କଟକ: ଚୌଦ୍ବାର ଚୁଡ଼ାଖିଆ ବଜାରରେ ଘଟିଥିବା ମିଠା କାରୀଗର ହତ୍ୟାକାଣ୍ଡ ଉପରରୁ ହଟିଲା ପରଦା । ଇର୍ଷାରୁ ବଚସା ଓ ବଚସାରୁ ହତ୍ୟାକାଣ୍ଡ । ଅଭିଯୁକ୍ତ ଦୀପକ ମାଝି ତଥା ଜଣେ ମିଠା କାରୀଗରକୁ ବାନ୍ଧି କୋର୍ଟଚାଲାଣ କରିଛି ପୋଲିସ । ପୁରା ଘଟଣା ଉପରୁ ପରଦା ହଟାଇଛି ପୋଲିସ ।
କାହିଁକି ଘଟିଲା ହତ୍ୟାକାଣ୍ଡ:ପୋଲିସର ସୂଚନା ଅନୁଯାୟୀ, ଉଭୟ ପ୍ରଶାନ୍ତ ଓ ଦୀପକ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଗୋଟିଏ ମିଠା ଦୋକାନରେ କାମ କରୁଥିଲେ । କିନ୍ତୁ କୌଣସି କାରଣ ପାଇଁ ସମ୍ପୃକ୍ତ ମିଠା ଦୋକାନୀ ଦୀପକକୁ ଦୋକାନରୁ ବାହାର କରି ଦେଇଥିଲେ । ଏହାକୁ ନେଇ ମୃତକ ପ୍ରଶାନ୍ତ ଓ ଅଭିଯୁକ୍ତ ଦୀପକ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଅଭିଯୁକ୍ତ ଦୀପକ ଆଉ ଏକ ମିଠା ଦୋକାନରେ କାମ ଆରମ୍ଭ କରିବା ସହ ପ୍ରଶାନ୍ତ ସହିତ ନିୟମିତ ଝଗଡ଼ା କରି ଆସୁଥିଲା ।
ଗତ 25 ତାରିଖ ରାତିରେ ପ୍ରଶାନ୍ତ କାମ କରୁଥିବା ଦୋକାନ ନିକଟରେ ଉଭୟଙ୍କ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ଛୁରୀ ଭୁଶି ପ୍ରଶାନ୍ତଙ୍କୁ ହତ୍ୟା କରିଥିବା ପୋଲିସ କହିଛି । କମିଶନରେଟ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ସମୟରେ ବ୍ୟବହୃତ ହୋଇଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୋନ 1 ଏସିପି ଅରୁଣ ସ୍ବାଇଁ ।