ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 4 hours ago

ETV Bharat / state

ଜିଲ୍ଲାପାଳଙ୍କ ହାତରେ ଓଡ଼ିଶାର ବିକାଶ, ଦୁର୍ନୀତିକୁ ସାଲିସ୍‌ କରାଯିବ ନାହିଁ: ମୋହନ ମାଝୀ - state level Collectors Conference

state level Collectors Conference : ‘ଜିଲ୍ଲାପାଳଙ୍କ ହାତରେ ଓଡ଼ିଶାର ବିକାଶ' । ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ । ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ । ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

state level Collectors Conference
state level Collectors Conference (ETV Bharat Odisha)

ଭୁବନେଶ୍ବର: ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆଜିଠୁ ଲୋକସେବା ଭବନରେ ଆରମ୍ଭ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ କରିଛନ୍ତି । ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅନୁଭୁତି, ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି ।

ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ଆଭିମୁଖ୍ୟ ବାବଦରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ତ୍ରୁଟି ବିଚ୍ୟୁତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ସଚେତନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ସରକାରଙ୍କ ସବୁ ଯୋଜନା ଠିକ ସମୟରେ ଆରମ୍ଭ ଓ ଶେଷ ହେବା ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି । ଏହା ଦ୍ୱାରା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନିୟମିତତା ଓ ଦୁର୍ନୀତି ଯୋଗୁଁ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢୁଛି । ତେଣୁ ପ୍ରକଳ୍ପର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।"



ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସବୁ ଯୋଜନା ଯେପରି ଠିକ ସମୟରେ କାର୍ଯ୍ୟକାରୀ ହେବ, ଏଥିପାଇଁ ଜିଲ୍ଲାପାଳମାନେ ନିତି ଦିନିଆ ଭାବେ ନିଜ ନିଜ ଜିଲ୍ଲାରେ ଆର୍ଥିକ ତଥା ଫିଜିକାଲ ପ୍ରୋଗ୍ରେସ ଉପରେ ଦୃଷ୍ଟି ରଖିବା ଆବଶ୍ୟକ । ଏହା ସହିତ ପ୍ରତ୍ୟେକ ଯୋଜନାର ବ୍ଲକୱାରୀ ତ୍ରୈମାସିକ ସମୀକ୍ଷା ହେବ । ତ୍ରୈମାସିକ ସମୀକ୍ଷାରୁ ସବୁ ସମସ୍ୟା ଜଣାପଡିବ । ସଠିକ ପଦକ୍ଷେପ ଦ୍ୱାରା ଯୋଜନାକୁ ଠିକ ବାଟରେ ଆଗେଇ ପାରିବେ । ଯଦି ସରକାର ଟଙ୍କାଟିଏ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି, ତାହା ସେମାନଙ୍କ ପାଇଁ ଟଙ୍କାଟିଏ ଆୟ ।"



ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ମୁଁ ଗତ ସରକାର ସମୟରେ ହୋଇଥିବା ଅନେକ ଅନିୟମିତତା ବିଷୟରେ ଅବଗତ ହୋଇଛି । ଯଦି ସେପରି କିଛି ଅନିୟମିତତା ଦୃଷ୍ଟିକୁ ଆସୁଛି, ସେ ସବୁକୁ ଯାଞ୍ଚ କରି ପଦକ୍ଷେପ ନିଅନ୍ତୁ । ଜିଲ୍ଲାପାଳଙ୍କ ପାଖରେ ସେ ଅଧିକାର ଅଛି, ତାକୁ ବ୍ୟବହାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । କୌଣସି ପ୍ରକାରେ, କୌଣସି ସ୍ତରରେ ଦୁର୍ନୀତିକୁ ସରକାର ସହିବେ ନାହିଁ । ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ । ଏହା ମୋ ତରଫରୁ ସ୍ପଷ୍ଟ ବାର୍ତ୍ତା ।"



ସେ ଆହୁରି ମଧ୍ୟ କହିଛନ୍ତି, "ଜିଲ୍ଲାପାଳମାନେ ହେଉଛନ୍ତି ସରକାରଙ୍କ ପାଇଁ ତୃଣମୂଳ ସ୍ତରର ସେତୁ । ଲୋକ କଲ୍ୟାଣ ପାଇଁ ସରକାର ଉତ୍ତମରୁ ଉତ୍ତମ ଯୋଜନା ଓ ନୀତି ନିର୍ଦ୍ଧାରଣ କରିପାରିବେ । କିନ୍ତୁ ଏହି ସବୁ ଯୋଜନାକୁ ଅନ୍ତିମ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ରାଜଧାନୀ କିମ୍ବା କିଛି ସହରାଞ୍ଚଳକୁ ଛାଡି ଦେଲେ, ସରକାର କହିଲେ ଲୋକେ ଜିଲ୍ଲାପାଳଙ୍କୁ ବୁଝନ୍ତି । କାରଣ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟା ସମାଧାନ ଜିଲ୍ଲା ସ୍ତରରେ ହୋଇଥାଏ । ତେଣୁ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଗୁରୁ ଦାୟିତ୍ଵ ଜିଲ୍ଲାପାଳଙ୍କ କାନ୍ଧରେ ରହିଛି ।"



ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, "ଯୋଜନାର ସଫଳ ରୂପାୟନ ହେଲେ, ତାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରିବ । ସରକାରଙ୍କ ଯେତେ ଯୋଜନା ରହିଛି, ତାହାର ସୁଫଳ ରୂପାୟନ ହେଲେ, ଆମ ରାଜ୍ୟରୁ ଦାରିଦ୍ର୍ୟ ଘୁଞ୍ଚିଯିବ । ଜଣେ ସାଧାରଣ ଲୋକର ପ୍ରଶାସନଠାରୁ ଆଶା କରୁଥିବା ଦୃଷ୍ଟିଭଙ୍ଗୀ ବିଷୟରେ ମୋ ଅନୁଭୂତି ଆଧାରରେ କିଛି କଥା କିଛି ବ୍ୟଥା କହିବି । ଆଶା କରିବି ନୂତନ ସରକାରରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଆମେ ନିଜ ନିଜ ସ୍ତରରେ କାର୍ଯ୍ୟକରିବା। ଆମ ସରକାର ଲୋକଙ୍କ ସରକାର । ଲୋକଙ୍କ ସୁଖଦୁଃଖରେ ଭାଗୀଦାର, ରାଜ୍ୟର ବିକାଶ ପାଇଁ ଆମେ ପ୍ରତିଶୃତିବଦ୍ଧ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ମହିଳାଙ୍କର ଉନ୍ନତି ଭଳି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା । ରାଜ୍ୟର ଆର୍ଥିକ ବିକାଶର ଗତିକୁ ତ୍ବରାନିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।



ଗ୍ରାମାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ମ୍ୟାପିଙ୍ଗ କରନ୍ତୁ-

ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଛି । ମୁଁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି ନିଜ ନିଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ସବୁ ପ୍ରକଳ୍ପକୁ ମ୍ୟାପିଙ୍ଗ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଆଜି କାଲି ଟେକ୍ନୋଲୋଜି ଉପଲବ୍ଧ ଅଛି। ତେଣୁ real-time data ଖୁବ ସହଜରେ ପାଇପାରିବେ । ସେସବୁକୁ ଅନୁଧ୍ୟାନ କରି bottleneck ସବୁକୁ ଠିକ ସମୟରେ ଜାଣିପାରିବେ । ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ଏହି ଡାଟାବେସ ସହାୟକ ହେବ ।



ଯୋଜନାର ସଫଳ ରୂପାୟନ ପାଇଁ ବିଭାଗ ମଧ୍ୟରେ ସମନ୍ୱୟ-
ଯୋଜନାର ସଫଳ ରୂପାୟନ ପାଇଁ ସମନ୍ୱୟର ଗୁରୁତ୍ୱ ରହିଛି । ବର୍ତ୍ତମାନ ଏପରି ଅନେକ କାର୍ଯ୍ୟକ୍ରମ ଓ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି ଯାହାର ବିହିତ ରୂପାୟନ କେବଳ ସମନ୍ୱୟ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଜିଲ୍ଲାପାଳମାନେ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଜନା ଓ ପ୍ରକଳ୍ପ ତ୍ୱରିତ ରୂପାୟନ କରିବା ଦରକାର ।

ଏହା ବି ପଢନ୍ତୁ-ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁମନ୍ତ୍ର, ତୃଣମୂଳ ସ୍ତରରେ ଯୋଜନା ପହଞ୍ଚାଇବେ ଜିଲ୍ଲାପାଳ - Collectors Conference

ଏହା ବି ପଢନ୍ତୁ- ମୋହନ ମାଝୀ ସରକାରଙ୍କ ବଡ ଘୋଷଣା; ସରୋଗେସି ପାଇଁ ସରକାରୀ ଛୁଟି - Surrogacy Leave

ଏହା ବି ପଢନ୍ତୁ- ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବନ୍ୟା ସହାୟତା ଘୋଷଣା; ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ୧.୨୦ ଲକ୍ଷ - balasore flood assistance



ଜିଲ୍ଲାପାଳ କରିବେ କ୍ଷେତ୍ର ପରିଦର୍ଶନ-
ଇଂରାଜୀରେ ଏକ କଥା ଅଛି, ‘Seeing is believing’ । ଦେଖିଲେ ହିଁ ବିଶ୍ବାସ ହେବ । ତେଣୁ ଜିଲ୍ଲାପାଳ ମାନେ ପ୍ରତି ମାସରେ କିଛି ଦିନ ବାହାର କରି କ୍ଷେତ୍ର ପରିଦର୍ଶନ କରିବେ । ଜିଲ୍ଲାପାଳ ନିଜେ କାର୍ଯ୍ୟକାରୀ କରୁଥିବା ଯୋଜନାର ରୂପରେଖ କ'ଣ ନିଜ ଆଖିରେ ଦେଖିବା ଆବଶ୍ୟକ । ବିଶେଷ ଭାବେ ସ୍କୁଲ, ଆଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର, ଥାନାକୁ ନିୟମିତ ଭାବେ ପରିଦର୍ଶନରେ ଯିବେ । ଏହା ଦ୍ବାରା ପ୍ରକୃତ ସ୍ଥିତି ବିଷୟରେ ଅବଗତ ହୋଇପାରିବେ । ପରିଦର୍ଶନ ସମୟରେ କିଛି ଅନିୟମିତତା କିମ୍ବା ଅବହେଳା ଦେଖାଗଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପଛେଇବେ ନାହିଁ । ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଓ ଚୋରା ମଦ କାରବାର ରୋକିବା ଉପରେ ନଜର ଦିଅନ୍ତୁ । ଏ ପ୍ରତି ସରକାରଙ୍କ ଶୂନ୍ୟ ସହନଶିଳତା ରହିଛି ।



ଜନଜାତିଙ୍କୁ ମିଳୁ ଜଙ୍ଗଲ ଅଧିକାର-
ଜନଜାତିଙ୍କ ଜୀବନ ଜୀବିକା ଜଙ୍ଗଲ, ପାହଡ, ପର୍ବତ ଉପରେ ନିର୍ଭର କରିଥାନ୍ତି । ଏହା ଉପରେ ନିଜ ଜୀବନ ଜୀବିକା, ନିଜ ସଂସ୍କୃତି ପାଇଁ ନିର୍ଭର କରିଥାନ୍ତି । ତେଣୁ ସେମାନେ ଆଇନ ଅନୁସାରେ ଜଙ୍ଗଲରୁ ଜଙ୍ଗଲଜାତ ଲଘୁ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କରିବା ଅଧିକାର ପାଇବା ଉଚିତ । ଅନେକ ସମୟରେ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀ ନିରୀହ ଜନଜାତିଙ୍କୁ ଅଯଥାରେ ହଇରାଣ ହରକତ କରିଥାନ୍ତି । ଜନଜାତିଙ୍କୁ ଜଙ୍ଗଲ ଅଧିକାର ଅନୁସାରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବା ଉଚିତ । ଯେଉଁ ଅଧିକାରୀ ନିଜ ନିଜ କ୍ଷମତାର ଅପବ୍ୟବହାର କରି ନିରୀହ ଲୋକଙ୍କୁ ଅଯଥାରେ ହଇରାଣ ହରକତ କରୁଛନ୍ତ୍ତି, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତି ପଞ୍ଚାୟତରେ ଗୋଦାବରୀଶ ମଡେଲ ସ୍କୁଲ-
ଶିକ୍ଷା ଓ ସ୍ୱାସ୍ଥ୍ୟ ସାଧାରଣ ଜନତାଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଓଡିଶାରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଆମ ସରକାର ଭିତ୍ତିଭୂମି ସହିତ ଶିକ୍ଷକ ନିଯୁକ୍ତି ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଏହା ସହିତ ଗୋଦାବରୀଶ ମଡେଲ ସ୍କୁଲ ପ୍ରତି ପଞ୍ଚାୟତରେ ସ୍ଥାପନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ମୁଖ୍ୟାଳୟର ଚିକିତ୍ସାଳୟକୁ ସୁଦୃଢ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସାଧାରଣ ଜନତା ଜିଲ୍ଲା ସ୍ତରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ପାଇବା ଆବଶ୍ୟକ । ଲୋକଙ୍କ ପାଖରେ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚିବା ଉପରେ ଦିଅନ୍ତୁ ଧ୍ୟାନ । ରୋଗୀଙ୍କ ସମ୍ପର୍କୀୟ କାନ୍ଧରେ କିମ୍ବା ସାଇକେଲରେ ମର ଶରୀର ବୋହିବା ଦୃଶ୍ୟ ଆସିବା ଉଚିତ ନୁହେଁ ।

Collectors Conference (ETV Bharat Odisha)
ଧାନ ଚୋରା ଚାଲାଣ ରୋକିବାକୁ ରୁହ ଅଧିକ ସତର୍କ-ପ୍ରତିଶ୍ରୁତି ମୁତାବକ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଧାନ ସଂଗ୍ରହ ପାଇଁ ଦେବେ ସରକାର । କିନ୍ତୁ, ଏହାର ଏକ ଭିନ୍ନ ଦିଗ ଅଛି । କେନ୍ଦ୍ର ସରକାରଙ୍କ MSP ଦରଠାରୁ ଏହା ପ୍ରାୟ ୮୦୦ ଟଙ୍କା ଅଧିକ ହୋଇଥିବାରୁ ଅଧିକ ଚାଷୀ ଧାନ ବିକ୍ରି କରିପାରନ୍ତି । କିନ୍ତୁ ପଡୋଶୀ ରାଜ୍ୟରୁ ବି ଧାନ ଚୋରା ଚାଲାଣ ହୋଇପାରେ । ଏହା ଉପରେ ନଜର ରଖିବାକୁ ପଡିବ । ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ଅନ୍ୟ ରାଜ୍ୟର ଧାନ ଚୋରା ଚାଲାଣ ରୋକିବାକୁ ଅଧିକ ସତର୍କ ରହିବା ଆବଶ୍ୟକ । ସୋହେଲାରୁ ନୂଆ ଏମଏସପିରେ ଧାନ ସଂଗ୍ରହ ଯୋଜନାର ଶୁଭାରମ୍ଭ କରାଯିବ ।
Collectors Conference (ETV Bharat Odisha)



ବୁକ ସର୍କୁଲାର ୪୭ ଅନୁଯାୟୀ ଜନ ପ୍ରତିନିଧିଙ୍କୁ ସମ୍ମାନ-
ସଂଘର୍ଷ କାହାଣୀ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ଅଫିସର ମାନେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଉନଥିଲେ । ମୁଁ ତାହାର ଭୁକ୍ତଭୋଗୀ । ଜଣେ ଥାନାଧିକାରୀ ମୋତେ ନାଲି ଆଖି ଦେଖାଇଥିଲେ । କିନ୍ତୁ ଏବେ ଏହି ବ୍ୟବହାର ପରିବର୍ତ୍ତନ କରି ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବା ଆରମ୍ଭ କରି ଦିଅନ୍ତୁ । ପୂର୍ବ ସରକାରରେ ଅଫିସର ଗର୍ବରେ ପଡ଼ିଯାଇଥିଲେ । ମନ୍ତ୍ରୀ ଓ ବିଧାୟକଙ୍କୁ ଜାଣି ପାରୁନଥିଲେ । ମୁଁ ଭାବୁଛି ଆପଣଙ୍କ ମନରେ ଗର୍ବ ନଥିବ । ବୁକ ସର୍କୁଲାର ୪୭କୁ କାର୍ଯ୍ୟକାରୀ ସଠିକ ଭାବେ କରନ୍ତୁ । ଲମ୍ବା ସମୟ ଧରି ଗୋଟିଏ ବିଭାଗ କିମ୍ବା ଅଫିସର ରହୁଛନ୍ତି । କିନ୍ତୁ ନିୟମ କହୁଛି ତିନି ବର୍ଷରେ ପରିବର୍ତ୍ତନ । ଗୋଟେ ଅଫିସର ୧୫ରୁ ୨୦ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି । ଯାହା ପାଇଁ ଶାସନରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । କିନ୍ତୁ ଆମ ସରକାର ଏହାକୁ ପ୍ରସୟ ଦେବେନାହିଁ । ଯାହାର ଯେତିକି ଦିନ ଗୋଟେ ସ୍ଥାନରେ ରହିବା କଥା ରହିବେ ।

Collectors Conference (ETV Bharat Odisha)



ଯାହା ସ୍ବପ୍ନ ଦେଖିଛି, ତାହାକୁ କାର୍ଯ୍ୟ କରିବାକୁ ମୁଁ ସଂକଳ୍ପବଦ୍ଧ :-
ଦୁଇ ଦଶନ୍ଧି ମଧ୍ୟରେ ଶିକ୍ଷା ବ୍ୟବସ୍ଥା ବୁଡି ଯାଇଛି । ପୂର୍ବ ସରକାର ୫ଟି ନାଁରେ ରଙ୍ଗ ମାରି ଭୁଆଁ ବୁଲାଇଛନ୍ତି । ଶିକ୍ଷାର ଭିର୍ତ୍ତିଭୂମୀର ବିକାଶକୁ ପ୍ରାଥମିକତା ଦିଆଯାଇନାହିଁ । ଯାହା ଫଳରେ ଆମ ଭବିଷ୍ୟତ ପିଢ଼ି ପଣିକିଆ ମଧ୍ୟ ଜାଣିପାରିନାହାନ୍ତି । ପ୍ରାୟ ୨୭ ବର୍ଷ ହେବ ମୁଁ ଓଡ଼ିଶା ବାସୀଙ୍କ ସୁଖ ଦୁଃଖରେ ଜଡ଼ିତ ଅଛି । ମୁଁ ଲୋକଙ୍କ କଷ୍ଟ ବହୁ ନିକଟରୁ ଦେଖିଛି । ମୁଖ୍ୟମନ୍ତ୍ରୀ ହେବା ପରେ ବି ମୋ ନିକଟକୁ ସେହି ବ୍ୟଥା ଓ ଦୁଃଖ ଆସୁଛି । ତ୍ୱରିତ ସମାଧାନ କରିବା ପାଇଁ ମୁଁ ସବୁବେଳେ ପ୍ରଚେଷ୍ଟା କରିବି । ଯାହା ସେଦିନ ସ୍ବପ୍ନ ଦେଖିଥିଲି ଆଜି ମହାପ୍ରଭୁ ଓ ରାଜ୍ୟବାସୀଙ୍କ ଆଶ୍ରିବାଦରେ ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛି । ଆଉ ଯାହା ସ୍ବପ୍ନ ଦେଖିଥିଲେ ତାହାକୁ କାର୍ଯ୍ୟ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ।

Collectors Conference (ETV Bharat Odisha)



‘ଗେଟ ଆଉଟ କହିଥିବା ଇନ୍ସପେକ୍ଟରଙ୍କୁ କ୍ଷମା କରିଦେଇଛି’:-
ମୋ ସହ ଘଟିଥିବା ଘଟଣାକୁ ରଖୁଛି । ପାଣି ପାଇଁ ରୋଡ ବ୍ଲକ କଲେ ଲୋକେ । ଲୋକପ୍ରତିନିଧି ଭାବେ ମୁଁ ତାଙ୍କ ସହ ଠିଆ ହେଲି । ଥାନାକୁ ଗଲି । ଅଫିସରଙ୍କୁ ଏହା ଜଣାଇଲି । କିନ୍ତୁ ଥାନା ଅଧିକାରୀ ଉତକ୍ଷିପ୍ତ ହୋଇ ମୋତେ ଗେଟଆଉଟ କହିଥିଲେ । ମୁଁ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ ସୁଦ୍ଧା କିଏ ତାଙ୍କୁ ଏଭଳି କରିବାକୁ ନିର୍ଦ୍ଦେଶ ଦେଲେ ମୁଁ ଜାଣିନାହିଁ । ତେବେ ମୋ ପୋଲିସ ଆସିଲା କେଉଁଠୁ ? ବିଧାୟକ ଓ ପ୍ରାର୍ଥୀ ହୋଇଥିଲେ ବି ମୁଁ ଥାନାକୁ ଯାଇପାରିବିନାହିଁ । ମୋ ଉପରେ ଆକ୍ରମଣ ହେଲେ କଣ ମୁଁ ଅଭିଯୋଗ କରିପାରିବିନାହିଁ । କିନ୍ତୁ ସମୟ ବଦଳିଲା । ମୁଁ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ହେଲି । ସେହି ବିଭାଗର ଦାୟିତ୍ୱରେ ରହିଲି । ଭାବନ୍ତୁ ତାଙ୍କର କଣ ହେଉଥିବ । କିନ୍ତୁ ମୁଁ ତାଙ୍କୁ କ୍ଷମା କରିଦେଲି । ଏପରି କରିବାକୁ କିଏ ତାଙ୍କୁ ନିର୍ଦ୍ଦେଶ ଦେଲ ମୁଁ ଜାଣିନାହିଁ । କିନ୍ତୁ ପୋଲିସ ଏମିତି ହେବା କେତେ ଯଥାର୍ଥ, ଆପଣମାନେ ବିଚାର କରିବେ ।

Collectors Conference (ETV Bharat Odisha)



ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, "ତୁରନ୍ତ ନିଷ୍ପତ୍ତି ନେଇ ଯୋଜନା କାର୍ଯ୍ୟକାରୀ କରିପାରିଲେ ଉତ୍ତମ ପ୍ରଶାସନ ଉପଲବ୍ଧ ହୋଇପାରିବ । ଏ ଦିଗରେ ଜିଲ୍ଲାପାଳଙ୍କ ସହଯୋଗ ଜରୁରୀ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନାର ଶୁଭାରମ୍ଭ କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଛନ୍ତି ।ସେ କହିଛନ୍ତି, "ଜିଲ୍ଲାପାଳମାନେ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରିପାରିବେ । ଏହା ଦ୍ୱାରା ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ହେବ ।"

Collectors Conference (ETV Bharat Odisha)



ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "୨୦୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫-୧୦ ବର୍ଷ ମଧ୍ୟରେ ଆମେ ଚେଷ୍ଟା କଲେ ବ୍ୟାପକ ପରିବର୍ତ୍ତନ ଆଣିପାରିବା । ବର୍ତ୍ତମାନ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ସରକାର ଭାବରେ ଜିଲ୍ଲା ସ୍ତରରେ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେବେ ।"

Last Updated : 4 hours ago

ABOUT THE AUTHOR

...view details