ଭୁବନେଶ୍ବର: ଶୃଙ୍ଖଳିତ ଆର୍ଥିକ ପରିଚାଳନା ପାଇଁ ସାରା ଦେଶରେ ଓଡ଼ିଶାକୁ ମିଳିଛି ଭିନ୍ନ ପରିଚୟ । ଗତ ଅଢ଼େଇ ଦଶନ୍ଧିରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ଆୟ ହାର ବୃଦ୍ଧି ଦେଶରେ ସବୁଠାରୁ ଅଧିକ ରହିଛି । ଏପରିକି ଓଡ଼ିଶାଠାରୁ ଗୁଜରାଟ, ଛତିଶଗଡ଼, ହରିଆଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଆସାମ, ବିହାର ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟ ଢ଼େର ପଛରେ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (EAC-PM) ରିପୋର୍ଟ-2024ରେ ଏହା ପ୍ରକାଶିତ ହୋଇଛି ।
- 23 ବର୍ଷରେ 32.7 ପ୍ରତିଶତ ବଢିଛି ମୁଣ୍ଡପିଛା ଆୟ:-
ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ 2000-2001ରେ ରାଜ୍ୟରେ ସାପେକ୍ଷ ମୁଣ୍ଡପିଛା ଆୟ 55.8 ପ୍ରତିଶତ ଥିବା ବେଳେ ଗତ ଆର୍ଥିକବର୍ଷରେ ଏହା 88.5 ପ୍ରତିଶତରେ ପହଞ୍ଚିଛି । ଗତ 23 ବର୍ଷ ମଧ୍ୟରେ ଓଡ଼ିଶାର ସାପେକ୍ଷ ମୁଣ୍ଡପିଛା ଆୟରେ 32.7 ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ବିହାରର ମାତ୍ର 5 ପ୍ରତିଶତ, ଝାଡଖଣ୍ଡର 8.33 ଓ ଆସାମର 13.91 ପ୍ରତିଶତ ଅଭିବୃଦ୍ଧି ଘଟିଛି । ମହାରାଷ୍ଟ୍ରର ମୁଣ୍ଡପିଛା ଆୟରେ ଏହି ଦୁଇ ଦଶକ ମଧ୍ୟରେ ମାତ୍ର 14 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମଧ୍ୟ ପ୍ରଦେଶର ଅଭିବୃଦ୍ଧି 18.90 ପ୍ରତିଶତ ରହିଛି । ରାଜସ୍ଥାନର ମୁଣ୍ଡପିଛା ଆୟ ବୃଦ୍ଧି 20.63 ପ୍ରତିଶତ, ହରିୟାଣାର 26.10 ପ୍ରତିଶତ, ଛତିଶଗଡ଼ର 33.55 ପ୍ରତିଶତ ଏବଂ ଗୁଜରାଟର ଅଭିବୃଦ୍ଧି 48.24 ପ୍ରତିଶତ ଥିବା ରିପୋର୍ଟରେ ଦର୍ଶାଯାଇଛି ।
- 2000-2001ରେ ରାଜ୍ୟରେ ମୁଣ୍ଡପିଛା ଆୟ 55.8%
- 2023 ଆର୍ଥିକ ବର୍ଷରେ ଏହା 88.5%
- 23 ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟରେ 32.7% ଅଭିବୃଦ୍ଧି
- ପଛରେ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ
ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କେବଳ ସାପେକ୍ଷ ମୁଣ୍ଡପିଛା ଆୟ ନୁହେଁ; ଋଣ, ରାଜସ୍ବ ବଳକା ସ୍ଥିତି ଏବଂ ରାଜସ୍ଵ ନିଅଣ୍ଟ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ ବଡ଼ ରାଜ୍ୟ ତୁଳନାରେ ଆଗରେ ରହିଛି । FRBM ଆଇନ ଅନୁସାୟରେ ‘ଜିଏସଡିପି’ର 25 ପ୍ରତିଶତ ପର୍ଯ୍ୟନ୍ତ ଋଣ କରିବାକୁ ଅନୁମତି ଥିବା ବେଳେ ବିଜେଡି ସରକାରରେ ଏହା 12 ପ୍ରତିଶତରୁ କମ ରହିଛି । ସେହିପରି ରାଜ୍ୟର ରାଜସ୍ଵ ନିଅଣ୍ଟ 3 ପ୍ରତିଶତରୁ କମ ରହିଛି । ରାଜସ୍ୱ ବଳକା ରାଜ୍ୟ ଭାବେ ଓଡ଼ିଶା ଦେଶର ଶ୍ରେଷ୍ଠ 3ଟି ରାଜ୍ୟ ମଧ୍ୟରେ ରହିଛି । ଶୃଙ୍ଖଳିତ ବିତ୍ତୀୟ ପରିଚାଳନାରେ ଓଡିଶା ଦେଶରେ ଉଦାହରଣ ହୋଇଛି । ନିଅଣ୍ଟିଆ ରାଜ୍ୟରୁ ରାଜସ୍ଵ ବଳକା ରାଜ୍ୟରେ ଓଡ଼ିଶା ପରିଣତ ହୋଇଛି । ଅନ୍ୟ ରାଜ୍ୟ ଋଣ ପରେ ଋଣ କରି ଚାଲିଥିବା ବେଳେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବରେ 2022-2023 ଓ 2023-2024 ରେ ଋଣ ପରିଶୋଧ କରି ଉଦାହାରଣ ସୃଷ୍ଟି କରିଛି ।
- ଋଣ, ରାଜସ୍ବ ବଳକା ଓ ରାଜସ୍ଵ ନିଅଣ୍ଟ କ୍ଷେତ୍ରରେ ଓଡ଼ିଶା ଆଗରେ
- FRBM ଆଇନରେ ‘ଜିଏସଡିପି’ର 25 ପ୍ରତିଶତ ପର୍ଯ୍ୟନ୍ତ ଋଣ ଅନୁମତି
- ବିଜେଡି ସରକାର ଅମଳରେ ଏହା 12%ରୁ କମ
- ରାଜ୍ୟର ରାଜସ୍ଵ ନିଅଣ୍ଟ 3%ରୁ କମ
- ରାଜସ୍ୱ ବଳକା ରାଜ୍ୟ ଭାବେ ଓଡ଼ିଶା ଦେଶର ଶ୍ରେଷ୍ଠ 3ଟି ରାଜ୍ୟ ମଧ୍ୟରେ ଅନ୍ୟତମ
- ଶୃଙ୍ଖଳିତ ବିତ୍ତୀୟ ପରିଚାଳନାରେ ଓଡିଶା ଦେଶରେ ଉଦାହରଣ
- ନିଅଣ୍ଟିଆ ରାଜ୍ୟରୁ ରାଜସ୍ଵ ବଳକା ରାଜ୍ୟରେ ଓଡ଼ିଶା ପରିଣତ
- ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ 2022-2023 ଓ 2023-2024ରେ ଋଣ ପରିଶୋଧ କରି ଉଦାହାରଣ ସୃଷ୍ଟି କରିଛି
- 2000 ରୁ 2024 ମଧ୍ୟରେ ରାଜ୍ୟର ସ୍ଥିତି ବଦଳିଛି : ବିଜେଡି
ଏହି ରିପୋର୍ଟ ପ୍ରସଙ୍ଗରେ ବିଜେଡିର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ରିପୋର୍ଟ ପ୍ରକାଶ ପାଇଛି । ଗତ 24 ବର୍ଷ ହେଲା ଓଡିଶାର ପ୍ରଗତି ଲାଗି କାର୍ଯ୍ୟ କରିଥିବା ବ୍ୟକ୍ତି ଗର୍ବିତ ହୋଇଥିବେ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଏହି ରିପୋର୍ଟ ଓଡିଶାର ଅର୍ଥନୈତିକ ପରିବର୍ତ୍ତନ ଯାହା 2000 ରୁ 2024 ମଧ୍ୟରେ ହୋଇଛି, ତାହା ଉପରେ ତଥ୍ୟ ଦେଇଛନ୍ତି । ମୁଣ୍ଡ ପିଛା ଆୟକୁ ଦ୍ରୁତଗତିରେ ବୃଦ୍ଧି କରିବାରେ ବିଗତ 2 ଦଶନ୍ଧିରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଏହାର ଶ୍ରେୟ ସେମାନେ ଓଡିଶା ସରକାରଙ୍କ ଦୂରଦର୍ଶିତା ଓ ପାରଦର୍ଶିତାକୁ ଦେଇଛନ୍ତି । ରାଜ୍ୟର ମୁଣ୍ଡପିଛା ଆୟ ଓ ଦେଶର ‘ଜିଡିପି’ରେ ଯୋଗଦାନ କ୍ଷେତ୍ରରେ ଓଡିଶା ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ଦେଶର ଜିଡିପି ଯୋଗଦାନରେ ପଞ୍ଜାବ, ମହାରାଷ୍ଟ୍ର ଓ ଦିଲ୍ଲୀ ତୁଳନାରେ ଓଡ଼ିଶାର ଭଲ ରହିଛି । ଆର୍ଥିକ ବର୍ଷ 2000- 2001ରେ ଦେଶର ଜିଡିପିରେ ଓଡିଶାର ଯୋଗଦାନ 2.3 ପ୍ରତିଶତ ଥିଲା । ଆର୍ଥିକ ବର୍ଷ 2023-24ରେ ଏହା 2.8 ପ୍ରତିଶତ ହୋଇଛି । ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଝାରଖଣ୍ଡ ଓ ଦିଲ୍ଲୀର ଯୋଗଦାନ କମିଛି । ଏହି ସମୟରେ ନବୀନ ସରକାର ଓଡ଼ିଶା ରାଜସ୍ୱ କ୍ଷେତ୍ରରେ ବଳକା ରାଜସ୍ୱ ଛାଡ଼ି ସରକାରରୁ ବାହାରିଛି ।"
ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଓଡ଼ିଶାର ଦୁଇ ଦଶନ୍ଧିର ପ୍ରଗତି ହୋଇଛି ପ୍ରଶଂସିତ।
— Biju Janata Dal (@bjd_odisha) September 24, 2024
ମୁଣ୍ଡପିଛା ଆୟ ବୃଦ୍ଧି ହାରରେ ଓଡ଼ିଶାର ଅଭିବୃଦ୍ଧି ସର୍ବାଧିକ।
ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଲୋକାଭିମୁଖୀ ଯୋଜନା ପାଇଁ ଓଡ଼ିଶା ହେଉଛି ସଫଳ।
କେବଳ ନାମ ଓ ରଙ୍ଗ ବଦଳାଇବାରେ ସୀମିତ ନ ରହି ନବୀନଙ୍କ ଯୋଜନାକୁ ଆଗେଇ… pic.twitter.com/DYH1wEfuqC
- ନବୀନଙ୍କୁ ଶ୍ରେୟ ଦେଲେ ସଂତୃପ୍ତ :-
ସଂତୃପ୍ତ ଆହୁରି ମଧ୍ୟ କହିଛନ୍ତି,‘‘ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ 2000 ମସିହାରେ ଶପଥ ନେଇଥିଲେ । ତାହା ପୂର୍ବରୁ ରିଜର୍ଭ ବ୍ୟାଙ୍କର 144 କୋଟିର ଓଭରଡ୍ରାଫ୍ଟ ଓଡିଶା ଉପରେ ଥିଲା । ସରକାରୀ କର୍ମଚାରୀ ଦରମା ଓ ପେନସନ ପାଉନଥିଲେ । ଗତ 24 ବର୍ଷରେ ଦେବାଳିଆ ରାଜ୍ୟ ଅର୍ଥନୈତିକ ଶୃଙ୍ଖଳାରେ ପହଞ୍ଚିଛି । ବିଭିନ୍ନ ଯୋଜନା ପାଇଁ ଦାରିଦ୍ର ଦୂରୀକରଣ ହୋଇଛି । ଦୁଇଟି ହକି ବିଶ୍ୱକପ ଓଡିଶା ଆୟୋଜନ କରିଛି । ଯଦି ବିକାଶ ହୋଇନଥାନ୍ତା, ବିଶ୍ୱକପ ପାଇଁ କେହି ଆସିନଥାନ୍ତେ । 2000-2001 ଆର୍ଥିକ ବର୍ଷରେ ମୁଣ୍ଡ ପିଛା ଆୟ 10 ହଜାର 211 ଟଙ୍କା ଥିଲା । ବର୍ତ୍ତମାନ 1 ଲକ୍ଷ 61 ହଜାର 437 ଟଙ୍କା ହୋଇଛି । 2000 ମସିହାରେ 70 ପ୍ରତିଶତ ଦାରିଦ୍ର୍ୟ ରେଖା ତଳେ ଥିଲେ । ଯାହା ଏବେ 10 ପ୍ରତିଶତ ରହିଛି ।"
ଓଡ଼ିଶାର ଏହି ବିକାଶ ଯାତ୍ରାରେ ରହିଛି ସଭିଙ୍କ ବଡ଼ ଯୋଗଦାନ। ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ବଳରେ ଓଡ଼ିଶା ଲେଖିଛି ନୂଆ ଇତିହାସ। ଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶାର ମୁଣ୍ଡପିଛା ଆୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ରାଜ୍ୟର ଏହି ରୂପାନ୍ତରଣରେ ସହଭାଗୀ ହୋଇଥିବାରୁ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ଧନ୍ୟବାଦ ଜଣାଉଛି। #5T #OdishaLeads pic.twitter.com/gPWgxVQcvW
— Naveen Patnaik (@Naveen_Odisha) September 20, 2024
- 2000-2001ରେ ମୁଣ୍ଡ ପିଛା ଆୟ 10 ହଜାର 211 ଟଙ୍କା ଥିଲା
- ବର୍ତ୍ତମାନ ମୁଣ୍ଡ ପିଛା ଆୟ 1 ଲକ୍ଷ 61 ହଜାର 437 ଟଙ୍କା
- 2000ରେ 70% ଦାରିଦ୍ର୍ୟ ରେଖା ତଳେ ଥିଲେ
- ବର୍ତ୍ତମାନ ଏହା 10% ପ୍ରତିଶତ ରହିଛି
- ନବୀନଙ୍କ ଶାସନରେ ବଦଳିଛି ସ୍ଥିତି:-
ସେ ଆହୁରି ମଧ୍ୟ କହିଛନ୍ତି, "2000 ମସିହାରେ 10 ହଜାର କୋଟି ବଜେଟ ଥିଲା । ନବୀନ ସରକାରଙ୍କ ଶେଷ ବଜେଟ 2 ଲକ୍ଷ 55 ହଜାର କୋଟି ଥିଲା । ବିକାଶମୂଳକ କାର୍ଯ୍ୟ କରିବାକୁ ବିଜେଡି ସରକାର 24 ବର୍ଷରେ 74 ହଜାର କୋଟି ଟଙ୍କା ଋଣ ନେଇଥିଲା । କିନ୍ତୁ ଏବେର ସରକାର 3 ମାସରେ 44 ହଜାର କୋଟି ଋଣ ନେଇସାରିଲାଣି । ଆଗାମୀ 5 ବର୍ଷରେ 3 ଲକ୍ଷ କୋଟି ଋଣ ନେବାର ଯୋଜନା ରହିଛି । ଏଭଳି ଋଣ ଭାର ଯୋଗୁଁ 2000 ମସିହାରେ ସରକାରୀ କର୍ମଚାରୀ ଦରମା ଓ ପେନସନ ପାଉନଥିଲେ । ଧାନ, ଅଣ୍ଡା ଉତ୍ପାଦନ ଓଡିଶାରେ ବଢିଛି । ମାଛ ଉତ୍ପାଦନରେ ଓଡ଼ିଶା ଏବେ 4 ସ୍ଥାନରେ ପହଁଚିଛି । ନବୀନ ସରକାରରେ ବିମାନ ବନ୍ଦର ଓ ପୋର୍ଟ ବଢିଛି ।"
- 2000 ମସିହାରେ 10 ହଜାର କୋଟି ବଜେଟ ଥିଲା
- ନବୀନ ସରକାରଙ୍କ ଶେଷ ବଜେଟ 2 ଲକ୍ଷ 55 ହଜାର କୋଟି
- ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡି ସରକାର 24 ବର୍ଷରେ 74 ହଜାର କୋଟି ଟଙ୍କା ଋଣ
ଏବେର ସରକାର 3 ମାସରେ 44 ହଜାର କୋଟି ଋଣ
ଏମିତି କହିଲେ ପଞ୍ଚାନନ:-
ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି," ରିପୋର୍ଟକୁ ସଠିକ ଭାବେ ଅଧ୍ୟୟନ କରିବା ଦରକାର । ଗୋଟିଏ ଦିନରେ ଗୋଟିଏ ବ୍ୟବସ୍ଥା ତିଆରି ହୋଇନଥାଏ । ଏହା ପଛରେ ଅନେକ ଦିନର କାର୍ଯ୍ୟକ୍ରମ ଥାଏ । ସେ ଦୃଷ୍ଟିରୁ ଓଡ଼ିଶାର 25 ବର୍ଷର ଶାସନ ଓ ତା’ ପୂର୍ବର ଶାସନ ଏକ ବ୍ୟବସ୍ଥାକୁ ନିର୍ମାଣ କରିଥିଲା । ସେହି ବ୍ୟବସ୍ଥା ଅନୁଯାୟୀ ଆମେ ଆଗଉଛେ । ଏହାର ଗତି କେତେ ପ୍ରଖର, ସ୍ଥିର ବା ଅସ୍ଥିର, ତାହା ଜାଣିବାର କଥା । ଯଦି ସ୍ଥିର, ତାହାଲେ ବିପଦ । ଯଦି ଅସ୍ଥିର, ତାହାଲେ ବିପଦ । ଯଦି ଆଗଉଛି, ତାହାଲେ ଅର୍ଥନୀତି ଠିକ ଅଛି ବୋଲି ଜାଣିବା । ସେ ଆଗଉଥିବା ସ୍ଥିତିକୁ ନେଇ ପରାମର୍ଶଦାତା କମିଟି ରିପୋର୍ଟ ପ୍ରକାଶ କରିଛି, ତାହାଲେ ଦେଶର ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ଲାଗି ବ୍ୟବସ୍ଥା କରିବା ଦରକାର ।"
ସେ ଆହୁରି ମଧ୍ୟ କହିଛନ୍ତି, "ଅତୀତରେ ଓଡିଶାର ଅର୍ଥନୈତିକ ସ୍ଥିତି ଖରାପ ଥିଲା । କର୍ମଚାରୀଙ୍କୁ ଦରମା ଦେବାରେ ଆମେ ସକ୍ଷମ ହେଉନଥିଲୁ । ସେଥିରୁ ବାହାରି ଆମେ ଆଜି ବଳକା ରାଜ୍ୟ ହୋଇଛେ । ଏହାର ଦୁଇଟି ମୁଖ୍ୟ କାରଣ ଥିଲା । 2003/04 ରେ ହଠାତ ଖଣିଜ ପଦାର୍ଥ ମୁଲ୍ୟ ବୃଦ୍ଧି ହୋଇଗଲା । ଖଣିଜ ପଦାର୍ଥ ବିକ୍ରି ବାବଦରେ ଓଡ଼ିଶା ଯେଉଁ ଅର୍ଥ ପାଇଲା, ସେଥିରେ ଆମ ଅର୍ଥନୈତିକ ପରିସ୍ଥିତି ସୁଧୁରିଲା । ସେହିପରି ଅବକାରୀ ବାବଦରେ ରାଜସ୍ୱ ବାବଦରେ ଅର୍ଥ ସହଯୋଗ କଲା । ଅର୍ଥ ପରିଚାଳନା ସଠିକ ନହେଲେ ବିପଦ ଆଣିବ । ଗତ କିଛି ବର୍ଷ ହେବ ଯେଉଁ କ୍ଷେତ୍ରରେ ଆବଶ୍ୟକ ସେଠାରେ ଅର୍ଥ ଖର୍ଚ୍ଚ ନକରି, ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଅର୍ଥ ଖର୍ଚ୍ଚ ହୋଇଛି । ସେଥିରେ କିଛି ଲୋକ ସେମାନଙ୍କ ହାତ ଚିକଣ କରିଛନ୍ତି । ଲୋକଙ୍କ ପାଖରେ ଯେତିକି ସୁବିଧା ଦରକାର ତାହା ପହଞ୍ଚିନାହିଁ ।"
- ଅର୍ଥନୀତି ବିଶେଷଜ୍ଞ ଦିଲ୍ଲୀପ ବିଶୋଇଙ୍କ ମତରେ:-
ଅର୍ଥନୀତି ବିଶେଷଜ୍ଞ ଦିଲ୍ଲୀପ ବିଶୋଇ କହିଛନ୍ତି," 1960-61 ଆର୍ଥିକ ବର୍ଷରେ ଓଡିଶାର ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା । ଆଜିକା ଦିନରେ ଆମର ଅର୍ଥନୀତି ବହୁତ ଆଗରେ ରହିଛି । ବର୍ତ୍ତମାନ ଦେଶର ଜିଡିପିକୁ ଓଡ଼ିଶାର ଯୋଗଦାନ 2.8 ପ୍ରତିଶତ ରହିଛି । ପ୍ରତିବର୍ଷ ହାରାହାରି 8 ପ୍ରତିଶତ ଜିଡିପିରେ ଗ୍ରୋଥ ରେଟ ରହିଛି । ଯାହା ଜାତୀୟ ହାରଠାରୁ ଅଧିକ । ମୁଣ୍ଡ ପିଛା ଆୟ ମଧ୍ୟ ବହୁତ ବଢିଛି । କାରଣ ଗତ 24 ବର୍ଷ ହେଲା ଏକ ସ୍ଥିର ସରକାର ଓଡିଶାରେ କାର୍ଯ୍ୟ କରୁଥିଲା । ଓଡିଶାର ଅର୍ଥନୈତିକ ସ୍ଥିତିକୁ ସୁଧାରିବା ଲାଗି ନବୀନ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ନବୀନ ସରକାର ଯେଉଁଠି ଛାଡିଛନ୍ତି, ମୋହନ ସରକାର ସେଇଠୁ ଆଗକୁ ନେବାର ଆବଶ୍ୟକତା ରହିଛି । ବିଜେପି ସରକାର 2029, 2036 ଓ 2047 ଟାର୍ଗେଟ ରଖିଛନ୍ତି, ତେଣୁ ଏ ଦିଗରେ କାର୍ଯ୍ୟ କରିବାକୁ ପଡିବ । ଦୁଇଟି ପ୍ରମୁଖ କଥା ନୂଆ ସରକାରକୁ କରିବାକୁ ପଡିବ । ଜିଡିପି ଗ୍ରୋଥ ରେଟ ସହ ମୁଣ୍ଡ ପିଛା ଆୟ ବଢ଼େଇବାକୁ ପଡିବ । ଯେପର୍ଯ୍ୟନ୍ତ ମୁଣ୍ଡ ପିଛା ଆୟ ନବଢ଼ିଛି ସେପର୍ଯ୍ୟନ୍ତ ଜିଡିପି ଯେତେ ବଢିଲେ ବି ଲାଭ ହେବନାହିଁ । ଖଣି କ୍ଷେତ୍ରରେ ଆମେ 50 ହଜାର କୋଟି ପାଉଛୁ । ତାକୁ କିଭଳି ଭାବେ ଖର୍ଚ୍ଚ କରିବା ତାହା ଉପରେ ସବୁ ନିର୍ଭର କରୁଛି ।"
1960-61ରେ ଓଡିଶାର ଆର୍ଥିକ ସ୍ଥିତି ଖରାପ
ବର୍ତ୍ତମାନ ଦେଶର ଜିଡିପିକୁ ଓଡ଼ିଶାର ଯୋଗଦାନ 2.8%
ପ୍ରତିବର୍ଷ ହାରାହାରି 8% ଜିଡିପିରେ ଅଭିବୃଦ୍ଧି ରେଟ ରହିଛି
ଏହା ଜାତୀୟ ହାରଠାରୁ ଅଧିକ, ମୁଣ୍ଡ ପିଛା ଆୟ ମଧ୍ୟ ବଢିଛି
ଦିଲ୍ଲୀପ ବିଶୋଇ ଏହା ମଧ୍ୟ କହିଛନ୍ତି, "କେନ୍ଦ୍ର ଓ ରାଜ୍ୟ ମାନଙ୍କ ଋଣ ଭାର ମିଶି ଦେଶର ବଜେଟର ପ୍ରାୟ 88 ପ୍ରତିଶତ । ଯାହା ଉଦବେଗଜନକ କଥା । କିନ୍ତୁ ଓଡିଶାର ଋଣ ଭାର ବହୁତ କମ ରହିଛି । ବର୍ତ୍ତମାନ ସରକାର କିଛି ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ପ୍ରାୟ 50 ହଜାର କୋଟି ଟଙ୍କା ଋଣ କରୁଛନ୍ତି । ଋଣ ଖରାପ ନୁହେଁ, ଏହା ଜିଡିପିକୁ ପ୍ରଭାବିତ କରୁନାହିଁ । ଋଣ କରି ଆସେଟ କ୍ରିଏସନରେ ବ୍ୟବହାର କରୁଛନ୍ତି ନା ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ । ନିଜ କ୍ଷମତା ବାହାରକୁ ଯାଇ ଋଣ ଆଣିବା ଠିକ ନୁହେଁ ।
ଇଟିଭି ଭାରତ, ଭୁବନେଶ୍ବର/RKC