ପୁରୀ:ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳାଖେଳା କରୁଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ସ୍ୱତନ୍ତ୍ର ମହାପ୍ରଭୁଙ୍କ ସେବକମାନେ ମଧ୍ୟ ସେମିତି ସ୍ୱତନ୍ତ୍ର । ମହାପ୍ରଭୁଙ୍କ ବିଭିନ୍ନ ସେବା ପାଇଁ ଅନେକ ସେବାୟତ ଅଛନ୍ତି । ସେଥିମଧ୍ୟରୁ ଦଇତାପତି ସେବକ ଅନ୍ୟତମ ସେବକ । ମହାପ୍ରଭୁଙ୍କ ଅଣସର ସମୟରେ କେବଳ ଦଇତାପତି ସେବକମାନେ ହିଁ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପାଦନ କରିଥାନ୍ତି । ତେବେ ଦଇତାପତି ସେବକମାନଙ୍କ ମଧ୍ୟରେ ଏକ ନିଆରା ପରମ୍ପରା ରହିଛି । ଦଇତାପତି ସେବକଙ୍କ ଘରେ ଛୋଟ ଶିଶୁଟିଏ ଜନ୍ମ ହେଇଥିଲେ ଅଣସର ସମୟରେ ଛୋଟ ଶିଶୁଟିକୁ ଅଣସର ଘରକୁ ନିଆଯାଇ ମହାପ୍ରଭୁଙ୍କୁ ଦର୍ଶନ କରାଯାଏ । ସେହିଠାରୁ ଛୋଟ ଶିଶୁଟି ଦଇତାପତି ସେବକ ଭାବେ ପରିଗଣିତ ହୋଇଥାଏ ।
ଛୋଟ ବେଳରୁ ପିଲାଙ୍କୁ ନିଆଯାଇ ମହାପ୍ରଭୁଙ୍କ ଗୁପ୍ତନୀତିକୁ ପ୍ରଶିକ୍ଷଣ ଦିଆଯାଇଥାଏ । 10 ବର୍ଷ ବେଳକୁ ଛୋଟ ପିଲାଟି ମହାପ୍ରଭୁଙ୍କ ସବୁ ଗୁପ୍ତନୀତି ସେବା ଶିକ୍ଷା ଲାଭ କରିସାରିଥାଏ । ଫଳରେ ଯୁବକ ସମୟରେ ସେ ଦଇତାପତି ସେବକ ଭାବେ ନିଜର ଦାୟିତ୍ଵ ସମ୍ପାଦନ କରିବା ସହ ଦଇତାପତି ସେବା, ପରମ୍ପରାକୁ ଆଗକୁ ନେଇଥାଏ । ପିଢ଼ି ପରେ ପିଢ଼ି ଏହି ପରମ୍ପରା ଶ୍ରୀମନ୍ଦିରରେ ପାଳନ ହୋଇଆସୁଛି । ଏହି ପରମ୍ପରା କ୍ରମରେ ଚଳିତ ଅଣସରରୁ କୁନି ଦଇତାପତି ସେବାୟତ ପରିଗଣିତ ହୋଇଛନ୍ତି ଶ୍ରୀୟାନ ।