ଓଡିଶା

odisha

ETV Bharat / state

'ମୋ ବସ'ର ନୂତନ ମୋବାଇଲ ଆପ ଉନ୍ମୋଚିତ, ଆହୁରି ସହଜ ହେବ ୟାତାୟତ - ମୋ ବସ ଆପ୍ଲିକେସନ

Mo Bus Application: ମୋ ବସ ସେବା ମୋବାଇଲ ଆପ୍ଲିକେସନ ଉନ୍ମୋଚିତ ହୋଇଛି । ଆପ୍ଲିକେସନର ଉଭୟ ଆଣ୍ଡ୍ରଏଡ଼ ଏବଂ ଆଇଓଏସ ଭର୍ସନ ଉନ୍ମୋଚନ ହୋଇଛି । ଅଧିକ ପଢ଼ନ୍ତୁ

ମୋ ବସ
ମୋ ବସ

By ETV Bharat Odisha Team

Published : Feb 24, 2024, 7:01 AM IST

ଭୁବନେଶ୍ବର:ଉନ୍ମୋଚିତ ହୋଇଛି ମୋ ବସ ସେବା ମୋବାଇଲ ଆପ୍ଲିକେସନ । ଏହି ଆପ୍ଲିକେସନର ଉଭୟ ଆଣ୍ଡ୍ରଏଡ଼ ଏବଂ ଆଇଓଏସ ଭର୍ସନ ଉନ୍ମୋଚନ ହୋଇଛି । ଏହା ଦ୍ୱାରା ଚଳନ୍ତା ବସଗୁଡ଼ିକର ଟ୍ରାକିଂ ଏବଂ ବସ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବା ସହ ଯାତ୍ରୀମାନଙ୍କ ଯାତ୍ରା ସହଜ ଓ ସରଳ ହେବ । ଏହାକୁ ଉଦଘାଟନ କରିଛନ୍ତି କ୍ରୁଟ ଅଧ୍ୟକ୍ଷା ଅନୁ ଗର୍ଗ ।

କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହରୀ ଜନ ପରିବହନ ପ୍ରକଳ୍ପ । ମୋ ବସ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ ମୋବାଇଲ ଆପ୍ଲିକେସନ ଉନ୍ମୋଚିତ ହୋଇଛି । ଏହାଦ୍ବାରା ଚଳନ୍ତା ବସଗୁଡ଼ିକର ଟ୍ରାକିଂ ଏବଂ ବସ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ । ଏହି ଆପକୁ ବ୍ୟବହାର କରି ଯାତ୍ରୀମାନେ ଅନଲାଇନ ଟିକେଟ ଏବଂ ପାସ କରିବା ସହିତ ଏହାର ନବୀକରଣ ମଧ୍ୟ କରିପାରିବେ । ମୋ ବସ ମୋବାଇଲ ଆପ୍ଲିକେସନର ଉଭୟ ଆଣ୍ଡ୍ରଏଡ଼ ଏବଂ ଆଇଓଏସ ଭର୍ସନ ଉନ୍ମୋଚନ ହୋଇଛି । ଯେଉଁଥିରେ ଯାତ୍ରୀମାନେ ମୋ ବସ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ ବିଷୟରେ ସେଥିରୁ ଜାଣିପାରିବେ । ଏହି ନୂତନ ଆପ ମାଧ୍ୟମରେ ମୋ ବସରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ ବୁକ କରିପାରିବେ । ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ । ବସ ପହଞ୍ଚିବା ପୂର୍ବରୁ ମୋ ବସ୍ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିହେବ । ଏହା ସହିତ ଷ୍ଟପେଜରେ ବସ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ । ତା ସହିତ ନିଜରେ ଚର୍ତୁପାର୍ଶ୍ଵରେ ଉପସ୍ଥିତ ବସମାନଙ୍କ ବିଷୟରେ ମଧ୍ୟ ଜାଣିହେବ ।

ଏବି ଆପ ମାଧ୍ୟମରେ ନିଜ ସହର ଓ ଭାଷା ଚୟନ କରି ଏହାକୁ ବ୍ୟବହାର କରିହେବ । ଏହି ଅବସରରେ ଉନ୍ନୟନ କମିଶନର ତଥା କ୍ରୁଟ ଅଧ୍ୟକ୍ଷା ଅନୁ ଗର୍ଗ କହିଛନ୍ତି ଯେ, ବର୍ତ୍ତମାନ ଯାତ୍ରୀ ଏହି ନୂତନ ଆପ ବ୍ୟବହାର କରି ବସ ଆଗମନର ଲାଇଭ ଟ୍ରାକିଂ ତଥା ମୋ ବସ ଷ୍ଟପେଜରେ ପହଞ୍ଚିବାର ବାସ୍ତବିକ ସମୟ ଜାଣିପାରିବେ । ଏହା ସହିତ ଆଗାମୀ ଯାତ୍ରାର ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଜି.ମାଥୀ ଭାଥନନ କହିଛନ୍ତି ଯେ, ନୂତନ ମୋବାଇଲ ଆପ ଏବଂ ମୋ ବସ କାର୍ଡ ପ୍ରମୋସନାଲ ଅଫର ଡିଜିଟାଲ ପେମେଣ୍ଟକୁ ଆହୁରି ସହଜ କରିବ । ଯାତ୍ରୀମାନଙ୍କ ପାଇଁ ନିରନ୍ତର ଯାତ୍ରା ସୁନିଶ୍ଚିତ କରିବ ।

କ୍ରୁଟ ଅଧ୍ୟକ୍ଷା ଅନୁ ଗର୍ଗ ମୋବାଇଲ ଆପ ଉନ୍ମୋଚନ ସହିତ ପୂର୍ବରୁ ଆରମ୍ଭ ହୋଇଥିବା ମୋ ବସ କାର୍ଡ଼ର ଏକ ନୂଆ କାର୍ଡ଼ ସହିତ ସ୍ୱତନ୍ତ୍ର ଅଫର ମଧ୍ୟ ଘୋଷଣା କରିଛନ୍ତି । ୫୦ ଟଙ୍କା ଦେଇ କାର୍ଡ଼ କ୍ରୟ କରିବା ପରେ ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଏବଂ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୫୦ ପ୍ରତିଶତ ଲାଭାଂଶ ମୂଲ୍ୟ ସହିତ କାର୍ଡ଼ ପାଇପାରିବେ । ୫୦୦ ଟଙ୍କାରେ ଯାତ୍ରୀଙ୍କୁ ୭୦୦ ଟଙ୍କା ମୂଲ୍ୟର କାର୍ଡ଼ ମିଳିବା ସମୟରେ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୧୫୦୦ ଟଙ୍କା ମୂଲ୍ୟର କାର୍ଡ଼ ପାଇପାରିବେ । ଏହି ସ୍ୱତନ୍ତ୍ର ଅଫର ମାର୍ଚ୍ଚ ୧ ତାରିଖରୁ ସୀମିତ ସମୟ ପାଇଁ ବିକ୍ରୟ ହେବ । ମୋ ବସର ପ୍ରତିଟି ରୁଟରେ ଗାଇଡ଼ମାନଙ୍କଠୁ କିମ୍ବା ମାଷ୍ଟର୍‌କ୍ୟାଣ୍ଟିନ ବସ ଟର୍ମିନାଲ ଏବଂ ପଟିଆ ମୋ ବସ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଏହି ନୂତନ ମୋ ବସ କାର୍ଡ଼ କ୍ରୟ କରିପାରିବେ ।

ସେପଟେ କଟକ ନେତାଜୀ ବସ ଟର୍ମିନାଲ ଏବଂ ରାଉରକେଲା ବସ ଷ୍ଟାଣ୍ଡରେ ମଧ୍ୟ ଏହା ବିକ୍ରୟ ହେବ । କ୍ୟାପିଟାଲ୍ ରିଜିୟନ ଏବଂ ରାଉରକେଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ବିକ୍ରୟ ପାଇଁ ବ୍ୟବସ୍ଥା କରାହେବ । ଏହାକୁ କ୍ରୟ କରି ମୋ ବସ ସେବା ଉପଲବ୍ଧ ଥିବା ସମସ୍ତ ସହରରେ ବ୍ୟବହାର ହୋଇପାରିବ । ଏହି କାର୍ଡ଼ରେ ମୋ ବସର ଗାଇଡ଼ ଏବଂ କ୍ୟାପଟେନଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇଛି । ମୋ ବସର ବ୍ରାଣ୍ଡ ଆମ୍ବାସଡ଼ର ଭାବରେ ଗ୍ରହଣ କରି ତାଙ୍କର ଫଟୋ ବ୍ୟବହାର ହୋଇଛି । ଏହି କାର୍ଡ଼କୁ ପରବର୍ତ୍ତୀ ସମୟରେ ବାରମ୍ବାର ରିଚାର୍ଜ କରିପାରିବେ । ଯାତ୍ରା ସମୟରେ ଉକ୍ତ କାର୍ଡ଼ ଗାଇଡ଼ଙ୍କୁ ଦେଖାଇବାକୁ ହେବ । ଗାଇଡ଼ ଇଟିଏମ ମେସିନରେ କାର୍ଡ଼ ଟ୍ୟାପ କରିବା ପରେ ଯାତ୍ରୀଙ୍କୁ ଏକ ଟିକେଟ ମଧ୍ୟ ପ୍ରଦାନ କରାଯିବ । ଏହା ଫଳରେ ଜନସାଧାରଣଙ୍କୁ ଟିକେଟର ଉଚିତ ମୂଲ୍ୟ ପାଇଁ ପଇସା ଧରି ଯାତ୍ରା କରିବାର ଚିନ୍ତା ରହିବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଗଡ଼ିଲା ମୋ ବସ ଏକ୍ସପ୍ରେସ, ପୁରୀ-କଟକ ନନ୍ ଷ୍ଟପ୍ ଯାତ୍ରା

ତେବେ ମୋ ବସକୁ ନିରନ୍ତର ବ୍ୟବହାର ଏବଂ ଭଲପାଇବା ଦେଉଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ସେ କହିଛନ୍ତି ଯେ, ଯାତ୍ରା ସମୟରେ ଯୋଗାଯୋଗ ବିହୀନ ଦେୟ ଏବଂ ମୋ ବସ ସେବା ପୃଥିବୀର ସର୍ବୋତ୍ତମ ଜନ ପରିବହନ ସେବା ସହିତ ସମାନ କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଆପ୍ଲିକେସନ ଉନ୍ମୋଚନ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଜି. ମାଥୀ ଭାଥନନ, ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details