ଭୁବନେଶ୍ବର:ଆଜିଠାରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ‘ଆୟୁଷ୍ମାନ ଭାରତ’(PM-JAY) ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ‘ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ’ ଓ ଓଡିଶା ସରକାରଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଅଛନ୍ତି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା PM-JAY କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା । ଏବେ ଏହି ଚୁକ୍ତିନାମା ପରେ ଏହାର କାର୍ଯ୍ୟକାରିତା ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି(ମଙ୍ଗଳବାର) ଭୁବନେଶ୍ବର ଫେରିବେ ।
- ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (PM-JAY) ସମ୍ପର୍କରେ...
ଏହା ମଧ୍ୟ ପଢନ୍ତୁ:- |
କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ହୋଇଥିଲା । ‘ଆୟୁଷ୍ମାନ ଭାରତ’ର ମୁଖ୍ୟ ଲକ୍ଷ୍ୟ ହେଉଛି ଆର୍ଥିକ ସମସ୍ୟା କାରଣରୁ ଦେଶର କୌଣସି ବ୍ୟକ୍ତି ଯେପରି ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ନହୁଅନ୍ତି । ଏହି ଯୋଜନାରେ ମେଡିକାଲ କଲେଜରେ ଚିକିତ୍ସା ପାଇଁ ପ୍ରତି ପରିବାକୁ ବାର୍ଷିକ 5 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହାସହ ଦେଶର କେତେକ ସର୍ବୋତ୍ତମ ଡାକ୍ତରଖାନାରେ ବିନା ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।