ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ସ୍ୱାସ୍ଥ୍ୟ ସେବାରେ ବିକଳ ଚିତ୍ରକୁ ନେଇ ରାଜ୍ୟ ସରକାର ଟାର୍ଗେଟ କଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ଜନସାଧାରଣଙ୍କ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି ବୋଲି ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ବୋଲି କହୁଛନ୍ତି । କିନ୍ତୁ ରାଜ୍ୟରେ ସବୁଆଡ଼େ ସ୍ୱାସ୍ଥ୍ୟ ସେବା ଅପହଞ୍ଚ । ବିଜେଡ଼ି ସରକାରର ୨୩ବର୍ଷ ଶାସନରେ ରାଜ୍ୟରେ ବେମାରୀ ଛଡାଇ ପାରିଲାନାହିଁ ବୋଲି ଅଭିଯୋଗ କରିଛନ୍ତି ।
କଂଗ୍ରେସ ଅଭିଯୋଗ କରିଛି ଯେ ସବୁ ଜିଲ୍ଲାରେ ୧୦୦ସିଟ ବିଶିଷ୍ଟ ମେଡିକାଲ କଲେଜ ପାଇଁ ସେତେବେଳର ୟୁପିଏ ସରକାର ନିଷ୍ପତ୍ତି ନେଇଥିଲେ । ଏଥିରେ କେନ୍ଦ୍ରର ୯୦ ଓ ରାଜ୍ୟର ୧୦ ପ୍ରତିଶତ ଭାଗ ବିନିଯୋଗ ପାଇଁ ବ୍ୟବସ୍ଥା ଥିଲା । ପରେ ଏନ୍ଡିଏ ସରକାର ଏହାକୁ ୬୦/୪୦ କରିଛନ୍ତି । ରାଜ୍ୟରେ ଏବେ ୧୧ଟି ମେଡିକାଲ କଲେଜ ହୋଇପାରିଛି । ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କ ସଂଖ୍ୟା ୯୩୨୦ଥିବାବେଳେ ଖାଲି ପଡିଥିବା ଡାକ୍ତର ପଦବୀ ସଂଖ୍ୟା ୬୪୫୪ ।
ସେହିପରି ଷ୍ଟାଫ ନର୍ସରେ ମଧ୍ୟ ୧୩୬୨୬ଟି ପଦ ଖାଲି ପଡିଛି । BSKY ଯୋଜନାରେ ମାସକୁ ୨୫୦କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । ଏହାକୁ ହିସାବ କଲେ ପ୍ରାୟ ବର୍ଷକୁ ୩ହଜାର କୋଟି ଖର୍ଚ୍ଚ ହେଉଛି । ଏହି ଟଙ୍କା ବେସରକାରୀ ମେଡିକାଲ ମାଲିକ ମାନଙ୍କ ପକେଟକୁ ହିଁ ଯାଉଛି । ଏହାସହ ସରକାରୀ ମେଡିକାଲ ସେତିକି ଉନ୍ନତ କଲେ ଏହି ଟଙ୍କା ସେଠି ନିୟୋଜିତ କଲେ ବେଶୀ ଲାଭ ପାଇବେ ରାଜ୍ୟବାସୀ । ବଳକା ରାଜସ୍ୱ ବୋଲି କହି ବାହା ବାହା ନେଉଥିବା ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ସରକାରୀ ମେଡିକାଲର କହିକି ଉନ୍ନତିକରଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।