ହାଇଦ୍ରାବାଦ:‘‘ ଭାବନ୍ତୁନାହିଁ ଯେ ବାଂଲାଦେଶରେ ହସିନା ୱାଜେଦ ସରକାରର ପତନ ସମ୍ପର୍କରେ ପୂର୍ବାନୁମାନ କରିପାରିନଥିଲୁ । ଗଣମାଧ୍ୟମରେ ଆମକୁ ଯେତେ ଅନଭିଜ୍ଞ ବୋଲି ଚିତ୍ରଣ କରାଯାଉଛି, ସେତେ ଅନଭିଜ୍ଞ ଆମେ ନୁହଁ ।’’ ଜଣେ ଭାରତୀୟ ଅଧିକାରୀଙ୍କ ଏହି ବୟାନ ଏବେ ବାଂଲାଦେଶ ସଙ୍କଟ ପ୍ରସଙ୍ଗ ଓ ନୂଆଦିଲ୍ଲୀର ଆଭିମୁଖ୍ୟକୁ ପୁଣି ଚର୍ଚ୍ଚିତ କରିଛି । ଏହି ଅଧିକାରୀ ବାସ୍ତାବରେ ସଙ୍କେତ ଦେଇଛନ୍ତି, ଯେ ବାଂଲାଦେଶରେ ହେବାକୁ ଥିବା କ୍ଷମତା ପରିବର୍ତ୍ତନ ସମ୍ପର୍କରେ ନୂଆଦିଲ୍ଲୀ ନିକଟରେ ପୂର୍ବ ସୂଚନା ଥିଲା । ବାଂଲାଦେଶ ସଙ୍କଟ କାରଣରୁ ନୂଆଦିଲ୍ଲୀ ବ୍ୟସ୍ତ ମଧ୍ୟ ନୁହେଁ, କିମ୍ବା ଏହା ଭାରତରେ କୌଣସି ପ୍ରଭାବ ପକାଇବ ନାହିଁ ।
- ଢାକାର ପ୍ରଭାବ ନୂଆଦିଲ୍ଲୀରେ ନାହିଁ:-
ଯଦି ଢାକାରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ପୂର୍ବରୁ ଯଦି ନୂଆଦିଲ୍ଲୀ ସରକାର ଜାଣିଥିଲା, ତେବେ ନୂଆଦିଲ୍ଲୀ ପ୍ରକୃତରେ ଏପରି ସ୍ଥିତିରେ କ’ଣ କରିଥିଲା ? ବାଂଲାଦେଶରେ ହୋଇଥିବା ଏହି କ୍ଷମତା ପରିବର୍ତ୍ତନକୁ ଅନୁମତି ଦେବା ବ୍ୟତୀତ ଆମେ କିଛି କରିପାରିନଥାନ୍ତୁ ବୋଲି ଏହି ଅଧିକାରୀ ସ୍ପଷ୍ଟ କରିଛନ୍ତି । ପ୍ରକୃତରେ ଅଧିକାରୀ ଜଣକ ଏହି ନିଷ୍ପତ୍ତି ପଛରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅନେକ କାରଣ ଦର୍ଶାଇ ନାହାଁନ୍ତି । କିନ୍ତୁ ଏକ ପଡୋଶୀ ଦେଶରେ ହିଂସାତ୍ମକ କ୍ଷମତା ପରିବର୍ତ୍ତନ ଘଟିବା ପରେ ନୂଆଦିଲ୍ଲୀରେ କୌଣସି ପ୍ରଭାବ କିମ୍ବା ସଙ୍କଟଜନକ ସ୍ଥିତି ସୃଷ୍ଟି ହେବା ପରି କୌଣସି କାରଣ ମଧ୍ୟ ନଥିବା ପରି ଅନୁଭବ ହେଉଛି ।
- ବାଂଲାଦେଶ ସର୍ବଦା ଭାରତ ଉପରେ ନିର୍ଭରଶୀଳ:-
ଆତଙ୍କିତ ହେବା ପରିବର୍ତ୍ତେ ଦିଲ୍ଲୀର କ୍ଷମତା କେନ୍ଦ୍ରରେ ଏକ ପ୍ରଗାଢ ଆତ୍ମବିଶ୍ୱାସ ରହିଛି ଯେ, ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହେବା ପରେ ମଧ୍ୟ ଢାକା ନୂଆଦିଲ୍ଲୀଠାରୁ ଦୂରେଇ ପାରିବ ନାହିଁ । ଢାକା ଭାରତ ବିନାର ସହଠୋଗ ପ୍ରକୃତରେ କ’ଣ କରିପାରିବ ? ବାଂଲାଦେଶର ମୁଣ୍ଡପିଛା ଜିଡିପି ବୃଦ୍ଧି, ଯାହା ଭାରତ ତୁଳନାରେ ଅଧିକ, ଭାରତରୁ ଇନପୁଟ ଯୋଗାଣ ବିନା ସମ୍ଭବ ନୁହେଁ । ତେଣୁ ବାଂଲାଦେଶର ଅର୍ଥନୀତି ଭାରତର ସହଯୋଗ ଉପରେ କେନ୍ଦ୍ରୀଭୂତ ହୋଇଛି ।
ବାଂଲଦେଶରେ ହାସିନାଙ୍କ ପତନ ଦକ୍ଷିଣ-ଏସୀୟ କ୍ଷେତ୍ରରେ ଭାରତର ପ୍ରଭାବ ବଜାୟ ରଖିବା କ୍ଷେତ୍ରରେ ଏକ ପ୍ରତିବନ୍ଧକ ଭାବରେ ବିବେଚନା କରାଯାଉଛି । ଭାରତର ପଡୋଶୀ ଦେଶମାନେ ତଥା ଉକ୍ତ ଅଞ୍ଚଳରେ ଅନ୍ୟ ଦେଶମାନେ ଏହି କ୍ଷେତ୍ରରେ ଭାରତର ରଣନୀତି କାମ କରୁଛି ବୋଲି ବିଶ୍ବାସ କରନ୍ତି ନାହିଁ । 2015 ରେ କେପି ଶର୍ମା ଓଲିଙ୍କ ଶାସନର ଅନ୍ତ ପରେ ନେପାଳରେ ଭାରତ ପ୍ରତି ମଧ୍ୟ ଆଭିମୁଖ୍ୟ ବଦଳିବା ପରି ସ୍ଥିତି ସୃଷ୍ଟି ହୋଇଛି । ଭାରତ ଆମେରିକା ଏବଂ ଚୀନ ପରି ପ୍ରଭାବଶାଳୀ ସ୍ଥିତିରେ ଅନ୍ୟ ଦେଶ ଉପରେ ପ୍ରଭାବ ପକାଇପାରିବ ନାହିଁ ବୋଲି ନେପାଳର ସାଧାରଣ ଜନତା ଅନୁଭବ କଲେଣି । ନେପାଳ କ୍ଷେତ୍ରରେ ଚୀନର ପ୍ରଭାବ ବଢିବାରେ ଲାଗିଛି ।
- ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଓ ଭାରତର ଭୂମିକା:-
ବାଂଲାଦେଶ ଭଳି ଶ୍ରୀଲଙ୍କା ମଧ୍ୟ ଭାରତର ସମର୍ଥନ ବିନା ଏହାର ବୃହତ ଅର୍ଥନୈତିକ ସମସ୍ୟାର ସମାଧାନ କରିବାରେ ବିଫଳ ହେବ । ଭାରତର ଜଳପଡୋଶୀ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ମଧ୍ୟ ଭାରତ ସହ ସମ୍ପୃକ୍ତ । ତେଣୁ ନୂଆଦିଲ୍ଲୀର ବିନା ସହଯୋଗରେ କଲମ୍ବୋ ଅର୍ଥନୀତି ନିୟନ୍ତ୍ରଣ କ୍ଷେତ୍ରରେ ପ୍ରକୃତରେ କିଛି କରିପାରିବ ନାହିଁ । ଦୁଇ ବର୍ଷ ପୂର୍ବେ ଯେତେବେଳେ ଶ୍ରୀଲଙ୍କାରେ ବିପର୍ଯ୍ୟସ୍ତ ସଙ୍କଟ ଆରମ୍ଭ ହୋଇଥିଲା, ସେତେବେଳେ ଭାରତ ସରକାର ଦ୍ୱୀପପୁଞ୍ଜ ରାଷ୍ଟ୍ରକୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ । ଭାରତରୁ ମିଳିଥିବା ସାହାଯ୍ୟ ହୁଏତ ଶ୍ରୀଲଙ୍କା ନାଗରିକମାନେ ଭୁଲିଯାଇ ପାରିବେ ନାହିଁ । କିନ୍ତୁ ଶ୍ରୀଲଙ୍କା କଦାପି ନିଜ ଆର୍ଥିକ ସଙ୍କଟ କାରଣରୁ ସାର୍ବଭୌମତ୍ୱ ହରାଇବାକୁ ଚାହିଁବ ନାହିଁ । ପ୍ରକୃତରେ ଚୀନ ଠାରୁ ଶ୍ରୀଲଙ୍କାର ମହିନ୍ଦା ରାଜପାକସେ ସରକାର ଋଣ ନେବା ଫଳରେ ଦେଶରେ ଆର୍ଥିକ ସମସ୍ୟା ଆରମ୍ଭ ହୋଇଥିଲା । ଦ୍ୱୀପରାଷ୍ଟ୍ରର ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେବା କାରଣରୁ ଶ୍ରୀଲଙ୍କା ପରବର୍ତ୍ତୀ ସମୟରେ ଚୀନଠାରୁ ଆଣିଥିବା ଋଣ ପରିଶୋଧ କରିବାରେ ଅସମର୍ଥ ହେଲେ ଓ ଏହା ହିଁ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ମୂଳ କାରଣ ଥିଲା । ଏବେ ବାମପନ୍ଥୀ ନେତା ଅନୁରା ଦିସାନାୟକେଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ପରେ ଭାରତ ସହ ତଙ୍କର କଣ ସମ୍ପର୍କ ରହିବ,ତାହା ଜଣାପଡିବ ।
- ପାକିସ୍ତାନରେ ଆୟୋଜିତ ‘ଏସସିଓ’ ସମ୍ମିଳନୀରେ ଭାରତ ଅଂଶଗ୍ରହଣ ଉପରେ ନଜର:-
ଭାରତ ନିଜର ସଙ୍କଟଗ୍ରସ୍ତ ପଡ଼ୋଶୀମାନଙ୍କୁ ସହଯୋଗ କରିବା କ୍ଷେତ୍ରରେ କଣ କିପରି ଆଭିମୁଖ୍ୟ ଗ୍ରହଣ କରେ, ତାହା ନିକଟ ଭବିଷ୍ୟତରେ ଜଣାପଡିବ । ଅକ୍ଟୋବର 15-16 ରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାରତ ଅଂଶଗ୍ରହଣ କରିବା ଉଚିତ କି ନାହିଁ ତାହା ଆସନ୍ତା ସପ୍ତାହରେ ନୂଆଦିଲ୍ଲୀ ସ୍ପଷ୍ଟ କରିବା । ଯଦି ଭାରତ ଇସଲାମାବାଦରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରେ, ତେବେ ଏହା କେବଳ ନୂଆଦିଲ୍ଲୀର ପଡ଼ୋଶୀମାନଙ୍କ ପ୍ରତି ଥିବା ମନୋଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେବ । ଆମେରିକାର ୱିଲମିଙ୍ଗଟନ ସହରରେ ଆମେରିକାର ନେତୃତ୍ୱାଧୀନ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଏହା ଚୀନ-ଋଷର ଦ୍ୱିପାକ୍ଷିକ ସମ୍ମିଳନୀରେ ଭାରତର ଅଂଶଗ୍ରହଣ ନୂଆଦିଲ୍ଲୀର ରଣନୈତିକ ସ୍ବାଧୀନତାକୁ ଦର୍ଶାଇବ ।
ସମ୍ପାଦକୀୟ...