ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଜେଡି ଦୁଇଫାଳ । ଦଳ ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ । ତେବେ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଦଳ ଡିଆଁ ପର୍ବ ସେତିକି ଜୋରସୋରରେ ଚାଲିଛି । ଗଣତନ୍ତ୍ରର ମହାପର୍ବ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ତଥା ଲୋକପ୍ରିୟ ବିଜେଡି ନେତା ନିଜ ଶତାଧିକ ସମର୍ଥକଙ୍କ ସହ ଦଳ ଛାଡ଼ିବା ସହିତ ନିଜ ସମର୍ଥକକୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ଦଳର ପ୍ରମୁଖ ଆଶାୟୀ ପ୍ରାଥି ଭାବେ ପୂର୍ବତନ ବିଧାୟକ ବିଜୟ ନାଏକଙ୍କ ନାମ ସବୁଠୁ ଆଗରେ ରହିଥିଲା । ତେବେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିନଥିଲା । ଦଳୀୟ ଟିକଟ ମିଳି ନ ଥିଲା ଫଳରେ ସେ ଆଜି ବିଜୁ ଜନତା ଦଳରୁ ନିଜର ପ୍ରାଥମିକ ସଦ୍ୟସ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ଆଜି ସମର୍ଥକଙ୍କ ସହ ମିଶି ଶକ୍ତି ପ୍ରଦର୍ଶନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ସାରସକଣାରୁ ଦେବାଶିଷ ଓ କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ ବିଜେଡି ପ୍ରାର୍ଥୀ - BJD Candidates
କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଗତ ତିନି ଦଶନ୍ଧି ଧରି ବିଜୁ ଜନତା ଦଳ ଏହି ନିର୍ବାଚନ ମଣ୍ଡଳୀରେ ରାଜ କରୁଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜୟ ନାଏକ ଦୁଇ ଦୁଇ ଥର ବିଧାୟକ ହେଇଥିବା ବେଳେ ଗତ ୨୦୧୯ରେ ବାସନ୍ତୀ ହେମ୍ବ୍ରମ ବିଧାୟିକା ହେଇଥିଲେ । ଏହାସହ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ସେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ରହିବା ସହିତ ସେତେ ଲୋକପ୍ରିୟତା ନ ଥାଇ ବି ପୁଣି ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଇଁ ଟିକଟ ଦେବାରୁ କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଯାହା ଫଳରେ ଆଜି ପୂର୍ବତନ ବିଧାୟକଙ୍କ ସହିତ ହଜାର ହଜାର କର୍ମୀଙ୍କ ଦଳରୁ ଇସ୍ତଫା ଦେବା ସହିତ ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋଢିବା ପାଇଁ ଆଜିଠୁ ଅଣ୍ଟା ଭିଡ଼ିଲେଣି । ହଜାର ହଜାର ସମର୍ଥକଙ୍କ ସହିତ ଏକ ବିରାଟ ରାଲି କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜୟ ନାଏକ । ତେବେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ଲଢେଇ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ପୂର୍ବତନ ବିଧାୟକ ବିଜୟ ନାଏକଙ୍କୁ ଅଧିକ ସମର୍ଥନ ମିଳିବ ବୋଲି କର୍ମୀମାନେ ଆଶା ପ୍ରକଟ କରିବା ସହିତ ଦଳ ଛାଡ଼ି ଅତ୍ୟନ୍ତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ରାଇରଙ୍ଗପୁର