ଭୁବନେଶ୍ବର:ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ବିଜେଡି-ବିଜେପିମେଣ୍ଟ ଚର୍ଚ୍ଚା ସେତିକି ଜୋର ଧରିଛି । ଏହାରି ଭିତରେ ଲୋକଙ୍କୁ ଦ୍ବନ୍ଦରେ ପକାଇଛି ଉଭୟ ନେତାଙ୍କ ବୟାନ ବାଜି । ତେବେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଆହୁରି ଦ୍ବନ୍ଦ୍ବ ଗଭୀର ହୋଇଛି । ରାଜ୍ୟରେ ବିଜେଡି-ବିଜେପିମେଣ୍ଟକୁ ନେଇ ପାରଦ ବଢୁଥିବା ବେଳେ ସ୍ପଷ୍ଟ ଚିତ୍ର କିଛି ଆସିପାରିନାହଁ । ବିଜେପି ମେଣ୍ଟକୁ ଖଣ୍ଡନ କରୁଥିବା ବେଳେ ବିଜେଡ଼ି ତେରେଚ୍ଛା ବାଣି ମାରିଛି । ଯାହାକୁ ନେଇ ଆଜି କଂଗ୍ରେସ କଡ଼ା ଟାର୍ଗେଟ କରିଛି ।
ଗତକାଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ରାଜନୀତିରେ ଖରାପ କ'ଣ ବୋଲି ପ୍ରଶ୍ନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତାର ଉତ୍ତରରେ କହିଥିଲେ 'ମିଛ ଏବଂ ଗୁଜବ '। ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜେଡି ଏବଂ ବିଜେପିର ମେଣ୍ଟ ନେଇ ଆଲୋଚନା ଜୋରଦାର ହେଉଥିବା ବେଳେ ରାଜନୀତିରେ ଭଲ ଆଉ ଖରାପର ସଂଜ୍ଞା ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାରୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ସେ କହିଛନ୍ତି,"ନବୀନ ବାବୁ କହୁଛନ୍ତି ଗୁଜବ,ମନମୋହନ ବାବୁ କହୁଛନ୍ତି ମେଣ୍ଟ ହେବନାହିଁ କିନ୍ତୁ ଓଡ଼ିଶାର ଜନସାଧାରଣ ଜାଣିଛନ୍ତି ସତ କ'ଣ । ନିଆଁ ନଥିଲେ ଧୁଆଁ ଉଠେନାହିଁ । ଅଶ୍ୱିନୀ ବୈଷ୍ଣବକୁ ଦୁଇ ଦଳ ମିଶି ରାଜ୍ୟସଭା ପଠାଇଲା । ଚିଟଫଣ୍ଡ କେସରେ ସମସ୍ତ ତଥ୍ୟ ଥାଇ ମଧ୍ୟ ସିବିଆଇ ଚାର୍ଜସିଟ ଦାଖଲ କରିପାରିଲା ନାହିଁ । ପରସ୍ପର ପରସ୍ପରକୁ ସାହାଯ୍ୟ କରୁଛନ୍ତି ।"
ଅନ୍ୟପଟେ କଟକ ମେୟର ସୁବାସ ସିଂ କହିଛନ୍ତି,"ମୁଖ୍ୟନ୍ତ୍ରୀଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା । ସବୁବେଳେ ମୁଖ୍ୟମନ୍ତ୍ରୀ ଏକ ଉଦାହରଣ ସୃଷ୍ଟି କରନ୍ତି । ଉତ୍ସର୍ଗୀକୃତ ସେବା ଓ ମନୋଭାବ ଓ କାର୍ଯ୍ୟ ରାଜ୍ୟର ସାଢେ ଚାରି କୋଟି ଲୋକ ଓ ଦେଶବାସୀଙ୍କୁ ପ୍ରଭାବିତ କରୁଛି ।"2024 ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ରହିଛି । ଦୀର୍ଘବର୍ଷ ହେବ ମେଣ୍ଟ ରାଜନୀତିରୁ ଓହରି ଥିବା ବିଜେଡି-ବିଜେପି ପୁଣି ଥରେ ରାଜ୍ୟରେ ଏକାଠି ହେବା ନେଇ ଚର୍ଚ୍ଚା ଲାଗି ରହିଛି ।