ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...

ଭିତରକନିକା-ଧାମରା ମଝିରେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ବାତ୍ଯା ମୁକାବିଲା ପାଇଁ ସାହା ଭରସା ପାଲଟିଛି ଏଠାରେ ଥିବା 'ହେନ୍ତାଳ ବଣ' ।

Mangrove Forest
Mangrove Forest (ETV Bharat Odisha)

By ETV Bharat Odisha Team

Published : 6 hours ago

Updated : 5 hours ago

କେନ୍ଦ୍ରାପଡ଼ା:ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା 'ଦାନା'। ଏଣୁ ଜିଲ୍ଲାରେ ସୁରକ୍ଷା ପାଇଁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ। "ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବାବେଳେ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳରେ 5 ଟିମ୍ ନିୟୋଜିତ ଅଛନ୍ତି" ବୋଲି କହିଛନ୍ତି ଡିଏଫଓ। ତେବେ କେନ୍ଦ୍ରାପଡ଼ାବାସୀଙ୍କୁ ସୁରକ୍ଷା ଦେବ କି ହେନ୍ତାଳ ବଣ? କେନ୍ଦ୍ରାପଡ଼ା ମାଟିର ଗର୍ବ ଓ ଗୌରବ ଏହି 'ହେନ୍ତାଳ ବଣ' ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଜୈବ ବିବିଧତାର ଜନନୀ।

Mangrove Forest (ETV Bharat Odisha)

ସୁରକ୍ଷା ଦେଉଛି ହେନ୍ତାଳ ବଣ:

ଭିତରକନିକା, ପୂର୍ବତଟ ବଙ୍ଗୋପସାଗର କୂଳରେ ବିସ୍ତୃତ ବେଳାଭୂମିରେ ପ୍ରାୟତଃ ୪୦-୫୦ କିଲୋମିଟର ବ୍ୟାପି ରହିଛି। ତତ୍ ମଧ୍ୟରେ ସଂଲଗ୍ନ ୨୫-୩୦ କିମି ହେନ୍ତାଳ ବଣର ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହ ଭିତରକନିକାର ଅସଂଖ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥାନ ପାଲଟିଛି । ସେମାନଙ୍କ ମଧ୍ୟରୁ ଡଲଫିନ, କୁମ୍ଭୀର ଏବଂ ଅଲିଭ ରିଡଲେ କଇଁଛ ଅନ୍ୟତମ। ମତ୍ସ୍ୟଜୀବୀ ଏବଂ ନାବିକମାନେ ତାଙ୍କର କୌଳିକ ବୃତ୍ତି ପାଇଁ ଭିତରକନିକା ଉପରେ ନିର୍ଭର କରନ୍ତି । ୧୯୯୯ ମହାବାତ୍ୟାରେ ବି କେନ୍ଦ୍ରାପଡା ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେଇଥିଲା ହେନ୍ତାଳବଣ। ଭିତରକନିକା ଛାତି ଉପରେ ତାଣ୍ଡବ ରଚି ହେନ୍ତାଳ ବଣକୁ ଧରାଶାୟୀ କରିଦେଇଥିଲା ମହାବାତ୍ୟା । ତେବେ କେତେ ଯେ ବାତ୍ୟାର ମାଡ଼କୁ ସହି ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ହେନ୍ତାଳବଣ । ପରିବେଶବିତ୍ ବିରଜା ପତି କହିଛନ୍ତି, "ବଡ଼ ବଡ଼ ବିପଦ ଆସିଲେ ଲୁଣା ଜଙ୍ଗଲକୁ ଟପି ଜନବସତିକୁ କ୍ଷତି କରିପାରେ ନାହିଁ। ତେଣୁ ଉପକୂଳର ସୁରକ୍ଷା ପ୍ରାଚୀର ହେଉଛି ଲୁଣା ଜଙ୍ଗଲ।"

Mangrove Forest (ETV Bharat Odisha)

ରାଷ୍ଟ୍ରପତିଙ୍କୁ ରିପୋର୍ଟ:

ଏଠାରେ ବନ୍ୟା, ସାମୁଦ୍ରିକ ଝଡ ସହିତ ସୁନାମୀ ଭୟ ମଧ୍ୟ ରହିଛି । କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏଥିରୁ ସୁରକ୍ଷା ପାଇଁ ଅନୁଦାନ ଦିଆଯାଉଛି । ଏହାସହିତ ଏହି ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ହୋଇଛି । ଏଥିସହିତ ୧୯୯୧, ୨୦୧୧ ଓ ୨୦୧୯ ମସିହାରେ ଉପକୂଳ ପରିଚାଳନା ଜୋନ (ସିଆରଜେଡ)ଚିହ୍ନଟ ହୋଇ ନୋଟିଫିକେସନ ହୋଇଛି । ଏହାସତ୍ତ୍ବେ କେନ୍ଦ୍ରାପଡା ସମେତ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ତଟାବର୍ତ୍ତୀ ଅଞ୍ଚଳ ସୁରକ୍ଷିତ ନୁହେଁ ବୋଲି ୨୦୧୯-୨୦ରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। CAG (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ ଇଣ୍ଡିଆ) ନିର୍ଦ୍ଦେଶକ ସଞ୍ଜୟ କୁମାର ଝା ୨୦୧୫-୨୦୨୦ ରିପୋର୍ଟ ପ୍ରଦାନ କରିଥିଲେ। "ସାତଭାୟା, ପେଣ୍ଠ ଆଦିରେ ପୂର୍ବ ଭଳି ଆଉ ମ୍ୟାନଗ୍ରୋଭ ଫରେଷ୍ଟ ନାହିଁ" କହି କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଆଶିଷ ସେନାପତି।

Mangrove Forest (ETV Bharat Odisha)

ରିପୋର୍ଟରେ କ'ଣ ଉଲ୍ଲେଖ ଥିଲା?

ଏହି ରିପୋର୍ଟରେ ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ନଥିବା କ୍ଷୋଭ ପ୍ରକାଶ କରାଯାଇଛି । ଅନୁଦାନ ଅର୍ଥ ଖର୍ଚ୍ଚ ସତ୍ୱେ ଏହାର ସୁଫଳ ମିଳୁନଥିବା ଉଲ୍ଲେଖ ହୋଇଛି । ଅପରପକ୍ଷେ, ଏହି ସିଏଜି ରିପୋର୍ଟ ଓ ଗଣମାଧ୍ୟମ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । ଓଡିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ (ଏନଆଇଓଟି) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ କୁମାର ମିଶ୍ର ଓ ଏନଆଇଓଟି ନିର୍ଦ୍ଦେଶକ ଡକ୍ଟର ଜି. ଏ. ରାମଦାସ ଏହି ଏମଓୟୁରେ ସ୍ୱାକ୍ଷର କରାଯାଇଥିଲେ। ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ଓ ଲୁଣାବନ୍ଧର ସୁରକ୍ଷା ଦେବା କଥା କୁହାଯାଇଥିଲା ।

୨୦୧୬ରୁ ୨୦୧୮ରେ ହେନ୍ତାଳ ବଣ ତଥ୍ୟ:

ସିଏଜି ରିପୋର୍ଟ ଅନୁଯାୟୀ ତଟବର୍ତ୍ତୀ ଅଞ୍ଚଳରେ ଶିଳ୍ପାଞ୍ଚଳ ବିକଷିତ ହୋଇଛି । ସେହିପରି ଚିଙ୍ଗୁଡି ଘେରି, ବହୁମାତ୍ରାରେ ବସବାସ ହୋଇଛି । ଏଥିପାଇଁ ତଟବନ୍ଧ ଓ ପରିବେଶ ଅସୁରକ୍ଷିତ ହୋଇଛି । ପାରାଦ୍ବୀପ ଓ ଧାମରା ମଧ୍ୟରେ ଥିବା ଉପକୂଳ ଅଞ୍ଚଳର ପରିବେଶ ନୀରିକ୍ଷଣ ପାଇଁ ୨୦୧୩ ରୁ ୨୦୧୫ ମସିହା ମଧ୍ୟରେ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ୧୯ଟି ପରୀକ୍ଷାଗାର ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା । ଏହି ପରୀକ୍ଷାଗାର ମାଧ୍ୟମରେ ପରିବେଶ ସମ୍ବନ୍ଧୀୟ ତଥ୍ୟ ହାସଲ କରାଯିବା କଥା । ମାତ୍ର ଏହି ବୋର୍ଡ ୩୩ ରୁ ୫୯ ପ୍ରତିଶତ କାର୍ଯ୍ୟକାରୀ ହୋଇଛି । ଜଳ ଓ ବାୟୁର ମାନ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ବହୁ ପଛୁଆ ଅଛି । ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ରାଜନଗର ମ୍ୟାନଗ୍ରୋଭ ଫରେଷ୍ଟ ଡିଭିଜନ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ୨୨୮ ହେକ୍ଟର ଜମିରେ ହେନ୍ତାଳ ବଣ ସୃଷ୍ଟି ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ତଦନ୍ତ ସମୟରେ ଶୂନରୁ ୩୫ ପ୍ରତିଶତ ଗଛ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଭିତରକନିକା-ଧାମରା ମଝିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ, କେନ୍ଦ୍ରାପଡ଼ା-ଭଦ୍ରକରେ ପ୍ରବଳ ବର୍ଷା: IMD

ଏହା ବି ପଢନ୍ତୁ...କାମ ଦେଉଛି ସଚେତନତା, କେନ୍ଦ୍ରାପଡାରେ ବୃଦ୍ଧି ପାଉଛି ହେନ୍ତାଳ ବଣ

ଏହା ବି ପଢନ୍ତୁ...ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’, IMD ଜାରି କଲା ଲ୍ୟାଣ୍ଡଫଲ ପଏଣ୍ଟ, ଭଦ୍ରକ-କେନ୍ଦ୍ରାପଡ଼ାକୁ ବିପଦ !

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା ‘ଦାନା’ ସମୀକ୍ଷା, କେତେ ପ୍ରସ୍ତୁତ କଣ୍ଟ୍ରୋଲ ରୁମ ପରଖିବେ

ତଟାଞ୍ଚଳର ସୁରକ୍ଷା ନେଇ ପ୍ରଶ୍ନ:

ସେହିପରି କେନ୍ଦ୍ରାପଡା ଜିଲ୍ଲା ପେଣ୍ଠଠାରେ ୩୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଜିଓ ସିନ୍ଥେଟିକ ବନ୍ଧ ନିର୍ମାଣ ହୋଇଥିଲା । ମାତ୍ର ଏହି ୱାଲର ଗାବିୟନ ବକ୍ସରୁ ପଥର ବାହାରି ସମୁଦ୍ର ମଧ୍ୟକୁ ଚାଲିଯାଉଥିବା ଅତୀତରେ ଦେଖାଯାଇଛି । ୨୦୧୮ ମସିହାରେ ଏହାର ସୁରକ୍ଷା ପାଇଁ ରାଜ୍ୟ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର ତଦନ୍ତ ସମୟରେ ପେଣ୍ଠ ତଟାଞ୍ଚଳର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଏଥିସହ ୨୦୧୯ ମସିହା ଅଗଷ୍ଟରେ ଟୁ୍ୟବ ୱାଲରେ ନିଆଁ ଲାଗିଥିବାରୁ ଅଧିକ ୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାବ୍ୟତୀତ ତଟବନ୍ଧ ସୁରକ୍ଷାକୁ ନେଇ ସିଏଜି ରିପୋର୍ଟରେ ବହୁ ପ୍ରଶ୍ନ ଉଠାଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରପଡ଼ା ଜିଲ୍ଲାରେ ମୋଟ ୭୪୪.୩୭ କିମିର ଲୁଣା ତଟବନ୍ଧ ଅଛି । ଏହି ବନ୍ଧ ଅସୁରକ୍ଷିତ ଥିବାରୁ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ୪୫୫ ଗ୍ରାମାଞ୍ଚଳରେ ସମୁଦ୍ର ଓ ନଦୀ ଜଳ ପଶିଆସୁଛି । ଏଥିସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୬୪ଟି ଗ୍ରାମକୁ ସୁନାମୀ ପ୍ରବଣ ବୋଲି ଚିହ୍ନଟ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : 5 hours ago

ABOUT THE AUTHOR

...view details