ଭୁବନେଶ୍ବର:ନିଜ ନିର୍ବାଚନୀ ଇସ୍ତାହାରର ଏକ ବଡ ପ୍ରତିଶ୍ରୁତି ପୂରଣ କରିଛନ୍ତି ବିଜେପି ସରକାର । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଲେ, ଚାଷୀଙ୍କୁ ଧାନର ‘ସର୍ବନିମ୍ନ ସହାୟକ ମୂଲ୍ୟ’ (ଏମଏସପି) 3,100 ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଦଳ । ଆଜି ଏହା ପୂରଣ କରିଛି ମୋହନ ମାଝୀଙ୍କ ନେତୃତ୍ବାଧୀନ ସରକାର । ବରଗଡର ସୋହେଲାରେ ବିଶାଳ ଚାଷୀ ସମ୍ମିଳନୀରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ 8ଶହ ଟଙ୍କାର ଇନପୁଟ୍ ସହାୟତା ରାଶି ରିଲିଜ୍ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ସ୍ଥାନୀୟ ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ ।
- ନିର୍ବାଚନରେ ବଡ ମୁଦ୍ଦା ଥିଲା ଧାନ ଏମଏସପି:-
ଚଳିତ ନିର୍ବାଚନରେ ଏହାକୁ ବଡ ନିର୍ବାଚନୀ ମୁଦ୍ଦା କରିଥିଲା ଭାରତୀୟ ଜନତା ପାର୍ଟି । ରାଜ୍ୟରେ ଦଳ ସରକାର ଗଢିଲେ ଧାନ ଏମଏସପି 31 ଟଙ୍କା କରିବ ବୋଲି କହିଥିଲା ବିଜେପି । ତେବେ ଦଳ କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତିର କ୍ରିୟାନ୍ବୟନ ମଧ୍ୟ କରିଛି । ସରକାର ଧାନ କୁଇଣ୍ଟାଲ ପିଚ୍ଛା ଚାଷୀଙ୍କୁ 23 ଶହ ଟଙ୍କା ସହ ଅତିରିକ୍ତ 8 ଶହ ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଫଳରେ ଏଥର କୁଇଣ୍ଟାଲ ପିଚ୍ଛା 31ଶହ ଟଙ୍କାରେ ଧାନ ସଂଗ୍ରହ ହୋଇଛି ।