ଭୁବନେଶ୍ୱର:ପୁରୀ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ ବୟାନ ଜାରି କରିଛନ୍ତି ।6 ତାରିଖରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ସେପଟେ ରତ୍ନ ଭଣ୍ଡାର ଗଣତି ଅନୁଧ୍ୟାନ ପାଇଁ ପୂର୍ବ ସରକାର ଗଠନ କରିଥିବା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରିଛନ୍ତି ମୋହନ ସରକାର । ୧୬ ଜଣିଆ ସଦସ୍ୟଙ୍କୁ ନେଇ ଏହି ନୂତନ କମିଟି ଗଠନ ହୋଇଥିବା ବେଳେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏପଟେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, "ଜଗନ୍ନାଥଙ୍କ ଆଶୀର୍ବାଦରୁ ଠିକ୍ ସମୟରେ କାର୍ଯ୍ୟ କରାଯିବ ।"
ପୁରୀ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବଡ ବୟାନ ଜାରି କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ କହିଛନ୍ତି, ରତ୍ନ ଭଣ୍ଡାର ଉପରେ ଯେଉଁ କୁହେଳିକା ଥିଲା ସେ ସମ୍ପର୍କରେ ଆମେ ଅନ୍ତ ସ୍ଥିତିକୁ ଆସୁଛେ । ବହୁ ବିଚାର ବିମର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିଯିବା ନେଇ ନିଷ୍ପତି ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ନିଷ୍ପତ୍ତି ହୋଇଛି ।"