କଟକ/ବାଲେଶ୍ବର: ଲଘୁଚାପଜନିତ ବର୍ଷା ଫସଲ ଧୋଇନେଇଛି । ବର୍ଷକର ଫସଲ ମାଟିରେ ମିଶିଲା ପରେ ଏବେ ଚିନ୍ତାରେ ଚାଷୀ । କଟକ ଜିଲ୍ଲାରେ ବ୍ୟାପକ ଫସଲ ହାନି ଘଟିଛି । କିନ୍ତୁ କ୍ଷୟକ୍ଷତି ସମ୍ପର୍କିତ ଆକଳନ କରିବା ପାଇଁ କୃଷି ଅଧିକାରୀମାନେ ଏପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ କରି ନଥିବା ଅଭିଯୋଗ କରିଛି ବିଜେଡି । ସେପଟେ ବାଲେଶ୍ବରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନ କିଣା ନେଇ ସମୀକ୍ଷା କରିବା ପରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଗତକାଲି(ଗୁରୁବାର) ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କଟକ ଜିଲ୍ଲାରେ ଚାଷଜମୀ କ୍ଷତିଗ୍ରସ୍ତ:
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ କରିବା ପାଇଁ ଦାବି କରିଛି ବିରୋଧୀ ବିଜେଡି । ଆଜି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଟକ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । "ନିୟମ ମୁତାବକ ୭୨ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପାଇବା ପାଇଁ ବୀମାଭୁକ୍ତ ଚାଷୀମାନଙ୍କୁ ବୀମା କ୍ଳେମ କରିବା ପାଇଁ ବ୍ୟବସ୍ଥା ରହିଛି । ଯଦି କୌଣସି ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ରୁହେ ,ଚାଷୀମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ" ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା।
କଟକରେ ଚାଷଜମି କ୍ଷୟକ୍ଷତି ଆକଳନ:
ସେପଟେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, "୭୨ ଘଣ୍ଟାର ଅବଧି କେବଳ ପଞ୍ଜିକରଣ ପାଇଁ ଧାର୍ଯ୍ୟ ହୋଇଛି । ଯଦି ଏଥିରେ ବିଳମ୍ବ ହେଉଛି, ତେବେ ତାହାକୁ ମଧ୍ୟ ବିଚାରକୁ ନିଆଯିବ। କଟକ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରାଯାଉଛି । ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ପ୍ରାୟ ସାଢେ ୯ ହଜାର ଚାଷୀ ଆବେଦନ କରିଛନ୍ତି । ଯଦି କେହି ଚାଷୀ ନିଜେ ଆବେଦନ ନକରି ପାରୁଛନ୍ତି ତେବେ କୃଷି ଅଧିକାରୀମାନେ ସେମାନଙ୍କୁ ସାହାଯ୍ୟ କରିବେ ।"
ବାଲେଶ୍ବରରେ ମନ୍ତ୍ରୀଙ୍କ ସମୀକ୍ଷା:
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାଲେଶ୍ୱର ଜିଲ୍ଲାରେ ଧାନ କିଣା ନେଇ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଗତକାଲି ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ୧୪୪୪୭ ଟୋଲ ଫ୍ରି ନମ୍ବରରେ ବୀମାଭୁକ୍ତ ଚାଷୀମାନେ ସେମାନଙ୍କର କ୍ଷୟକ୍ଷତି ପାଇଁ ପଞ୍ଜିକରଣ କରିପାରିବେ ବୋଲି ସୂଚନା ଦିଆଯାଇଛି । ସ୍ଵତନ୍ତ୍ର ସହାୟତା ଆୟୋଗ, ଓଡ଼ିଶାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମସ୍ତ ପ୍ରଭାବିତ ବ୍ଲକର କ୍ଷୟକ୍ଷତି ଆକଳନ ଶେଷ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସେମାନଙ୍କର ଫସଲ କ୍ଷୟକ୍ଷତିର ଆକଳନ କରିବାରେ ଆବଶ୍ୟକ ସହାୟତା ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।