦିନରେ ଆହୁରି ଅନେକ ବିଭ୍ରାଟ ଘଟିବ ବୋଲି ସେବାୟତ ଓ ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି ।
'ରଥ ଉପରେ ମୋବାଇଲ ବ୍ୟବହାର, ପହଣ୍ଡିରେ ରହୁନାହିଁ ସେବାୟତଙ୍କ ମନ'
ପୁରୀର ବୁଦ୍ଧିଜୀବୀ ସୂର୍ଯ୍ୟ ରଥ କହିଛନ୍ତି, "ଚଳିତ ରଥଯାତ୍ରା ନୀତିରେ ବିଭ୍ରାଟ, ପ୍ରଭୁ ବଳଭଦ୍ର ରଥ ଚାରମାଳରୁ ପଡ଼ିଯିବା ଘଟଣା ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଶ୍ରୀମନ୍ଦିରର କିଛି ମୁଷ୍ଟିମେୟ ସେବାୟତ ଓ ରାଜ୍ୟ ସରକାର ମିଶି ଶ୍ରୀମନ୍ଦିରକୁ ଏକ ବ୍ୟବସାୟ କେନ୍ଦ୍ରରେ ପରିଣତ କରିଦେଇଛନ୍ତି । ମହାପ୍ରଭୁଙ୍କ ନୀତି ସଠିକ ସମୟରେ କରାଯାଉନାହିଁ । ବାହୁଡ଼ା ଦିନ ପହଣ୍ଡି ନୀତି ଶୀଘ୍ର ହୋଇଥିବା ବେଳେ 3 ରଥକୁ ସଠିକ ସମୟରେ ସିଂହଦ୍ବାରରେ ଲଗାଯାଇପାରିଲା ନାହିଁ । ସନ୍ଧ୍ୟା ପରେ ରଥ ଟାଣିବା ନିଷିଦ୍ଧ ଥିବା ବେଳେ ପରମ୍ପରା ଉଲ୍ଲଙ୍ଘନ କରାଯାଇଛି । ରାତି 10ଟାରେ ରଥ ଟଣାଯାଇ ସିଂହଦ୍ବାରରେ ଲଗାଯାଇ ସମସ୍ତ ପରମ୍ପରାକୁ ଉଲ୍ଲଙ୍ଘନ କରାଯାଇଛି । ପ୍ରଭୁ ବଳଭଦ୍ର ରଥ ଚାରମାଳରୁ ଖସିଯିବା ଘଟଣା ଦୁଃଖଦାୟକ ହୋଇଥିବା ବେଳେ ପହଣ୍ଡି ଦାୟିତ୍ବରେ ଥିବା ସେବାୟତଙ୍କ ନିଷ୍ଠା ନଥିଲା । ରଥ ଉପରେ ମୋବାଇଲ ବ୍ୟବହାର ଦ୍ଵାରା ପହଣ୍ଡିରେ ସେବାୟତଙ୍କ ମନ ରହୁନାହିଁ ।"
'ଭିଭିଆଇପିଙ୍କ ସେବାରେ ରହିଲେ ପ୍ରଶାସନିକ ଅଧିକାରୀ':
ସୂର୍ଯ୍ୟ ରଥ ଏହା ମଧ୍ୟ କହିଛନ୍ତି, "ପହଣ୍ଡିରେ ବିଭ୍ରାଟ ଘଟଣାରେ ତଦନ୍ତ ପାଇଁ କମିଟି ଗଠନ ହୋଇଥିଲେ ମଧ୍ୟ ଏହା ବିଶ୍ୱାସ ଯୋଗ୍ୟ ନୁହେଁ । ପୂର୍ବରୁ ଅନେକ ବିଭ୍ରାଟକୁ ନେଇ କମିଟି ଗଠନ ହୋଇଥିଲେ ମଧ୍ୟ ଏହାର ଫଳ ଶୂନ ରହିଛି । ଦୋଷୀଙ୍କୁ ଘଣ୍ଟ ଘୋଡେଇଲେ ନିଜେ ସରକାର ଅସୁବିଧାରେ ପଡିବେ । ଦୋଷ କରିଥିବା ବ୍ୟକ୍ତି ଆଗାମୀ ଦିନରେ ପୁଣି ତ୍ରୁଟି କରିବେ । ଚଳିତ ରଥଯାତ୍ରାରେ ଦଳା ଚକଟାରେ ଭକ୍ତଙ୍କ ମୃତ୍ୟୁ ପାଇଁ ସିଧା ପ୍ରଶାସନ ଦାୟୀ । ପ୍ରଶାସନିକ ଅଧିକାରୀମାନେ ଭିଭିଆଇପିଙ୍କ ସେବାରେ ରହିଲେ । ଭକ୍ତଙ୍କ ସୁବିଧା ଅସୁବିଧା ବୁଝିଲେ ନାହିଁ । ଫଳରେ ରଥ ଟାଣିବାରେ ବ୍ୟାପକ ଅବ୍ୟବସ୍ଥା ଘଟି ଦଳାଚକଟା ହେଲା । ପ୍ରଶାସନ ଭିଭିଆଇପି ସେବାକୁ କମ୍ କରି ମହାପ୍ରଭୁଙ୍କ ସେବାରେ ଲାଗିଲେ ଆଗାମୀ ଦିନରେ ବିଭ୍ରାଟ ହେବ ନାହିଁ ।"
'ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ, ସ୍ବୀକାର କରିଲାନି ପ୍ରଶାସନ':