ଭୁବନେଶ୍ୱର/କୋରାପୁଟ:କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କର ବିଜ୍ଞାନକୁ ଅବଦାନ । କୋରାପୁଟର ପୂର୍ବଘାଟ ପର୍ବତମାଳାରୁ ଦୁଇଟି ନୂତନ ପ୍ରଜାତିର ଜିଆ ଆବିଷ୍କାର କରିଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ଓ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କେରଳର କୋଟ୍ଟାୟମର ବୈଜ୍ଞାନିକଙ୍କ ସହଯୋଗରେ ନୂତନ ପ୍ରଜାତିର ମେଗାସ୍କୋଲେକ୍ସ ଜିଆ ଠାବ କରିଛନ୍ତି । ଏହି ଆବିଷ୍କାର ସହିତ ବିଶ୍ୱରେ ମୋଟ ମେଗାସ୍କୋଲେକ୍ସ ପ୍ରଜାତିର ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ଯେଉଁଥିରୁ ୩୪ଟି ଭାରତରେ ଦେଖିବାକୁ ମିଳିଛି । କୋରାପୁଟର ବିଭିନ୍ନ ସ୍ଥାନରେ ହୋଇଥିବା ଜିଆର ବିବିଧତା ଅଧ୍ୟୟନରେ ଅୟୁସ୍ମିତା ନାୟକ ରାଣୀ ଡୁଡୁମା ଏବଂ କୋରାପୁଟର ଜୟପୁର ଘାଟି ଅଞ୍ଚଳରୁ କିଛି ବଡ଼ ଜିଆର ନମୁନା ସଂଗ୍ରହ କରିଥିଲେ ।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ ପ୍ରଫେସର ଶରତ କୁମାର ପଳିତାଙ୍କ ତତ୍ତ୍ୱାବଧାନରେ ଗବେଷକମାନେ ପରୀକ୍ଷାଗାରରେ ଏହି ନମୁନାଗୁଡ଼ିକୁ ଗୁରୁତର ସହ ପରୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଆର ପାଲିଓ୍ଵାଲ ଏବଂ ଜିଆ ବିଶେଷଜ୍ଞ ଡ. ପ୍ରଶାନ୍ତ ନାରାୟଣନ ଏବଂ କେରଳର ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ଉନ୍ନତ ପରିବେଶ ଅଧ୍ୟୟନ ଓ ନିରନ୍ତର ବିକାଶ କେନ୍ଦ୍ରର ଡ. ପ୍ରଶାନ୍ତ ନାରାୟଣନ ଏବଂ ଡକ୍ଟର ଏପି ଥୋମାସଙ୍କ ସହଯୋଗରେ ଏହି ଦୁଇଟି ବୃହତ୍ ଜିଆ ପ୍ରଜାତିକୁ ଦୁଇଟି ନୂତନ ପ୍ରଜାତି ଭାବରେ ଚିହ୍ନଟ କରାଯାଇଥିଲା । ଯାହା ବିଜ୍ଞାନ ପାଇଁ ସମ୍ପୂର୍ଣ୍ଣ ନୂଆ । ଏହି ଦୁଇ ନୂଆ ପ୍ରଜାତିର ଜିଆ ହେଲେ ମେଗାସ୍କୋଲେକ୍ସ ଜୟପୋରଘାଟିଏନ୍ସିସ ଓ ମେଗାସ୍କୋଲେକ୍ସ କ୍ବାଦରିପାପିଲାଟସ ।
କୋରାପୁଟର ଏହି ଦୁଇ ନୂଆ ପ୍ରଜାତିର ରିପୋର୍ଟ ପ୍ରତିଷ୍ଠିତ ଆନ୍ତର୍ଜାତିକ ପତ୍ରିକା ଜୁଟାକ୍ସାରେ ପ୍ରକାଶ ପାଇଛି । ଏହି ଦୁଇଟି ନୂଆ ଜିଆ ପ୍ରଜାତି ଭାରତର ଓଡ଼ିଶା ରାଜ୍ୟର ଅପେକ୍ଷାକୃତ ଅଣ-ଅନ୍ଵେଷିତ ପୂର୍ବଘାଟ ପର୍ବତମାଳାରୁ ଆବିଷ୍କୃତ ମେଗାସ୍କୋଲେକ୍ସ ପ୍ରଜାତିର ଅଟେ । ସେମାନେ ଏକ ପ୍ରଜାତିର ଅଟନ୍ତି । ଯେଉଁଥିରେ ୭/୮/୯ର ଆନ୍ତ-ବିଭାଗୀୟ ଖଣ୍ଡରେ ଶୁକ୍ରାଣୁ-ଥଳୀର ଛଦ୍ର, ହୋଲାଣ୍ଡ୍ରିକ, ସେମିନାଲ ଭେସିକଲ ୯ ଓ ୧୨ ଭାଗରେ ଥିବାବେଳେ ପେନିଆଲ ସେଟା ଏବଂ କ୍ୟାଲସିଫେରସ ଗ୍ରନ୍ଥିର ଅନୁପସ୍ଥିତି ଦେଖାଯାଏ । ଏହି ଦୁଇଟି ନୂତନ ପ୍ରଜାତି ବାଦାମୀ ରଙ୍ଗର ମାଟି ଥିବା ପର୍ଣ୍ଣମୋଚି ଜଙ୍ଗଲରେ ଦେଖାଯାଏ । ଏହି ଦୁଇଟି ପ୍ରଜାତି ଭାରତର ଓଡ଼ିଶାର କୋରାପୁଟ ଜିଲ୍ଲା ଜୟପୁର ଘାଟି ଏବଂ ରାଣୀ ଡୁଡୁମାରେ ହିଁ ଦେଖାଯାଏ ।
ଏହା ମଧ୍ୟ ପଢନ୍ତୁ:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ଚିହ୍ନଟ କଲା ହଳଦିଆ ରଙ୍ଗର ନୂତନ ପ୍ରଜାତିର ମାଛ
ଏହି ଆବିଷ୍କାର ସହିତ ବିଶ୍ୱରେ ମୋଟ ମେଗାସ୍କୋଲେକ୍ସ ପ୍ରଜାତିର ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ଯେଉଁଥିରୁ ୩୪ଟି ଭାରତରେ ଦେଖିବାକୁ ମିଳିଛି । ଭାରତରେ ଅଧିକାଂଶ ମେଗାସ୍କୋଲେକ୍ସ ପ୍ରଜାତି ଭାରତୀୟ ପ୍ରାୟଦ୍ୱୀପ (Peninsular India)ର ଦକ୍ଷିଣ-ପଶ୍ଚିମ କୋଣରେ ଥିବା ପଶ୍ଚିମ ଘାଟ ପର୍ବତ ଶୃଙ୍ଖଳାର ଦକ୍ଷିଣ ଭାଗରେ ସୀମିତ । ଏହି ନୂତନ ପ୍ରଜାତିର ଆବିଷ୍କାର ପରେ ମେଗାସ୍କୋଲେକ୍ସ ଜିଆ ଗୋଷ୍ଠୀର ପରିସୀମା ବୃଦ୍ଧି ହୋଇଛି । ଏହା ଭାରତୀୟ ପ୍ରାୟଦ୍ୱୀପରୁ ଉତ୍ତର ଉପଦ୍ୱୀପ ଭାରତରେ ଉତ୍ତର ପୂର୍ବଘାଟ ପର୍ବତମାଳାର ଉତ୍ତରଦିଗ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ସମୁଦ୍ର ପତ୍ତନରୁ ୮୬୨ ମିଟର ଉଚ୍ଚତାରେ ଜୟପୁର ଘାଟି ଅଞ୍ଚଳର ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲରୁ ଏକ ଟେରିଡୋଫାଇଟ ଗଛ ମୂଳରୁ ନୂଆ ପ୍ରଜାତିର ଜିଆ ଏମ ଜୟପୁରଘାଟିଏନ୍ସିସ ଆବିଷ୍କୃତ ହୋଇଥିଲା । ସମୁଦ୍ର ପତ୍ତନରୁ ୯୩୦ ମିଟର ଉଚ୍ଚତାରେ ରାଣୀ ଡୁଡୁମାର ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ଏକ ଝରଣା ନିକଟରେ ମଧ୍ୟ ଏହି ପ୍ରଜାତି ଦେଖିବାକୁ ମିଳିଥିଲା ।