ଭୁବନେଶ୍ବର:ରାଜ୍ୟରୁ ଶୀତ ଗାଏବ ଥିବାବେଳେ ମାଘରେ ବାଘ ଭଳି ଖରା ହେଲାଣି । ଫେବୃଆରୀରେ ବୈଶାଖର ତାତି ଅନୁଭବ ହେଉଛି । ଏଥର ବିଳମ୍ବରେ ଶୀତ ପଡ଼ିଥିଲେ ମଧ୍ୟ ଜଲ୍ଦି ଫେରିଛି ତାତି । ଏହାସହ ରାତିରେ କିଛି କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ସେପଟେ ଆଉ କିଛି ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ଫେବୃଆରୀ ଆରମ୍ଭରୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଉପକୂଳରୁ ଆଭ୍ୟନ୍ତର, ସବୁଠି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ଗରମରେ ସନ୍ତୁଳି ହେଲେଣି ରାଜ୍ୟବାସୀ । ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି । ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏହିପରି ତାପମାତ୍ରା ଆସନ୍ତା ୩ ଦିନ ଯାଏଁ ଜାରି ରହିବ । ସେହିପରି ଆସନ୍ତା ୯ ଓ ୧୦ ତାରିଖରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ଆସନ୍ତା ୧୦ ,୧୧ ,୧୨ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାର କିଛି କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୧୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା , ମୟୁରଭଞ୍ଜ ହାଲୁକା ବର୍ଷାର ସମ୍ଭାବନା ରହିଥିବା ବେଳେ ୧୧ରେ ବର୍ଷାର ପରିମାଣ ଟିକେ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି କରି ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ବର୍ଷାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟରେ ଉପର ମୁହାଁ ପାରଦ, ଆରମ୍ଭ ହେଲାଣି ତାତି