ବୌଦ୍ଧ: ତିନି ଦିନିଆ ରଜ ପର୍ବ ଶେଷ ହେବା ପରେ ସୋମବାର ପାଳନ ହୋଇଥିଲା ବସୁମତୀ ସ୍ନାନ । ବଜ୍ର କ୍ଷେତ୍ର ତଥା ପାତାଳୀ ଶ୍ରୀକ୍ଷେତ୍ରରେ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ବସୁମତୀ ସ୍ନାନ ବା ଲକ୍ଷ୍ମୀ ବୁଡ଼ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ଠାକୁରାଣୀ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରଦାରରେ ଆରମ୍ଭ ହୋଇଛି । ଜିଲ୍ଲାରେ ଏହି ଦିନରୁ ରଥ ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଏ ।
ତିନି ଦିନ ଧରି ଅନୁଷ୍ଠିତ ରଜ ଉତ୍ସବ ପରେ ସୋମବାର ବିଭିନ୍ନ ସ୍ଥାନରେ ବସୁମତୀ ସ୍ନାନ ବା ଲକ୍ଷ୍ମୀ ବୁଡ଼ ପର୍ବ ଅନୁଷ୍ଠିତ ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସକାଳୁ ଦେବୀ ମା' ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ କରିବା ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ବୌଦ୍ଧ ଜିଲ୍ଲା ସଦରମହକୁମାଠାରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ ଦୁର୍ଲଭ ଚନ୍ଦନ କାଠରେ ନିର୍ମାଣ ହୋଇଥିବା ବେଳେ ଏଠାରେ କେବେ ମଧ୍ୟ ନବକଳେବର ଅନୁଷ୍ଠିତ ହୋଇନଥାଏ । ସେହିପରି ବୌଦ୍ଧର ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥ ମଧ୍ୟ ଅଭଙ୍ଗ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଏହି ବିଶାଳକାୟ ରଥର ମରାମତି କାର୍ଯ୍ୟ ସମ୍ପାଦନ କରାଯାଇଥାଏ ।