ଭୁବନେଶ୍ବର:ରାଜଧାନୀରେ ହାଇପ୍ରୋଫାଇଲ ଚୋରି ପଛରେ ଥିଲା ହାଇପ୍ରୋଫାଇଲ ଚୋର । ଯିଏକି ସ୍ପାଇଡର ଶକ୍ତି ଭାବେ ପରିଚିତ ଥିଲା। ଗୁଗୁଲରେ ସର୍ଚ୍ଚ କରୁଥିଲା ଧନୀ ଲୋକଙ୍କ ଠିକଣା । ତଥ୍ୟ ଆଦାୟ ପରେ ବୁଲାଉଥିଲା କଳାକନା । ଯାହାର ଟେର ପାଉନଥିଲା ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଚୋରକୁ ଗିରଫ କରିଛି ପୋଲିସ । ବିଶାଖାପାଟଣାରୁ ଧରାପଡିଛି ପେଶାଦାର ଚୋର ।
କମିଶନରେଟ ପୋଲିସକୁ ବଡ଼ ସଫଳତା:
ଗତ ଜାନୁଆରୀ ୨୫ ରାତିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ହୋଇଥିବା ଲୁଟ ମାମଲାରେ କମିଶନରେଟ୍ ପୋଲିସକୁ ବଡ ସଫଳତା । ୨୫ ଓ ୨୬ ଜାନୁଆରୀ ରାତିରେ ନୟାପଲ୍ଲୀ ଭିଆଇପି କଲୋନୀରେ ହୋଇଥିବା ବଡ ଚୋରିର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ।
ଗୁଗୁଲରେ ସର୍ଚ୍ଚ ପରେ ବୁଲାଉଥିଲା କଳାକନା:
ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି,‘ ଏହି ଅନ୍ତରାଜ୍ୟ ଚୋର ଧନୀ ଲୋକଙ୍କୁ ଖୋଜି ଖୋଜି ଓ ଗୁଗଲରେ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲୁଟ କରୁଥିଲା । ତେଣୁ ଏହି ହାର୍ଡକୋର ଲୁଟେରାକୁ ଧରିବା ପାଇଁ ପୋଲିସ ୪୦୦ରୁ ଊର୍ଦ୍ଧ୍ବ CCTV, ୧୦ ହଜାର ଫୋନ ନମ୍ବର ଯାଞ୍ଚ କରିଥିଲା । ଏହାସହ ୫୦ ଜଣ ଲୋକଙ୍କ ପୂର୍ବ ହିଷ୍ଟ୍ରି ଉପରେ ତର୍ଜମା କରିବା ପରେ ଯାଇ ଲୁଟେରା ପାଖରେ ପହଞ୍ଚି ପାରିଛି ପୋଲିସ ।’
କିଏ ଏହି ହାଇପ୍ରୋଫାଇଲ ଚୋର ?
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଆହୁରି କହିଛନ୍ତି, ‘ବରମୁଣ୍ଡା ଠାରୁ CCTV ଚେକ୍ କରିବା ଆରମ୍ଭ କରି ଆନ୍ଧ୍ର ପ୍ରଦେଶର ସମସ୍ତ ଟୋଲ ପ୍ଲାଜା CCTV ଯାଞ୍ଚ କରିବା ପରେ ପୋଲିସ ଏହି ଚୋରକୁ ଧରିଛି । ଓଡିଶା, ଆନ୍ଧ୍ର, ତେଲେଙ୍ଗାନା, କେରଳ ଓ ମହାରାଷ୍ଟ୍ର ଯାଇ ପୋଲିସ ଲୁଟେରାକୁ ଧରିବା ପାଇଁ ଡେରା ପକାଇଥିଲା । ଲୁଟେରା ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସ୍ପାଇଡର ଶକ୍ତି ଓରଫ କେ.ସତୀ ରେଡ୍ଡୀ ନାମରେ ପରିଚିତ ।
ଜବତ ହେଲା ନିରଞ୍ଜନ ଘରୁ ଚୋରି ଅଳଙ୍କାର:
ତେବେ ଏହି ଅନ୍ତରାଜ୍ୟ ଚୋରା ସ୍ପାଇଡର ଶକ୍ତି କମିସନରେଟ ପୋଲିସ ହାତରେ ଧରାପଡିଥିବା ବେଳେ ନିରଞ୍ଜନ ଘରୁ ଚୋରି ହୋଇଥିବା ସମସ୍ତ ଅଳଙ୍କାର ଜବତ ହୋଇଛି । ନିରଞ୍ଜରଙ୍କ ଅଳଙ୍କାର ସହ ଏକ କାର ମୋବାଇଲ ଫୋନ ଓ ବିପୁଳ ପରିମାଣର ହୀରା ଗହଣା ଜବତ ହୋଇଛି । 7 ଲକ୍ଷ ଟଙ୍କା ସହ ଏକ କୋଟିର ହୀରା ଓ ସୁନା ଗହଣା ଜବତ ହୋଇଛି । ତେବେ ଏହି ଲୁଟେରା ୨ ବର୍ଷ ପୂର୍ବରୁ ଅର୍ଥାତ 2023ରେ ARSS ମାଲିକଙ୍କ ଘରେ କଳାକନା ବୁଲାଇଥିଲା ।