ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି । ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍ ଗଡ଼ିବ । ଫଳରେ ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି । ଗାଁ ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଫେବୃଆରୀ ସୁଦ୍ଧା ଓଡ଼ିଶାର ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡ଼ିବା ନେଇ ଯୋଜନା ରହିଛି । ଲକ୍ଷ୍ମୀ ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାରେ ଗଡ଼ିଥିଲା ଲକ୍ଷ୍ମୀ ବସ୍ । ଆଜି ଏହି ବ୍ୟବସ୍ଥାରେ ଆଉ ୩ଟି ଜିଲ୍ଲା ଯୋଡ଼ି ହୋଇଛି । ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଗଡ଼ିଛି ଲକ୍ଷ୍ମୀ ବସ୍ । ଆଜିର ଶୁଭାରମ୍ଭ ପରେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ ଚାଲିବ । ଏହା ଦ୍ବାରା ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଦେବଗଡ଼ର ୬୯ଟି ପଞ୍ଚାୟତରେ ୧୭ଟି ବସ୍ ଚାଲିବ । ୩ ଲକ୍ଷ ଲୋକ ଉପକୃତ ହେବେ । ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍ ଚାଲିବ । ପ୍ରାୟ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ ଚାଲିବ । ୧୩ ଲକ୍ଷ ଲୋକ ଉପକୃତ ହେବେ ।
ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ମିଶନ ଶକ୍ତି ମା’ଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ । ଲକ୍ଷ୍ମୀ ବସ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଯୋଜନା ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ମଧ୍ୟ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ ହୋଇଛି । ଏଥିରେ ମା’ମାନଙ୍କ ପାଇଁ ବସ ଟିକେଟ ମୂଲ୍ୟ ଅଧା କରାଯାଇଛି । ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ।