ଭୁବନେଶ୍ବର:ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଦିଆଯାଉଛି JEE ଓ NEET କୋଚିଂ । ହେଲେ ଏହା ସେପରି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଇଛି । ସରକାରୀ କଲେଜର ଛାତ୍ରଛାତ୍ରୀମାନେ ମେଡିକାଲ ଓ ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅନଲାଇନ ଫ୍ରି କୋଚିଂ ବ୍ୟବସ୍ଥା । ହେଲେ କଲେଜ ଗୁଡିକରେ ସ୍ମାର୍ଟ୍ କ୍ଲାସର ଅଭାବ ଥିବାବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସ ପ୍ରତି ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି । ଅନଲାଇନ କ୍ଲାସରେ ହାତଗଣତି ପିଲା ଉପସ୍ଥିତ ରହିବା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଗ୍ରାମାଞ୍ଚଳରେ କିଛିକାଂଶରେ ଅନଲାଇନ କ୍ଲାସ ସଫଳ ହେଉଥିବାବେଳେ ସହରାଞ୍ଚଳର ଛାତ୍ରଛାତ୍ରୀମାନେ ଅନଲାଇନ କୋଚିଂ କ୍ଲାସରୁ ମୁହଁ ଫେରାଇବା ଚିନ୍ତାର କାରଣ ସାଜିଛି ।
ସୂଚନା ଅନୁସାରେ, କୋରୋନା ମହାମାରୀ ଠାରୁ ଏହି ଅନଲାଇନ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଏହା ଆଶାନୁରୂପ ଭାବେ ସଫଳ ହୋଇପାରୁନାହିଁ । ଅନେକ ସ୍ଥାନରେ ନେଟୱର୍କ ସମସ୍ୟା, ସ୍ମାର୍ଟ୍ କ୍ଲାସରୁମ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ଏହାର ପ୍ରମୁଖ କାରଣ ପାଲଟିଛି । ଅଫଲାଇନ କ୍ଲାସରେ ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଠାରୁ ସମସ୍ୟା ନେଇ ଆଲୋଚନା କରିବା ସହିତ ସହଜରେ ଏଗୁଡ଼ିକୁ ବୁଝିପାରିଥାନ୍ତି, ଯାହା ଅନଲାଇନରେ ସମ୍ଭାବ ହୋଇପାରୁନାହିଁ । ପିଲାମାନେ ଅନଲାଇନରେ ପାଠ ପଢିବା ତ ଦୂରର କଥା, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ପ୍ରତି ଆକୃଷ୍ଟ ହୋଇ ପାଠପଢ଼ାରୁ ଦୂରେଇ ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହାସହ ସେମାନେ ଅଫଲାଇନ୍ କୋଚିଂ ପାଇଁ ଦାବି କରିଛନ୍ତି ।
ବିଜେବି କଲେଜ ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି, "ଯଦି କ୍ଲାସ ରୁମରେ କ୍ଲାସ କରାଯାଏ ତେବେ ଅନେକ ପିଲାମାନେ ଯୋଗ ଦେବେ । ଯେହେତୁ ଅନଲାଇନ ମାଧ୍ୟମରେ କ୍ଲାସ କରାଯାଉଛି ତେଣୁ ଅନେକ ପିଲା ଏଥିରେ ଯୋଗ ଦେଉନାହାନ୍ତି । ବିଶେଷ କରି ସହରାଞ୍ଚଳର ପିଲାମାନେ ଏହି ମାଗଣା କୋଚିଂ କରିବାକୁ ମନ ବଳାଉନାହାନ୍ତି । ଏହାର କାରଣ ସହରରେ ଥିବା ଅନେକ ପିଲାମାନେ ଅନେକ ଘରୋଇ କୋଚିଂ ସେଣ୍ଟରରେ ପାଠ ପଢୁଛନ୍ତି । ଯାହା ମାଗଣା କୋଚିଂରେ ପାଠ ପଢ଼ାଯାଉଛି ସେହି ଅନୁସାରେ ଏହି ପିଲାମାନେ ଆଗୁଆ ପଢିଥାନ୍ତି । ଏହାସହ ଗ୍ରାମାଞ୍ଚଳର ପିଲାମାନେ ବିଶେଷ କରି ଭଲ ଭାବରେ କୋଚିଂ ପାଇବାରେ ବିଫଳ ହୋଇଥାନ୍ତି । ତେଣୁ ସେମାନେ ସରକାରଙ୍କ ମାଗଣା କୋଚିଂ ଉପରେ ଭରସା କରିଥାନ୍ତି ।"