ଓଡିଶା

odisha

ETV Bharat / state

ଲୋକାଭିମୁଖୀ ହେବ ଲୋକଙ୍କ ବଜେଟ, ବଢିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ - PRE BUDGET MEETING

ସରିଲା ପ୍ରାକ୍ ବଜେଟ ପରାମର୍ଶ ସଭା । ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ବ । ଆସନ୍ତା ୩୧ ଯାଏଁ ପରାମର୍ଶ ଦେଇପାରିବେ ଜନତା ।

Pre Budget Meeting
Pre Budget Meeting (ETV Bharat Odisha)

By ETV Bharat Odisha Team

Published : Jan 24, 2025, 8:09 PM IST

ଭୁବନେଶ୍ବର:ଆର୍ଥିକବର୍ଷ ୨୦୨୫-୨୬ରେ ବଢିବ ଓଡି଼ଶା ବଜେଟର ଆକାର । ଗତ ଆର୍ଥିକବର୍ଷ ତୁଳନାରେ ବଜେଟ୍ ପରିମାଣ ବଢ଼େଇବା ସହ ନିଯୁକ୍ତି ଓ ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ ସରକାର । ଗାଁରେ ଆର୍ଥିକ ସ୍ରୋତ ସୃଷ୍ଟି କରିବା ପାଇଁ ମୋହନ ସରକାର ଆଣିବେ ନୂଆ ଯୋଜନା । ପ୍ରାକ ବଜେଟ ପରାମର୍ଶ ସଭା ପରେ ଏଭଳି କିଛି ଆଭାସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Pre Budget Meeting (ETV Bharat Odisha)

ଲୋକାଭିମୁଖୀ ହେବ ଲୋକଙ୍କ ବଜେଟ :

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଫେବ୍ରୁଆରୀ 13 ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । 17 ତାରିଖରେ ଆସିବ ବଜେଟ୍ । ସେଥିପାଇଁ ଲୋକମତ ସଂଗ୍ରହ ଓ ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବଙ୍କ ସହ ବିଭିନ୍ନ ବର୍ଗର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଲୋକଙ୍କ ବଜେଟକୁ ଲୋକାଭିମୁଖୀ କରିବା ଲାଗି ସମସ୍ତ ଚେଷ୍ଟା କରାଯିବ । ସେହିପରି ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ନିଜର ମତାମତ ଅନଲାଇନ, ଫୋନ, ମେସେଜ ଜରିଆରେ ଦେଇପାରିବେ । ଲୋକମତକୁ ଆଧାର କରି ଯୋଜନା ପ୍ରସ୍ତୁତ ହେବ ।"

Pre Budget Meeting (ETV Bharat Odisha)


କୃଷକଙ୍କ ଆୟ ବୃଦ୍ଧି ପ୍ରାଧାନ୍ୟ :

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ରାଜସ୍ୱ ବୃଦ୍ଧି କରିବା ଲାଗି ବ୍ୟବସ୍ଥା ହେଉଛି । ସେହିପରି ସଂକଳ୍ପ ପତ୍ରକୁ ପ୍ରାଧାନ୍ୟ ଦେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ଶିଳ୍ପ କ୍ଷେତ୍ରରେ ଆଇଟି, ଷ୍ଟିଲ, ଅକ୍ଷୟ ଶକ୍ତି, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ପେଟ୍ରୋକେମିକାଲ ଓ ଟେକ୍ସଟାଇଲ ଉପରେ ଗୁରୁତ୍ୱ ଦେଉଛୁ । ଏଗ୍ରୋ ଇଣ୍ଡଷ୍ଟ୍ରିଜରେ କୃଷକ ନିର୍ଭରଶୀଳ ଅଟନ୍ତି । ସେମାନଙ୍କ ଆୟ ବୃଦ୍ଧି କରିବା ଲାଗି ଶୀତଳ ଭଣ୍ଡାର ସମେତ ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ବନ୍ଦର ସମ୍ପର୍କିତ ଶିଳ୍ପ, ଆଇଟି କ୍ଷେତ୍ରର ସେମିକଣ୍ଡକଟର ଶିଳ୍ପ ଉପରେ ଫୋକସ ରହିଛି ।

Pre Budget Meeting (ETV Bharat Odisha)


ରାଜସ୍ୱ ବୃଦ୍ଧି ସହ ରାଜ୍ୟର GDP ବଢେଇବା ଲକ୍ଷ୍ୟ :

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, 'ରାଜସ୍ୱ ବୃଦ୍ଧି ସହ ରାଜ୍ୟର ଜିଡିପି ବଢେଇବା ପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । କୃଷି ସମ୍ପର୍କିତ ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉଛି । ନିବେଶ ବଢିଲେ ରାଜ୍ୟର ଆର୍ଥିକ ସ୍ଥିତି ବଦଳିବ । ଏହା ଦ୍ୱାରା ଗ୍ରାମାଞ୍ଚଳର ଆର୍ଥିକ ଓ ସାମାଜିକ ବ୍ୟବସ୍ଥାକୁ ସଜଡା ଯାଇପାରିବ । କ୍ୟାବିନେଟର ଅନୁମୋଦନ ପରେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଗାଁ ଲୋକଙ୍କର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଗାଁ'ରେ ବ୍ୟବସ୍ଥା କରାଯିବ । ଗାଁ ଲୋକ ସହରକୁ ନଦୌଡ଼ିବା ପାଇଁ ରୋଜଗାରର ଉତ୍ସ ସୃଷ୍ଟି ହେବ । ଶ୍ରମିକ, ଚାଷୀ ଓ ଖଟିଖିଆଙ୍କ ଲାଗି ବ୍ୟବସ୍ଥା କରିବୁ ।

୨ ବର୍ଷରେ ୬୫ ହଜାରରୁ ଅଧିକ ପଦବୀ ପୂରଣ :

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ, ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟରେ ପ୍ରତିଫଳିତ ହେବ । ନିବେଶ ବଢିଲେ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ବଢିବ । ସେହିପରି ଖାଲି ଥିବା ସରକାରୀ ପଦବୀରେ ଦେଢ଼ ଲକ୍ଷ ନିଯୁକ୍ତି କଥା କହିଛୁ । ସେଥିରୁ ୨୦ ହଜାର ନିଯୁକ୍ତି ଦେଇ ସାରିଛୁ । ଚଳିତ ଆର୍ଥିକ ବର୍ଷ ଆହୁରି ୨୦ ହଜାର ନିଯୁକ୍ତି ଦେବୁ । ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ପଦବୀ ପୂରଣ କରିବୁ । ସଂକଳ୍ପ ପତ୍ର ଅଧାରେ ନୂଆ ଓଡ଼ିଶା, ସମୃଦ୍ଧ ଓଡିଶା ଦିଗରେ ଆମେ ଅଗ୍ରସର ହେଉଛୁ । ୨୦୨୫-୨୬ ଆର୍ଥିକ ବର୍ଷରେ ଆହୁରି ଅନେକ ଯୋଜନା ସାମିଲ ହେବ । ତେଣୁ ବଜେଟର ଆକାର ବହୁତ ବଢିବ । ଅନଲାଇନ ମାଧ୍ୟମରେ ଗତ ବର୍ଷ 6 ହଜାରରୁ ଅଧିକ ପ୍ରସ୍ତାବ ଆସିଥିଲା । ଏଥର ମଧ୍ୟ ତା'ଠାରୁ ଅଧିକ ମତାମତ ଆସିବ ବୋଲି ଆକଳନ କରାଯାଉଛି । ଫଳରେ ଲୋକଙ୍କ ବଜେଟ ନିଶ୍ଚୟ ରୁଦ୍ଧିମନ୍ତ ହେବ।"

'କୃଷି କ୍ଷେତ୍ରକୁ ମିଳୁ ଅଧିକ ଗୁରୁତ୍ୱ'

ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, "ଓଡ଼ିଶାର ୬୦ରୁ ୭୦ଭାଗ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି । କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଦାଦନ ଶ୍ରମିକଙ୍କୁ ତାଲିମ ପ୍ରଦାନ କରିବାକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦିଆଯାଇଛି । ବଜେଟର ଆକାର ସହ ବିଭିନ୍ନ ବର୍ଗଙ୍କ ପ୍ରତି ଗୁରୁତ୍ୱ ଦେବା ଦରକାର । ପର୍ଯ୍ୟଟନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଆବଶ୍ୟକତା ରହିଛି । ଆଲୋଚନା ଫଳପ୍ରଦ ହୋଇଛି । ଆଗାମୀ ବଜେଟ ଲୋକଙ୍କର ବଜେଟ ହେବ ବୋଲି ଆଶା ।"

ଏହା ବି ପଢନ୍ତୁ...ଫେବୃଆରୀ ୧୭ରେ ରାଜ୍ୟ ବଜେଟ: ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍-ପରାମର୍ଶ ସଭା

ଏହା ବି ପଢନ୍ତୁ...ବିଧାନସଭାରେ ଉପସ୍ଥାପନ ହେଲା ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍

'ସେସ ଏବଂ ସରଚାର୍ଜ ବାବଦରେ ହେଉ ବିଚାର'

ପୂର୍ବତନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "କୋଇଲା ରୟାଲଟି ପୁନର୍ବିଚାର କରିବା ଲାଗି କେନ୍ଦ୍ର ନିକଟରେ ଓଡିଶା ସରକାର ଦାବି ରଖନ୍ତୁ । ଏହାର ସମାଧାନ କରିବା ଲାଗି ଚେଷ୍ଟା କରନ୍ତୁ । ସେସ ଏବଂ ସରଚାର୍ଜ ଯେଉଁ ହାରରେ ବଢିଚାଲିଛି, ତାହା ଆମକୁ ପ୍ରଭାବିତ କରୁଛି । ଏ ଦିଗରେ ବିଚାର ହେବାର ଆବଶ୍ୟକତା ରହିଛି । ଓଡିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି । ବିଭିନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଅନୁପାତ ୬୦:୪୦ କିମ୍ବା ୫୦:୫୦ ରହିଛି । ଏହା ୯୦:୧୦ ହେଉ ବୋଲି ଆମେ ଦାବି ରଖିଛୁ । ଡବଲ ଇଞ୍ଜିନ ସରକାରରେ ଏହା ହୋଇପାରିବ ।"

'ଖଣି ରାଜସ୍ୱ ସଂଗ୍ରହ ହ୍ରାସ ଚିନ୍ତାଜନକ'

ପୂର୍ବତନ ଅର୍ଥ ମନ୍ତ୍ରୀ ଫ୍ରଫୁଲ ଘଡେଇ କହିଛନ୍ତି, "ଚଳିତ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ ୬୫ ହଜାର କୋଟି ବ୍ୟୟ ବରାଦ ହୋଇଥିଲା । କିନ୍ତୁ ବ୍ୟୟ ସନ୍ତୋଷଜନକ ହୋଇନାହିଁ । ୩ କ୍ୱାର୍ଟର ଶେଷ ପରେ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ଆଉ ୩ ମାସରେ ବଳକା ୫୦ ପ୍ରତିଶତ ଖର୍ଚ୍ଚ ହୋଇପାରିବ ନାହିଁ । ଯେତେ ପାରିବେ ସେତେ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ । ରାଜସ୍ୱ ସଂଗ୍ରହ ଉତ୍ସାହଜନକ ହୋଇନାହିଁ । ଖଣି ରାଜସ୍ୱ ସଂଗ୍ରହ ୧ ପ୍ରତିଶତ କମ ହୋଇଛି । ଖଣି ଉତ୍ପାଦନ ବଢାଇବାକୁ ଦାବି କରିଛୁ । ବନ୍ଦ ଖଣି ଓ ଶିଳ୍ପ ଚାଲୁ ହେଉ । ବଡ଼ ସହ ଛୋଟ ସ୍ୱଳ୍ପ ଉପରେ ଧ୍ୟାନ ଦିଆଯିବ ଦରକାର । ବନ୍ଦ ହୋଇପଡିଥିବା ଶିଳ୍ପକୁ କାର୍ଯ୍ୟକ୍ଷମ କରାଯାଉ ।"

ସଂଶୋଧନ ହେବ ପର୍ଯ୍ୟଟନ ନୀତି :

ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି, "୨୦୨୫-୨୬ ଆର୍ଥିକବର୍ଷ ବଜେଟ ନେଇ ମୁଖ୍ୟମନ୍ତ୍ରୀ ଆମମାନଙ୍କ ସହ ଆଜି ଆଲୋଚନା କରିଛନ୍ତି । ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଫୋକସ ଦେଉଥିବା ବୈଠକରୁ ଆମେ ଅନୁଭବ କଲୁ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ଉନ୍ନତି ପାଇଁ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି । ଯାହାକି ଆମର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଥିବା ହୋଟେଲ ଓ ଯୋଗାଯୋଗ ଅଭାବକୁ ଦୂର କରିବ । ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କଠାରୁ ପ୍ରାୟ ୮୦୦କୋଟିର ବଜେଟ ପର୍ଯ୍ୟଟନ କ୍ଷେତ୍ର ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଥିବା ଜଣାପଡୁଛି । ଯାହାକି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ବହୁତ ସହାୟକ ହେବ । ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ସହ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ । ଗୋଟିଏ ରୁମ ପାଇଁ ତିନି ଜଣ ନିଯୁକ୍ତି ପାଇଥାନ୍ତି । ସେହିଭଳି ୧୦ ହଜାର ହୋଟେଲ ରୁମ ପାଇଁ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏପରିକି ରାଜ୍ୟ ସରକାର ଖୁବଶୀଘ୍ର ଟୁରିଜିମି ପଲିସିରେ ସଂଶୋଧନ କରିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବୈଠକରେ ସୂଚନା ଦେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details