ଓଡିଶା

odisha

By ETV Bharat Odisha Team

Published : Feb 20, 2024, 9:22 PM IST

ETV Bharat / state

ଜମି ପଟ୍ଟା ପାଇବେ ୨୬ଜିଲ୍ଲାର ୨ଲକ୍ଷ ୫୦ହଜାର ଚାଷୀ, ଲୋକଙ୍କ ଖୁସି ସବୁଠାରୁ ବଡ ପୁରସ୍କାର କହିଲେ ନବୀନ

land Issue Solved: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ଆଜି ହୋଇଛି ସମାଧାନ । ସିକିମ ସ୍ବତ୍ବ ରୟତ ଚାଷୀଙ୍କୁ ମିଳିଛି ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ବତନ୍ତ୍ର ସମାରୋହରେ ଏହି ଜମିପଟ୍ଟା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Land Patta
Land Patta

ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ଆଜି ହୋଇଛି ସମାଧାନ । ସିକିମ ସ୍ବତ୍ବ ରୟତ ଚାଷୀଙ୍କୁ ମିଳିଛି ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ବତନ୍ତ୍ର ସମାରୋହରେ ଏହି ଜମିପଟ୍ଟା ପ୍ରଦାନ କରିଛନ୍ତି । ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ପ୍ରାୟ ୨ ଲକ୍ଷ ୫୦ ହଜାର ଚାଷୀ । ପ୍ରଥମ ଦିନରେ ଆଜି ୨୬ ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀଙ୍କୁ ଜମି ପଟ୍ଟା ମିଳିଛି। ଏହି ଅବସରରେ ଲୋକଙ୍କ ଖୁସି ସବୁଠାରୁ ବଡ ପୁରସ୍କାର କହିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ମୋ ସରକାରର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି । ସିକିମ ରୟତଙ୍କର ବହୁ ଦିନର ସମସ୍ୟା ଥିଲା । ଜମି ଉପରେ ଅଧିକାର ନଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ । 5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ସମୟରେ ସିକିମ ରୟତମାନେ ଭେଟି ଅସୁବିଧା ବିଷୟରେ ଜଣାଇଥିଲେ । ସେ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସିକିମ ରୟତଙ୍କ ଶହ ଶହ ବର୍ଷର ସମସ୍ୟାର ସମାଧାନ ଏକ ଐତିହାସିକ ପଦକ୍ଷେପ । ଲୋକଙ୍କ ଖୁସି ହିଁ ମୋର ସବୁଠାରୁ ବଡ ପୁରସ୍କାର ।

ଅଧିକ ପଢନ୍ତୁ- ଦୂର ହେବ ସିକିମ ରୟତଙ୍କ ଜମି ସମସ୍ୟା: ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀ

ଗଞ୍ଜାମ ଜିଲ୍ଲାରେ ଗ୍ରାମକଣ୍ଠ ଓ ପରମ୍ବୋକ ଜମି ସମସ୍ୟାର ମଧ୍ୟ କିଛି ଦିନ ତଳେ ସମାଧାନ କରାଯାଇଛି । ଜନସାଧାରଣଙ୍କ ସମସ୍ୟାର ସମାଧାନ ପ୍ରତି ଏହା ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଓ ନିଷ୍ଠାର ପରିଚୟ । ରାଜ୍ୟ ସରକାରଙ୍କ ଏହି ଆଇନଗତ ପଦକ୍ଷେପ ବଳରେ ସିକିମ ଜମି ଉପରେ ଜମି ସ୍ବତ୍ବ ଥିବା ରୟତମାନେ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତ ହୋଇଛନ୍ତି । ଏଥି ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଜ ଆଡୁ ମକଦମା କରି ଏହି ସବୁ ସିକିମ ଜମି ସମସ୍ୟାର ସମାଧାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଓ ଦୂରଦର୍ଶୀ ନେତୃତ୍ବ ଯୋଗୁଁ ବହୁ ବର୍ଷର ସମସ୍ୟା ହୋଇ ପଡିରହିଥିବା ଏହି ସିକିମ ରୟତ ସମସ୍ୟାର ଆଜି ସମାଧାନ ହୋଇଛି ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରି କହିଛନ୍ତି ଯେ, ଏହି ସିକିମ ରୟତ ସମସ୍ୟା ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷର ସମସ୍ୟା ହୋଇ ରହିଥିଲା । ଜିଲ୍ଲା ଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଥମେ ଏହି ଆବେଦନ ଆସିଥିଲା । ଖୁବଶୀଘ୍ର ଏହାର ସମାଧାନ କରାଗଲା । ବାକି ରହିଯାଇଥିବା ଜମି ପଟ୍ଟା ପ୍ରଦାନ କାର୍ଯ୍ୟକୁ ଶୀଘ୍ର ଶେଷ କରାଯିବ । ସ୍ବଚ୍ଛତା ଓ ସମ୍ମାନର ସହ ବଣ୍ଟନ କରିବା ପାଇଁ ସେ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ୧୦୦ ବର୍ଷରୁ ଉର୍ଦ୍ଧ୍ବ ଗ୍ରାମକଣ୍ଠ ପରମ୍ବୋକ ସମସ୍ୟା ରହିଥିଲା । ୨୦୦୯ ବର୍ଷରେ ଆଇନ ବଦଳାଇ ମୁଖ୍ୟମନ୍ତ୍ରୀ ତା’ର ସଂଶୋଧନ କରିଛନ୍ତି । ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଚକ ଜମି ବିକ୍ରୀ ଅସୁବିଧାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୂର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଲୋକଙ୍କ ସେବା, ଲୋକଙ୍କୁ ସଶକ୍ତ କରିବ ପାଇଁ ଆଇନ ରହିଛି । ଲୋକଙ୍କ ହିତ ପାଇଁ ଆଇନକୁ ମଧ୍ୟ ସଂଶୋଧନ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।

କେନ୍ଦ୍ରାପଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ, ଜଗତସିଂହପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଟକରେ ବିଧାୟକ ପ୍ରତାପ କୁମାର ଜେନା, ବାଲେଶ୍ବରରେ ବିଧାୟକ ସ୍ବରୂପ ଦାସ, ଖୋର୍ଦ୍ଧାରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଗଞ୍ଜାମରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ପୁରୀରେ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ଉପସ୍ଥିତ ରହିଥିଲେ । ସିକିମ ରୟତ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପଟ୍ଟା ବଣ୍ଟନ କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଛନ୍ତି । ସିକିମ ସ୍ବତ୍ତ୍ଵ ସମସ୍ୟା ଓ ବିଭାଗ ପକ୍ଷରୁ ସମାଧାନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details