ରାୟଗଡା: ଜିଲ୍ଲାରେ ରାଜ୍ୟ ସରକାର ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଛି କଂଗ୍ରେସ ଓ ବିଜେପି । ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ରେଳଷ୍ଟେସନ ନିକଟସ୍ଥ ରେଳବାଇ ଷ୍ଟାଫ୍ କ୍ବାର୍ଟର ଅଞ୍ଚଳରେ ୮ଟି ଇନୋଭା କାରରେ କିଛି କାର୍ଟୁନ ଲୋଡ଼ିଂ ହେଉଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କୌଣସି ବେଆଇନ ଚାଲାଣ ସନ୍ଦେହରେ ସ୍ଥାନୀୟ ଲୋକେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଏବଂ ପୋଲିସ ପ୍ରମୁଖଙ୍କୁ ସୂଚନା ଦେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ବିଡ଼ିଓ ଅମୂଲ୍ୟ କୁମାର ସାହୁ ଘଟଣାସ୍ଥଳରେ ପୋଲିସ ସହିତ ପହଞ୍ଚିଥିଲେ । ତେବେ ବିଡ଼ିଓ ପହଞ୍ଚିବା ପୂର୍ବରୁ ୫ଟି କାର ସେଠାରୁ କାର୍ଟୁନଗୁଡ଼ିକୁ ନେଇ କେଉଁଆଡ଼େ ଚାଲିଯାଇଥିଲା । ଉକ୍ତ ୫ଟି ଗାଡ଼ି କଳାହାଣ୍ଡି ଜିଲ୍ଲା ଅଭିମୁଖେ ଚାଲିଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ତେବେ ବଳକା କାର୍ଟୁନଗୁଡ଼ିକୁ ଜବତ କରି ଟାଉନ ଥାନାକୁ ଆଣିବା ପରେ ବିଡ଼ିଓ ଅମୂଲ୍ୟ କୁମାର ସାହୁ, ପୌରନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ, ଏସଡିପିଓ ରଶ୍ମିରଞ୍ଜନ ସେନାପତି, ଆଇଆଇସି କେକେବିକେ କହଁର ପ୍ରମୁଖଙ୍କ ଉପସ୍ଥିତିରେ ସେଗୁଡ଼ିକ ଖୋଲି ଦେଖିବା ବେଳେ ସେଥିରୁ ସାମସଙ୍ଗ କମ୍ପାନିର ଟାବଲେଟ୍ ବାହାରିଥିଲା । ରାୟଗଡ଼ା ଜିଲ୍ଲାରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଓ ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ହାତ ଥିବା ନେଇ ପୋଲିସ ନିକଟରେ ଫେରାଦ ହୋଇଛି ଜିଲ୍ଲା ବିଜେପି ଓ କଂଗ୍ରେସ । ରାଜ୍ୟରେ ଥିବା ଓକାକ ନାମକ ସଂସ୍ଥା ଦ୍ଵାରା ରାୟଗଡ଼ା ରେଳ ଷ୍ଟେସନ ନିକଟରେ ୮ଟି ଇନୋଭା ଗାଡ଼ିରେ ଏହି ଟାବଲେଟ ଆଣି ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠା ଯାଉଥିବା ସମୟରେ ପ୍ରଥମେ କଂଗ୍ରେସ ପରେ ବିଜେପି ଏନେଇ ପ୍ରତିବାଦ କରିବା ପରେ ରାୟଗଡ଼ ବିଡିଓ ଅମୂଲ୍ୟ ସାହୁ ଆସି ଉକ୍ତ ଟାବଲେଟଗୁଡ଼ିକ ରାୟଗଡ଼ ଥାନାକୁ ଆଣି ଖୋଲିବା ପରେ ଜଣାପଡ଼ିଥିଲା ।
ଏହା ମଧ୍ୟ ପଢନ୍ତୁ...ଓଡିଶା ଆସିବେ ରାହୁଲ ଗାନ୍ଧୀ; ଶ୍ରୀକ୍ଷେତ୍ରରୁ ପ୍ରଚାର ଆରମ୍ଭ କରିବ କଂଗ୍ରେସ - Congress Campaign Committee