ଭୁବନେଶ୍ବର: ବିଜେଡି ନିର୍ବାଚନରେ ସରକାରୀ କଳର ଦୁରୁପଯୋଗ କରୁଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି କଂଗ୍ରେସ । କଂଗ୍ରେସର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭଯୋଗ ପତ୍ର ଦେଇଛି । ନିଆଳି ନିର୍ବାଚନ ମଣ୍ଡଳୀରେ ବିଜେଡି ଖୁଲମଖୁଲା ନିର୍ବାଚନ କମିଶନଙ୍କ ଆଦେଶକୁ ଅବମାନନା କରିଛି ବୋଲି ଅଭିଯୋଗ ଆଣିଛି ଦଳ ।
ସରକାରୀ ସଭାରେ ଅଙ୍ଗନବାଡି କର୍ମୀ ଖୁଲମଖୁଲା ବିଜେଡି ପାଇଁ ଭୋଟ ଦେବାକୁ ଜନତାଙ୍କୁ କହୁଥିବା କହିଛି ଦଳ । ଗୀତଗାଇ ଅଭିନବ ଢଙ୍ଗରେ ଲୋକଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଦଳୀୟ ପ୍ରଚାର ସଭାରେ କହୁଛନ୍ତି ଅଙ୍ଗନବାଡି କର୍ମୀ । ତେବେ ଅଙ୍ଗନବାଡି ଦିଦିଙ୍କ ନାମ ଲିପିକା ନାୟକ ହୋଇଥିବା ବେଳେ ସେ କଣ୍ଟାପଡ଼ା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟକରନ୍ତି । ଏହାସହ ନିଆଳି ମିଶନଶକ୍ତି ମହିଳା ମହାସଙ୍ଘର ସାଧାରଣ ସମ୍ପାଦିକା ସତ୍ୟସ୍ମିତା ପାଣି ମଧ୍ୟ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ବିଜେଡିର ବ୍ଲକସ୍ତରୀୟ ମହିଳା ସମାବେଶରେ ଦଳକୁ ଭୋଟ ଦେବା ପାଇଁ ସାଧାରଣ ଲୋକଙ୍କୁ କହୁଥିବା ଦେଖିବାକୁ ମିଳିଛି ।
ତେବେ ସରକାରୀ ବେତନ ଭୋଗୀ କର୍ମଚାରୀ ହୋଇ ଏମାନେ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିବାରୁ ତୁରନ୍ତ ବିଜେଡି ଦଳକୁ ନିର୍ବାଚନ ଅଧିକାରୀ ନୋଟିସ ଜାରି କରିବା ସହ ସରକାରୀ ଅଧିକାରୀଙ୍କ ବିରୋଧରେ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି କଂଗ୍ରେସ ଦଳ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଦଳ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରା ଯାଇଥିଲା । ଯେଉଁଥିରେ ମୁଖପାତ୍ର ଅମୀୟ ପାଣ୍ଡବଙ୍କ ସହ ପିସିସି ସାଧାରଣ ସମ୍ପାଦକ ଶଶୀକାନ୍ତ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ ।