ଓଡିଶା

odisha

ETV Bharat / state

' ସିଙ୍ଗାପୁରରୁ ଆସିବ ବଡ଼ ପୁଞ୍ଜି', ପ୍ରଥମ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM MOHAN MAJHI SINGAPORE VISIT

ଓଡ଼ିଶାରେ ପୁଞ୍ଜି ନବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଯାତ୍ରା । ଭାରତ ବାହାରେ ପ୍ରଥମ ନିବେଶକ ସମ୍ମିଳନୀ କରିବେ ମୋହନ ମାଝୀ ।

ପ୍ରଥମ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ; ସିଙ୍ଗାପୁରରୁ ବଡ଼ ପୁଞ୍ଜି ଆଣିବେ ମୋହନ ସରକାର
ପ୍ରଥମ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ; ସିଙ୍ଗାପୁରରୁ ବଡ଼ ପୁଞ୍ଜି ଆଣିବେ ମୋହନ ସରକାର (ETV Bharat Odisha)

By ETV Bharat Odisha Team

Published : Nov 16, 2024, 10:14 AM IST

ଭୁବନେଶ୍ବର: ସିଙ୍ଗାପୁରରୁ ଓଡିଶା ଆସିବ ବଡ଼ ପୁଞ୍ଜି । ରାଜ୍ୟରେ ବିଦେଶୀ ପୁଞ୍ଜି ନିବେଶ ସହ ବଢିବ ନିଯୁକ୍ତି ସୁବିଧା । ଏହିକ୍ରମରେ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ । ସିଙ୍ଗାପୁରରେ କାର୍ଯ୍ୟ କରୁଥିବା ବଡ଼ ବ୍ରାଣ୍ଡ କମ୍ପାନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ଓ ମୁମ୍ବାଇ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ବିଦେଶ ଗସ୍ତ ଭାବେ ସିଙ୍ଗାପୁର ଯାଇଛନ୍ତି ।

  • 17ରୁ 20 ମଧ୍ୟରେ ବିଭିନ୍ନ ଶିଳ୍ପାନୁଷ୍ଠାନ ବୁଲିବେ ମୁଖ୍ୟମନ୍ତ୍ରୀ:-

ଉତ୍କର୍ଷ ଓଡିଶା: ‘ମେକ ଇନ ଓଡିଶା-2024’ ଲାଗି ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ବରିଷ୍ଠ ଅଧିକାରୀ ସିଙ୍ଗାପୁର ଗସ୍ତରେ ଯିବେ । ଓଡ଼ିଶାର ଏହି ପ୍ରତିନିଧି ଦଳ 17 ରୁ 20 ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ନିବେଶକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରିବେ ।

Chief Minister Mohan Majhi left for Singapore for his first foreign trip (ETV Bharat Odisha)
  • ଭାରତରେ ନିବେଶ ଉତ୍ସାହୀଙ୍କର ଓଡିଶା ହେବ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

ସିଙ୍ଗାପୁର ଗସ୍ତରେ ଯିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ମୁଁ ଆଜି ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇ ସିଙ୍ଗାପୁର ଅଭିମୁଖେ ବାହାରିଛି । ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ ନିବେଶକ ସମ୍ମିଳନୀ । ମୋର ପୂରା ବିଶ୍ବାସ, ଏ ଯାତ୍ରା ନିଶ୍ଚୟ ସଫଳ ହେବ । ମୁଁ ଆଶା କରୁଛି ଯେ, ଯେତେବେଳେ ସାରା ବିଶ୍ବରୁ ନିବେଶକମାନେ ଭାରତରେ ନିବେଶ କରିବାକୁ ଚାହିଁବେ, ସେତେବେଳେ ଓଡିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ ।"

  • ଓଡିଶାରେ ଥିବା ଶିଳ୍ପ ସମ୍ଭାବନା ଓ ସରକାରଙ୍କ ନୀତି ସମ୍ପର୍କରେ ନିବେଶକଙ୍କୁ ଅବଗତ କରିବୁ’

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ, ବିଜିନେସ କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । ଭାରତର ବିକାଶର କାହାଣୀରେ ଓଡିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି । ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ । ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣରେ ଆଦି କ୍ଷେତ୍ରରେ ବିଶ୍ବର ବଡ ବଡ କମ୍ପାନୀମାନେ କାମ କରୁଛନ୍ତି । ସେହି ସବୁ କମ୍ପାନୀଗୁଡିକର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ଆମେ କରିବୁ । ଓଡିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଆମର ଉନ୍ନତ ଶିଳ୍ପ ନୀତିଗୁଡିକ ସମ୍ପର୍କରେ ସେମାନଙ୍କୁ ଜଣାଇବୁ ।’’

Chief Minister Mohan Majhi left for Singapore for his first foreign trip (ETV Bharat Odisha)
ଏହା ମଧ୍ୟ ପଢନ୍ତୁ:- ଓଡିଶାକୁ ଆସିବ ପୁଞ୍ଜି, ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ପରେ ମୁମ୍ବାଇ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫୋକସରେ ଉତ୍କର୍ଷ ଓଡିଶା, 'ଓଡ଼ିଶା ହେବ ଶିଳ୍ପ ହବ୍'
  • ସାଢେ 4କୋଟି ଓଡିଆଙ୍କ ପକ୍ଷରୁ ବିଦେଶ ଗସ୍ତ କରୁଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ମୁଁ ଓଡିଶାର ସାଢ଼େ ୪ କୋଟି ଲୋକଙ୍କ ପକ୍ଷରୁ ଆମ ଟିମକୁ ନେଇ ବିଦେଶ ଯାତ୍ରା କରୁଛି । ଶିଳ୍ପ ଜଗତର ଶୀର୍ଷ ନେତୃତ୍ବଙ୍କୁ ବିକଶିତ ଓଡିଶା ଗଠନ, ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ନିମନ୍ତ୍ରଣ କରିବୁ । ଓଡ଼ିଶାର ପ୍ରତିନିଧି ଦଳ ସିଙ୍ଗାପୁରର ଟୁଆସ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି ବିଶ୍ବ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବୁ । ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡିଶାରେ ମଧ୍ୟ ସେହି ଭଳି ବା ତା ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

  • ପ୍ରବାସୀ ଓଡିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ମୁଁ ସିଙ୍ଗାପୁର ଏବଂ ପଡୋଶୀ ଏସୀୟ ଦେଶମାନଙ୍କରେ ଥିବା ପ୍ରବାସୀ ଓଡିଆ ଭାଇଭଉଣୀଙ୍କୁ ମଧ୍ୟ ଭେଟିବି । ସେମାନେ ଓଡିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇ ଆମକୁ ଗୌରବାନ୍ବିତ କରିଛନ୍ତି । ଓଡିଶା ଓ ସିଙ୍ଗାପୁରର ସମ୍ପର୍କକୁ ମଜବୁତ କରିବାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ସେମାନଙ୍କ ସହିତ ଆଲୋଚନା କରି ଏ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କ ମତାମତ ଗ୍ରହଣ କରିବୁ । ସିଙ୍ଗାପୁର ଗସ୍ତରୁ ଓଡିଶାରେ କେମିକାଲ୍ସ, ଟେକ୍ସଟାଇଲସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍ସ, ସିପ ବିଲ୍ଡିଙ୍ଗ ଓ ଇଲେକ୍ଟ୍ରୋନିକ୍‌ଲସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ । ଏହା ଦ୍ବାରା ଓଡିଶାରେ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details