ଭୁବନେଶ୍ବର:ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦଯାପିତ ହୋଇଛି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଫସଲର ବିବିଧକରଣ ସହ ଚାଷରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ରାଜ୍ୟର କୃଷକ ଭାଇଭଉଣୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜଳ ହେଉଛି ଅମୂଲ୍ୟ । ଚାଷୀ ଜଳର ଉଚିତ ବ୍ୟବହାର କରନ୍ତୁ । ଜଳର ସଂରକ୍ଷଣ ଓ ପୁର୍ନବ୍ୟବହାର ପାଇଁ ଚେଷ୍ଟା କରନ୍ତୁ । ଫସଲର ବିବିଧକରଣ କରନ୍ତୁ । ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରନ୍ତୁ । ଏହାଦ୍ୱାରା ଅଧିକ ଅମଳ କରି ଆପଣମାନେ କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବେ । ଏହା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଅଗ୍ରଣୀ କରିପାରିବେ । ପାଣି ପଞ୍ଚାୟତ ଚାଷୀ ଭାଇଭଉଣୀଙ୍କୁ ପାଣି ଉପରେ ଅଧିକାର ଦେଇଛି । ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି । ପାଣି ପଞ୍ଚାୟତ ଦ୍ୱାରା ପାଣିର ସଠିକ ଉପଯୋଗ କରିବା ସହିତ ଏକାଠି ହୋଇ କାମ କରିବାର ଇଚ୍ଛା ଶକ୍ତି ଓ ଦକ୍ଷତା ମଧ୍ୟ ବଢିଛି । ପାଣି ପଞ୍ଚାୟତର ସୁବିନିଯୋଗରେ ରାଜ୍ୟର ଚାଷୀ ଭଲ ଫସଲ କରିପାରୁଛନ୍ତି ।"
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହୋଇଛି । ଏବେ ଏହା ଆଉ ଏକ କାର୍ଯ୍ୟକ୍ରମ ନୁହେଁ, ଆନ୍ଦୋଳନରେ ପରିଣତ ହୋଇପାରିଛି । ଏଥିରେ ମେଗା ଲିପ୍ଟକୁ ସାମିଲ କରାଯାଇଛି । ମାଆମାନେ ଯେପରି ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗ ଦେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପାଣି ପଞ୍ଚାୟତରେ ମାଆମାନେ ବହୁତ ଭଲ କାମ କରୁଛନ୍ତି । ଚାଷୀଭାଇ ହେଉଛନ୍ତି ଆମର ଶକ୍ତି । ସେମାନଙ୍କ ଶକ୍ତି ବଢ଼ିଲେ ଓଡ଼ିଶାର ଶକ୍ତି ବଢିବ । ଚାଷୀମାନଙ୍କ ଉନ୍ନତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କ ଜମିକୁ ପର୍ଯ୍ୟାପ୍ତ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । କମାଣ୍ଡ ଏରିଆର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।"
ସେପଟେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଆନ୍ତରିକତା ଯୋଗୁ ଆଜି ସବୁ କ୍ଷେତ୍ରରେ ରୂପାନ୍ତର ଆସିଛି । କୃଷି ଓ ଜଳସେଚନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିଛି । ପାଣି ପଞ୍ଚାୟତ ଜରିଆରେ ଚାଷୀ ଜଳର ସଦୁପଯୋଗ କରି ଭଲ ଫସଲ କରିପାରୁଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ପାଣି ପଞ୍ଚାୟତର ପ୍ରୋଟୋଟାଇପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ସେଚ ସହଭାଗିତା ୨.୦ ଶୀର୍ଷକ ଏକ କଫି ଟେବଲ ପୁସ୍ତକ ଉନ୍ମୋଚନ କରିଛନ୍ତି । ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପାଣି ପଞ୍ଚାୟତ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ଓ ଶ୍ରେଷ୍ଠ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟର ୫୦ଟି ଶ୍ରେଷ୍ଠ ପାଣି ପଞ୍ଚାୟତକୁ ୫୦ ହଜାର ଲେଖାଏଁ, ୩୦ଟି ଜିଲ୍ଲାର ୩୦ ଜଣ ଶ୍ରେଷ୍ଠ କୃଷକଙ୍କୁ ୧୦ ହଜାର ଟଙ୍କା ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ୫୦୦ ଏବଂ ୫ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇଛି । ଏହାସହ ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ଜଗତସିଂହପୁରର ମା’ ବାଟମଙ୍ଗଳା ପାଣି ପଞ୍ଚାୟତ, ଶ୍ରେଷ୍ଠ ଚାଷୀ ଭାବେ ମାଲକାନଗିରିର ପୂର୍ଣ୍ଣିମା ହାଲଦାର, ଶ୍ରେଷ୍ଠ ଛାତ୍ରୀ ଭାବେ କେନ୍ଦ୍ରାପଡାର ମନସ୍ୱୀ ଦାସ, ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୋଟେରୁ ଜଳସେଚନ ପ୍ରକଳ୍ପ ଓ ଶ୍ରେଷ୍ଠ ଅଧିକାରୀ ଭାବେ ଚିକିଟି ମାଇନର ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନୀତା ଜେନା ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....କାଲିଠୁ ପାଣି ପଞ୍ଚାୟତ ପକ୍ଷ-୨୦୨୪, ସଚେତନତା ବାର୍ତ୍ତା ଦେବ ରଥ
ତେବେ ଆଜିର କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁଗର୍ଗ ସ୍ଵାଗତ ଭାଷଣରେ କହିଛନ୍ତି ଯେ, ପାଣି ପଞ୍ଚାୟତ ଗୁଡିକ ରାଜ୍ୟରେ ୧୩ ହଜାର କିଲୋମିଟର ଫିଲଡ଼ ଚ୍ୟାନେଲ କରିପାରିଛନ୍ତି । ଏହା ଦ୍ୱାରା ୧୩ ଲକ୍ଷ ହେକ୍ଟର ଚାଷ ଜମିରେ ଶୃଙ୍ଖଳିତ ଜଳ ପରିଚାଳନା କରାଯାଇପାରୁଛି । ସେପଟେ କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର